Fake SIM Card Network ସାଇବର ଅପରାଧ: ଭଦ୍ରକରୁ ଚୀନ ଜାଲ ସିମ୍କାର୍ଡ଼ ହେଉଥିଲା ଚାଲାଣ, କ୍ରିପ୍ଟୋକରେନ୍ସିରେ ଚାଲୁଥିଲା ନେଣଦେଣ
ଭଦ୍ରକରୁ ଚୀନ ସମେତ ଅନ୍ୟ ଅଞ୍ଚଳକୁ ଜାଲ୍ ସିମ୍ କାର୍ଡ ଯୋଗାଣ ଅଭିଯୋଗରେ ଜଣେ ଗିରଫ। ୧୩୩୩ ସିମ୍ ଓ ୧୧.୭୩ ଲକ୍ଷ ଟଙ୍କା ଜବତ କରିଛି ପୁଲିସ।

ଭଦ୍ରକ(ହରିହର ନାୟକ): ଭଦ୍ରକରେ ଲୋକଙ୍କ ନାମରେ ଜାଲନଥିପତ୍ର ପ୍ରସ୍ତୁତ କରି ସିମ୍ ସକ୍ରିୟ କରାଯାଉଥିଲା। ଏହି ସିମ୍କାର୍ଡ଼ଗୁଡ଼ିକୁ ରାଜ୍ୟ ବାହାରକୁ ଏପରିକି ଚୀନରେ ଥିବା ସାଇବର ଅପରାଧୀଙ୍କୁ ଯୋଗାଇଦିଆଯାଉଥିଲା। ପୁଲିସ ଓ ସୁରକ୍ଷା ଏଜେନ୍ସିକୁ ଫାଙ୍କିବାକୁ ପାରିଶ୍ରମିକରେ କ୍ରିପ୍ଟୋକରେନ୍ସି ବ୍ୟବହୃତ ହେଉଥିଲା। ଏଭଳି ଏକ ଚାଞ୍ଚଲ୍ୟକର ଅପରାଧିକ ନେଟ୍ୱାର୍କର ପର୍ଦ୍ଦାଫାସ୍ ହୋଇଛି। ଏହି ଘଟଣାରେ ଜଣେ ସିମ୍କାର୍ଡ ବିକ୍ରେତାଙ୍କୁ ଭଦ୍ରକ ପୁଲିସ ଗିରଫ କରିଛି।
ଭଦ୍ରକରେ ସଂଗଠିତ ସାଇବର ଅପରାଧ ସମ୍ପର୍କରେ ଭଦ୍ରକ ସାଇବର କ୍ରାଇମ୍ ଏବଂ ଇକୋନୋମିକ୍ ଅଫେନ୍ସେସ୍ ଥାନା ପକ୍ଷରୁ ବିଏନ୍ଏସ୍ର ଧାରା ୩୧୮(୨)/୩୧୮(୪)/୩୧୯(୨)/୩୩୮/୩୩୬(୩)/୩(୫), ସୂଚନା ପ୍ରଯୁକ୍ତି ଆଇନ ର ଧାରା ୬୬୯/୬୬୦ ଏବଂ ଟେଲିଯୋଗାଯୋଗ ଆଇନ, ୨୦୨୩ର ଧାରା ୪୨(୩)(୧) ରୁଜୁ କରି ନଂ- ୨୨/୨୦୨୬ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।
ତଦନ୍ତରେ ଏକ ବଡ଼ ନେଟ୍ୱାର୍କରେ ଦେଶ ଓ ବିଦେଶରେ କାର୍ଯ୍ୟ କରୁଥିବା ଜଣାପଡ଼ିଥିଲା। ଶେଷରେ ଏହି ନେଟ୍ୱାର୍କର ଏକ ସଦସ୍ୟ ଭଣ୍ଡାରିପୋଖରୀ ଥାନା ଅଧୀନ ରଘୁନାଥ ପୁରର ଶୁଭମଜ୍ୟୋତି ନାୟକ (୨୩)କୁ ଗିରଫ କରିଛି। ପଚରାଉଚରାରେ ଶୁଭମ୍ ଅନେକ ରୋମାଞ୍ଚକର ତଥ୍ୟ ପ୍ରକାଶ କରିଛି।
ଏହି ନେଟୱାର୍କରେ ସାଧାରଣ ଲୋକଙ୍କ ନାମରେ ଜାଲିଆତିପୂର୍ଣ୍ଣ ଉପାୟରେ ସିମ୍ କାର୍ଡ ସଂଗ୍ରହ ଓ ସକ୍ରିୟ କରାଯାଉଥିଲା। ଏହାର ଓଟିପି ନମ୍ୱର ଚୀନ୍ ଏବଂ ଅନ୍ୟାନ୍ୟ ରାଜ୍ୟରେ ଅବସ୍ଥିତ ସାଇବର ଠକମାନଙ୍କୁ ୱାଡ଼ସପ ଓ ଟେଲିଗ୍ରାମ ମାଧ୍ୟମରେ ଯୋଗାଇ ଦିଆଯାଉଥିଲା। ଶୁଭମ୍ ଓ ତାଙ୍କ ସହଯୋଗୀମାନେ ଭୋଡ଼ା ଫୋନ ଏବଂ ବିଏସଏନ୍ଏଲର ସିମ୍ ଆକ୍ଟିଭେସନ୍ ଏଜେଣ୍ଟ ଙ୍କ ଆଇଡି ବ୍ୟବହାର କରି ଏହି କାର୍ଯ୍ୟ କରୁଥିଲେ। ଏହି କାରବାର ନିମନ୍ତେ କ୍ରିପ୍ଟୋକରେନ୍ସି କାରବାର କରି ସନ୍ଦିଗ୍ଧ ଠକେଇ ଟଙ୍କାକୁ ଭାରତୀୟ ମୁଦ୍ରାରେ ପରିବର୍ତ୍ତନ ଓ ଉଠାଣ କରୁଥିଲେ।
ସୌଜନ୍ୟ ସମ୍ବାଦ




