Netanyahu: ସରକାର ଗଠନରେ ନିର୍ଣ୍ଣାୟକ ହେବେ ଆରବ ଦଳ : ନେତାନ୍ୟାହୁଙ୍କୁ ଗାଦିଚ୍ୟୁତ କରିବାକୁ ଅହମଦ ତିବିଙ୍କ ପ୍ରସ୍ତାବ
ଏହି ପରିସ୍ଥିତିରେ ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ରହିଥିବା ଆରବ ରାଜନୈତିକ ଦଳଗୁଡ଼ିକ ଏବେ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛନ୍ତି।

ତେଲ୍ ଅଭିଭ୍: ଇସ୍ରାଏଲ୍ରେ ସଦ୍ୟ ସମାପ୍ତ ନିର୍ବାଚନ ପରେ ସରକାର ଗଠନକୁ ନେଇ ରାଜନୈତିକ ଅନିଶ୍ଚିତତା ଦେଖାଦେଇଛି। ଏହି ପରିସ୍ଥିତିରେ ଦୀର୍ଘଦିନ ଧରି ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ବିରୋଧରେ ରହିଥିବା ଆରବ ରାଜନୈତିକ ଦଳଗୁଡ଼ିକ ଏବେ ତାଙ୍କ ଭବିଷ୍ୟତ ନିର୍ଦ୍ଧାରଣରେ ନିର୍ଣ୍ଣାୟକ ଭୂମିକା ନେବାକୁ ଯାଉଛନ୍ତି। ନେତାନ୍ୟାହୁଙ୍କୁ କ୍ଷମତାରୁ ହଟାଇବା ପାଇଁ ଆରବ ନେତାମାନେ ଇହୁଦୀ ନେତୃତ୍ବାଧୀନ ବିରୋଧୀ ମେଣ୍ଟକୁ ସମର୍ଥନ ଦେବାକୁ ପ୍ରସ୍ତୁତ ହୋଇଛନ୍ତି। ଅପରପକ୍ଷେ ଆରବ ଦଳକୁ ସରକାରରେ ସାମିଲ କଲେ ବା ତାଙ୍କ ସମର୍ଥନରେ ସରକାର ଗଠନ କଲେ ଇସ୍ରାଏଲ ଭାଗଭାଗ ହୋଇଯିବ ବୋଲି ନେତାନ୍ୟାହୁ ବିରୋଧୀ ଦଳକୁ ଚେତାବନୀ ଦେଇଛନ୍ତି।
ଇସ୍ରାଏଲ୍ରେ ଅକ୍ଟୋବର ୨୭ରେ ଅନୁଷ୍ଠିତ ନିର୍ବାଚନରେ ୧୨୦ ଆସନ ବିଶିଷ୍ଟ ସଂସଦ ‘ନେସେଟ୍’ରେ କୌଣସି ଦଳ ବା ମେଣ୍ଟକୁ ସ୍ପଷ୍ଟ ବହୁମତ ମିଳିନାହିଁ। ନେତାନ୍ୟାହୁଙ୍କ ଦକ୍ଷିଣପନ୍ଥୀ ମେଣ୍ଟ ୫୩ଟି ଆସନ ହାସଲ କରିଥିବା ବେଳେ ପୂର୍ବତନ ସାମରିକ ମୁଖ୍ୟ ଗାଦି ଆଇଜେନକୋଟଙ୍କ ନେତୃତ୍ବାଧୀନ ବିରୋଧୀ ମେଣ୍ଟକୁ ୪୮ଟି ଆସନ ମିଳିଛି। ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ। ଅନ୍ୟପକ୍ଷରେ ଆରବ ନେତୃତ୍ବାଧୀନ ଜଏଣ୍ଟ ଲିଷ୍ଟ ୧୧ଟି ଓ ରାମ୍ ଦଳ ୮ଟି ଆସନ ଜିତିଛନ୍ତି। ଫଳରେ ଏହି ଦୁଇ ଦଳର ମୋଟ ଆସନ ସଂଖ୍ୟା ୧୯ରେ ପହଞ୍ଚିଛି। ସେମାନେ ବିରୋଧୀ ମେଣ୍ଟକୁ ସମର୍ଥନ ଦେଲେ ଏହାର ଆସନ ସଂଖ୍ୟା ୬୭କୁ ବୃଦ୍ଧି ପାଇବ।
ଜଏଣ୍ଟ ଲିଷ୍ଟର ବରିଷ୍ଠ ସାଂସଦ ଅହମଦ ତିବି ଆମେରିକୀୟ ଗଣମାଧ୍ୟମ ଏପିକୁ କହିଛନ୍ତି, ନେତାନ୍ୟାହୁଙ୍କ ସରକାରକୁ ହଟାଇବା ପାଇଁ ସେମାନେ ପଦକ୍ଷେପ ନେବାକୁ ପ୍ରସ୍ତୁତ। ତେବେ ଜଏଣ୍ଟ ଲିଷ୍ଟ ସରକାରରେ ସାମିଲ ନହୋଇ କେବଳ ସଂସଦରେ ସମର୍ଥନ ଦେବାକୁ ଚାହୁଛି। ଏହା ଇସ୍ରାଏଲ୍ର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ।
୨୦୨୧ରେ ମନସୁର ଅବ୍ବାସଙ୍କ ନେତୃତ୍ବାଧୀନ ରାମ୍ ଦଳର ସମର୍ଥନରେ ନାଫ୍ତାଲି ବେନେଟ୍ ଓ ୟାଇର ଲାପିଡ୍ଙ୍କ ମେଣ୍ଟ ସରକାର ଗଠନ ହୋଇଥିଲା। ଏହା ଫଳରେ ୧୨ ବର୍ଷ ଧରି କ୍ଷମତାରେ ଥିବା ନେତାନ୍ୟାହୁ ପ୍ରଧାନମନ୍ତ୍ରୀ ପଦ ହରାଇଥିଲେ।
ଇସ୍ରାଏଲ୍ର ସରକାର ଗଠନରେ ଏକ ସ୍ବାଧୀନ ଆରବ ଦଳର ଏହା ପ୍ରଥମ ଅଂଶଗ୍ରହଣ ଥିଲା। ତେବେ ଆରବ ଦଳଗୁଡ଼ିକର ସମର୍ଥନ ଗ୍ରହଣ କରିବା ଆଇଜେନକୋଟ ଓ ତାଙ୍କ ସହଯୋଗୀଙ୍କ ପାଇଁ ସହଜ ହେବନାହିଁ। ଆଇଜେନକୋଟ ସରକାରରେ ସାମିଲ ହେବାକୁ ଚାହୁଥିବା ଦଳଗୁଡ଼ିକ ପାଇଁ ଇସ୍ରାଏଲ୍କୁ ଇହୁଦୀ ଓ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସ୍ବୀକାର କରିବା ସମେତ ଚାରିଟି ସର୍ତ୍ତ ରଖିଛନ୍ତି। କିନ୍ତୁ ତିବିଙ୍କ ମତରେ, ଜଏଣ୍ଟ ଲିଷ୍ଟ କେବଳ ବାହାରୁ ସମର୍ଥନ ଦେଉଥିବାରୁ ଏହି ସର୍ତ୍ତଗୁଡ଼ିକ ତାଙ୍କ ଦଳ ପାଇଁ ଲାଗୁ ହେବା ଉଚିତ ନୁହେଁ। ତେଣୁ ଆରବ ଦଳଗୁଡ଼ିକର ନିଷ୍ପତ୍ତି ଉପରେ ନେତାନ୍ୟାହୁଙ୍କ କ୍ଷମତାରେ ରହିବା ବା ନ ରହିବା ଅନେକାଂଶରେ ନିର୍ଭର କରୁଛି।
ସୌଜନ୍ୟ ସମ୍ବାଦ




