ରାଜ୍ୟ

Election: ଆଜି ଆନ୍ଧ୍ରରେ ନିର୍ବାଚନ: ଗଙ୍ଗାବାଡ଼ରେ ଡେରା ପକାଇଛି ଗଜପତି ପ୍ରଶାସନ, କୋରାପୁଟରେ କିନ୍ତୁ ଭିନ୍ନ ଚିତ୍ର

ଆଜି ଆନ୍ଧ୍ରପ୍ରଦେଶରେ ନିର୍ବାଚନ। ଏହାକୁ ନେଇ ଗଜପତି ଜିଲ୍ଲାର ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପ୍ରଶାସନିକ ତତ୍ପରତା ବଢ଼ିଛି। ଓଡ଼ିଶାର ୫ଟି ସୀମାନ୍ତ ଗାଁରେ ପ୍ରଶାସନ ପକ୍ଷରୁ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି।

ପାରଳାଖେମୁଣ୍ଡି(ସୁଜିତ ବିଷୋୟୀ) : ଆଜି ଆନ୍ଧ୍ରପ୍ରଦେଶରେ ନିର୍ବାଚନ। ଏହାକୁ ନେଇ ଗଜପତି ଜିଲ୍ଲାର ସୀମାନ୍ତ ଗଙ୍ଗାବାଡ଼ ପଞ୍ଚାୟତରେ ପ୍ରଶାସନିକ ତତ୍ପରତା ବଢ଼ିଛି। ଓଡ଼ିଶାର ୫ଟି ସୀମାନ୍ତ ଗାଁରେ ପ୍ରଶାସନ ପକ୍ଷରୁ ୫ ଜଣ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି। ପ୍ରତ୍ୟେକ ଗାଁର ସ୍ଥିତି ଉପରେ ନଜର ରଖିବା ସହ ନିର୍ବାଚନ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଓ ଅନଧିକାର ପ୍ରବେଶ ରୋକିବାକୁ ପ୍ରଶାସନ ମଇଦାନକୁ ଓହ୍ଲାଇଛି। ସୀମାନ୍ତ ଗାଁଗୁଡ଼ିକର ସମସ୍ତ ପ୍ରବେଶ ପଥରେ ପୁଲିସ ପକ୍ଷରୁ ଯାଞ୍ଚ କରାଯାଉଛି। ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଉନ୍ନୟନ ଅଧିକାରୀ, ଉପଜିଲ୍ଲାପାଳ, ତହସିଲଦାର, ବିଡିଓଙ୍କ ସମେତ ସ୍ୱତନ୍ତ୍ର ଅଧିକାରୀ ପବନ କୁମାରଙ୍କୁ ଏହି ଅଞ୍ଚଳରେ ଦାୟିତ୍ୱ ଦିଆଯାଇଛି।

ଅଧିକାରୀମାନେ ନିଜ ନିଜ ଦାୟିତ୍ୱରେ ଥିବା ଗାଁଗୁଡ଼ିକରେ ରହି ସ୍ଥିତି ତଦାରଖ କରୁଛନ୍ତି। ଅନ୍ୟପକ୍ଷରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ଏସ୍‌ଡିପିଓ ମାଧବାନନ୍ଦ ନାୟକ ଓ ଗାରାବନ୍ଧ ଥାନା ଅଧିକାରୀ ପ୍ରଶାନ୍ତ ନିଶିକାଙ୍କ ତତ୍ତ୍ୱାବଧାନରେ ଦୁଇ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହୋଇଛନ୍ତି। ପୁଲିସ କର୍ମଚାରୀମାନେ ସୀମାନ୍ତ ଅଞ୍ଚଳରେ କଡ଼ା ପ୍ରହରା ଦେବା ସହ ନିୟମିତ ପାଟ୍ରୋଲିଂ କରୁଛନ୍ତି। ଓଡ଼ିଶାର ସୀମାନ୍ତ ଗାଁରେ ଆନ୍ଧ୍ରର ନିର୍ବାଚନୀ ପ୍ରଚାର ଓ ଏଠାକାର କିଛି ଲୋକଙ୍କ ଆନ୍ଧ୍ରରେ ଭୋଟଦାନକୁ ନେଇ ପୂର୍ବରୁ ଚର୍ଚ୍ଚା ଓ ବିବାଦ ଦେଖାଦେଇଥିଲା। ଏହି ପୃଷ୍ଠଭୂମିରେ ନିର୍ବାଚନ ଦିନ ଓଡ଼ିଶା ସୀମା ମଧ୍ୟରେ କୌଣସି ପ୍ରକାର ଚାପ ପ୍ରୟୋଗ, ଅନଧିକାର ପ୍ରବେଶ କିମ୍ବା ଆଇନଶୃଙ୍ଖଳା ସମସ୍ୟା ନଘଟିବା ପାଇଁ ପ୍ରଶାସନ ଓ ପୁଲିସ ସଜାଗ ରହିଛନ୍ତି। ଅନ୍ୟପଟେ କିନ୍ତୁ କୋରାପୁଟ କୋଟିଆରେ ଚିତ୍ର ଭିନ୍ନ ରହିଛି | ଆନ୍ଧ୍ରପ୍ରଦେଶରେ ଭୋଟ୍‌ ଦେଇ ନିଜ ଗାଁକୁ ଫେରୁଛନ୍ତି କୋଟିଆ ଅଞ୍ଚଳର ଅନେକ ଭୋଟର ।

ଆନ୍ଧ୍ର ସୀମା ସାରିକାରେ ମତଦାନ କରି ଫେରୁଥିବା ଲୋକଙ୍କୁ ନେଇ କୋଟିଆରେ ଦେଖାଦେଇଛି ତୀବ୍ର ଉତ୍ତେଜନା । ଅନେକ ଭୋଟର ରାତିରୁ ହିଁ ଆନ୍ଧ୍ରକୁ ଯାଇ ମତଦାନ କରିଥିବା ବେଳେ ଆଉ କିଛି ଲୋକ ଏବେ ମଧ୍ୟ ସେଠାକୁ ଯାଇ ଭୋଟ୍‌ ଦେବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଅନ୍ୟପଟେ ଆନ୍ଧ୍ରରେ ଭୋଟ୍‌ ଦେବାକୁ ଯାଉଥିବା ଲୋକଙ୍କୁ ଅଟକାଇବାରେ ପ୍ରଶାସନ ବିଫଳ ହୋଇଥିବା ଅଭିଯୋଗ ଉଠିଛି । ଆନ୍ଧ୍ରରେ ଭୋଟ୍‌ ଦେଇ ଫେରୁଥିବା ଭୋଟରଙ୍କୁ ଘୋର ବିରୋଧ କରୁଛନ୍ତି ସ୍ଥାନୀୟ ନେତୃତ୍ୱ । ଓଡ଼ିଶାର ସୁବିଧା ସୁଯୋଗ ଉପଭୋଗ କରିବା ସହ ଆନ୍ଧ୍ରରେ ଭୋଟ୍‌ ଦେବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ନେତା ଓ କର୍ମୀ । ଏପରିକି, “ଓଡ଼ିଶାରେ ଖାଇବ, ଆନ୍ଧ୍ରରେ ଭୋଟ୍‌ ଦେବ” ବୋଲି କହି ଅସନ୍ତୋଷ ପ୍ରକାଶ କରୁଛନ୍ତି ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button