Air pollution: ବାୟୁ ପ୍ରଦୂଷଣ ଗର୍ଭସ୍ଥ ଶିଶୁକୁ ବିପଦ
ଧୂଆଁ ଓ ଅତି ଛୋଟ ଛୋଟ ଧୂଳିକଣା ଆମ ଆଖିରୁ ପାଣି ବୋହିବା, ଗଳା କୁଣ୍ଡାଇ ହେବା ଭଳି ସମସ୍ୟା ସହ ଶ୍ବାସକ୍ରିୟାରେ ଅସୁବିଧା ସୃଷ୍ଟି କରେ। ସୂକ୍ଷ୍ମ ଧୂଳି କଣିକା, ବିଶେଷକରି ୨.୫ ମାଇକ୍ରୋମିଟର୍ ବା ତା’ଠାରୁ ଛୋଟ କଣିକା ଫୁସ୍ଫୁସ୍...

ଧୂଆଁ ଓ ଅତି ଛୋଟ ଛୋଟ ଧୂଳିକଣା ଆମ ଆଖିରୁ ପାଣି ବୋହିବା, ଗଳା କୁଣ୍ଡାଇ ହେବା ଭଳି ସମସ୍ୟା ସହ ଶ୍ବାସକ୍ରିୟାରେ ଅସୁବିଧା ସୃଷ୍ଟି କରେ। ସୂକ୍ଷ୍ମ ଧୂଳି କଣିକା, ବିଶେଷକରି ୨.୫ ମାଇକ୍ରୋମିଟର୍ ବା ତା’ଠାରୁ ଛୋଟ କଣିକା ଫୁସ୍ଫୁସ୍ ଭିତରେ ପଶି ପ୍ରଦାହ ତଥା ଅକ୍ସିଡେଟିଭ୍ ଚାପ ପକାଇଥାଏ। ତେଣୁ ଗର୍ଭାବସ୍ଥାରେ ବାୟୁ ପ୍ରଦୂଷଣ ସଂସ୍ପର୍ଶରେ ଆସିଲେ ଅବେଳରେ ଶିଶୁର ଜନ୍ମ, କମ୍ ଓଜନ ସମେତ ଭ୍ରୂଣର ବୃଦ୍ଧି ପ୍ରତି ବିପଦ ସୃଷ୍ଟି କରିଥାଏ। ଏହାର ଅର୍ଥ ନୁହେଁ ଯେ, ପ୍ରଦୂଷିତ ବାୟୁ ସଂସ୍ପର୍ଶରେ ଆସୁଥିବା ପ୍ରତ୍ୟେକ ଗର୍ଭବତୀ ଜଟିଳତା ଅନୁଭବ କରିଥାନ୍ତି। ତେବେ ବିଶେଷଜ୍ଞଙ୍କ ମତରେ, ଗର୍ଭାବସ୍ଥାରେ ପ୍ରଦୂଷଣକୁ ଏଡ଼ାଇବା ହେଉଛି ଏକ ଜରୁରି ପ୍ରତିଷେଧକମୂଳକ ପଦକ୍ଷେପ।
ବେଙ୍ଗାଲୁରୁ ହ୍ବାଇଟ୍ଫିଲ୍ଡର ଫର୍ଟିଲିଟି ବିଶେଷଜ୍ଞ ଡାକ୍ତର ଜ୍ୟୋତି ପାଟିଲ୍ କହନ୍ତି, ଯେଉଁ ସହରଗୁଡ଼ିକରେ ଅତ୍ୟଧିକ ଯାନବାହନ ନିର୍ଗମନ, ଶିଳ୍ପ ପ୍ରଦୂଷଣ ତଥା ସୂକ୍ଷ୍ମ ଧୂଳିକଣିକା ଭଳି ପରିବେଶଗତ ସମସ୍ୟା ରହିଛି, ସେସବୁ ସ୍ଥାନ ମାତୃ ସ୍ୱାସ୍ଥ୍ୟ ସାଙ୍ଗକୁ ବିକାଶଶୀଳ ଶିଶୁକୁ ପ୍ରଭାବିତ କରିପାରେ। ପ୍ଲାସେଣ୍ଟା, ବିକାଶଶୀଳ ଶିଶୁକୁ ଅମ୍ଳଜାନ ଏବଂ ପୁଷ୍ଟିକର ପଦାର୍ଥ ଯୋଗାଇଥାଏ, ଯାହା ଗର୍ଭାବସ୍ଥାରେ ଅତି ଆବଶ୍ୟକ। ତେବେ ପ୍ରଦୂଷଣ ସୃଷ୍ଟି କରୁଥିବା ତତ୍ତ୍ବଗୁଡ଼ିକ ପ୍ଲାସେଣ୍ଟାର କାର୍ଯ୍ୟ ଉପରେ ବାଧା ସୃଷ୍ଟି କରିଥାନ୍ତି। ଏହା ଭ୍ରୂଣର ବୃଦ୍ଧି ତଥା ବିକାଶ ଉପରେ କୁପ୍ରଭାବ ପକାଇଥାଏ। ସେହିପରି ହାଇଦ୍ରାବାଦ ବଞ୍ଜାରା ହିଲ୍ସସ୍ଥିତ କେୟାର୍ ହସ୍ପିଟାଲ୍ର ସ୍ତ୍ରୀରୋଗ ବିଶେଷଜ୍ଞ ଡାକ୍ତର କ୍ରାନ୍ତି ଶିଳ୍ପା କହନ୍ତି, ବାୟୁ ପ୍ରଦୂଷଣ ଗର୍ଭବତୀଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତା ବଢ଼ାଇ ଚାଲିଛି। ଏହା ମା’ ଶରୀରରେ ପ୍ରଦାହ ଏବଂ ଅକ୍ସିଡେଟିଭ୍ ଚାପ ସୃଷ୍ଟି କରିପାରେ। ସେହିପରି ଗର୍ଭସ୍ଥ ଶିଶୁକୁ ଅମ୍ଳଜାନ ଓ ପୋଷକ ତତ୍ତ୍ୱ ଯୋଗାଇବାରେ ବାଧକ ସାଜେ। ଏହି ବିପଦ ମଧ୍ୟ କେବଳ ଭ୍ରୂଣର ବିକାଶ ଭିତରେ ସୀମିତ ନୁହେଁ। ଯେଉଁ ମହିଳାମାନେ ଆଜ୍ମା କିମ୍ବା ଅନ୍ୟ ଶ୍ୱାସକ୍ରିୟାଜନିତ ରୋଗରେ ପୀଡ଼ିତ ହୋଇଥାନ୍ତି, ସେମାନଙ୍କୁ ଏହା ଅତିଶୟ ଦୁର୍ବଳ କରିଦିଏ। ଯେଉଁ ଗର୍ଭବତୀ କ୍ଷତିକାରକ ଧୂଳିକଣା ତଥା ଗ୍ୟାସ୍ ଭିତରେ ଶ୍ବାସକ୍ରିୟା କରନ୍ତି, ତାଙ୍କ ଫୁସ୍ଫୁସ୍ର ସ୍ୱାସ୍ଥ୍ୟ ପ୍ରଭାବିତ ହୋଇଥାଏ। ଏହା ଶ୍ୱାସକ୍ରିୟାକୁ ପ୍ରଭାବିତ କରିପାରେ।
ବିଭିନ୍ନ ଅଧ୍ୟୟନରୁ ଜଣାପଡ଼ିଛି ଯେ, ଗର୍ଭାବସ୍ଥାରେ ବାୟୁ ପ୍ରଦୂଷଣ ଯୋଗୁଁ ଶିଶୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରସବ ହେବା ସହ ଜନ୍ମବେଳେ କମ୍ ଓଜନବିଶିଷ୍ଟ ହୋଇଥାଏ। କାରଣ, ବାୟୁ ପ୍ରଦୂଷଣ ଗର୍ଭ ଭିତରେ ଭ୍ରୂଣର ଉପଯୁକ୍ତ ବୃଦ୍ଧି କରାଇଦେଇନଥାଏ। ଏହା ଅପରିପକ୍ବ ଶିଶୁ ଜନ୍ମର କାରଣ ସାଜିଥାଏ। ସେହିପରି ଶିଶୁର ଫୁସ୍ଫୁସ୍ର ବିକାଶରେ ମଧ୍ୟ ପ୍ରତିବନ୍ଧକ ସୃଷ୍ଟି କରିଥାଏ। ବିଶେଷଜ୍ଞଙ୍କ ଅନୁସାରେ, ଯେତେବେଳେ ଜଣେ ଗର୍ଭବତୀ ପ୍ରଦୂଷିତ ବାୟୁକୁ ପ୍ରଶ୍ବାସରେ ନିଅନ୍ତି, ସେତେବେଳେ ଅତି ସୂକ୍ଷ୍ମ କଣିକା ତାଙ୍କ ଫୁସ୍ଫୁସ୍ରେ ରହେ ନାହିଁ। ଏହା ରକ୍ତପ୍ରବାହରେ ପ୍ରବେଶ କରି ପ୍ଲାସେଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ, ଯାହା ଶିଶୁର ଜୀବନରେଖା ଭାବେ ଜଣାଶୁଣା। ସେହିପରି ପ୍ରଦୂଷଣର ସମ୍ଭାବ୍ୟ ପ୍ରଭାବ ଗର୍ଭଧାରଣ ପୂର୍ବରୁ ଆରମ୍ଭ ହୋଇପାରେ। ଧୂଳିକଣା ଓ ଅନ୍ୟ ପରିବେଶ ପ୍ରଦୂଷଣ କାରକଗୁଡ଼ିକ ସଂସ୍ପର୍ଶରେ ଆସି ହର୍ମୋନ୍ ପ୍ରକ୍ରିୟା ତଥା ପ୍ରଜନନରେ ପରିବର୍ତ୍ତନ ହୋଇପାରେ।
ବର୍ତ୍ତମାନ ସମୟରେ ପ୍ରଦୂଷିତ ବାୟୁକୁ ସମ୍ପୂର୍ଣ୍ଣ ଭାବରେ ଏଡ଼ାଇବା ସମ୍ଭବ ନୁହେଁ। ତେଣୁ ଡାକ୍ତରମାନେ ବାୟୁ ସଂକ୍ରମଣର ସଂସ୍ପର୍ଶରେ ଆସିବା କମ୍ କରିବା ଲାଗି ବ୍ୟାବହାରିକ ପଦକ୍ଷେପ ନେବାପାଇଁ ସୁପାରିସ କରନ୍ତି। ଯେତେବେଳେ ଏକ୍ୟୁଆଇ ବା ବାୟୁ ଗୁଣବତ୍ତା ସୂଚକାଙ୍କ ‘ଖରାପ’ କିମ୍ବା ‘ଗମ୍ଭୀର’ ହୁଏ, ସେତେବେଳେ ଯଥାସମ୍ଭବ ଘର ଭିତରେ ରହିବା ସହ ସର୍ବାଧିକ ପ୍ରଦୂଷଣ ସମୟରେ ଝରକା ବନ୍ଦ ରଖିବା ଭଲ। ବାହାରକୁ ବାହାରିବା ଜରୁରି ଥିଲେ ସର୍ଜିକାଲ୍ ମାସ୍କ୍ ଅପେକ୍ଷା ଭଲ ଭାବରେ ଫିଟ୍ େହଉଥିବା ଏନ୍୯୫ ମାସ୍କ୍ ଉପଯୁକ୍ତ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ




