ଖେଳ

Silver Medal: ଯୁବ ଅଲିମ୍ପିକ୍ସ ବ୍ୟାଡ୍‌ମିଣ୍ଟନ୍‌: ତନ୍ବୀଙ୍କୁ ଐତିହାସିକ ରୌପ୍ୟ

ମାତ୍ର ୧୫ ବର୍ଷ ବୟସରେ ଓଡ଼ିଶାର ତନ୍ବୀ ପତ୍ରୀ ପ୍ରଥମ ଭାରତୀୟ ମହିଳା ଭାବେ ଯୁବ ଅଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନ ପଦକ ଜିତି ଇତିହାସ ରଚିଛନ୍ତି। ସେନ୍‌ଗଲର ଡାକାରରେ ଆୟୋଜିତ ଏହି ପ୍ରତିଯୋଗିତାରେ ତନ୍ବୀ ଫାଇନାଲ୍‌ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ଭାରତବାସୀଙ୍କ...

ଭୁବନେଶ୍ବର: ମାତ୍ର ୧୫ ବର୍ଷ ବୟସରେ ଓଡ଼ିଶାର ତନ୍ବୀ ପତ୍ରୀ ପ୍ରଥମ ଭାରତୀୟ ମହିଳା ଭାବେ ଯୁବ ଅଲିମ୍ପିକ୍ସରେ ବ୍ୟାଡ୍‌ମିଣ୍ଟନ ପଦକ ଜିତି ଇତିହାସ ରଚିଛନ୍ତି। ସେନ୍‌ଗଲର ଡାକାରରେ ଆୟୋଜିତ ଏହି ପ୍ରତିଯୋଗିତାରେ ତନ୍ବୀ ଫାଇନାଲ୍‌ରେ ହାରି ରୌପ୍ୟ ପଦକରେ ସନ୍ତୁଷ୍ଟ ରହିଥିଲେ ମଧ୍ୟ ଭାରତବାସୀଙ୍କ ହୃଦୟ ଜିଣିଛନ୍ତି। ପୂର୍ବରୁ କେବଳ ୨ ଜଣ ଭାରତୀୟ ପୁରୁଷ ବ୍ୟାଡ୍‌ମିଣ୍ଟନ ଖେଳାଳି ଏଚ୍‌ଏସ୍‌ ପ୍ରଣୟ (୨୦୧୦) ଓ ଲକ୍ଷ୍ୟ ସେନ୍‌ (୨୦୧୮) ଯୁବ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ।

ଏବେ ତନ୍ବୀ ଏମାନଙ୍କ କ୍ଲବ୍‌ରେ ସାମିଲ ହୋଇଛନ୍ତି। ଗୁରୁବାର ମଧ୍ୟ ରାତ୍ରିରେ ଖେଲାଯାଇଥିବା ଫାଇନାଲ୍‌ରେ କଡ଼ା ସଂଘର୍ଷ କରି ସେ ୧୫-୨୧, ୨୧-୧୩, ୨୪-୨୬ରେ ଚୀନ୍‌ର ଜିନ୍‌ ୟି ଝାଙ୍ଗ୍‌ଙ୍କଠୁ ପରାଜିତ ହୋଇଥିଲେ। ପ୍ରଥମ ଗେମ୍‌ ହାରିବା ପରେ ଚମତ୍କାର ପ୍ରତ୍ୟାବର୍ତ୍ତନ କରି ତନ୍ବୀ ୨୧-୧୩ରେ ଦ୍ବିତୀୟ ଗେମ୍‌ ଜିତି ସ୍ଥିତି ସମାନ କରିଥିଲେ। ନିର୍ଣ୍ଣାୟକ ‌ଗେମ୍‌ରେ ତନ୍ବୀ ସହଜରେ ବିଶ୍ବ କନିଷ୍ଠ ବିଜୟିନୀ ଝାଙ୍ଗ୍‌ଙ୍କୁ ବାଟ ଛାଡ଼ି ନଥିଲେ।

ପ୍ରତିଯୋଗିତାରେ ତୃତୀୟ ମାନ୍ୟତା ପାଇଥିଲେ
ଏହି ଗେମ୍‌ରେ ଏକଦା ୧୦-୧୯ରେ ପଛରେ ପଡ଼ିଥିବା ତନ୍ବୀ ଚମତ୍କାର ଖେଳି ୫ ମ୍ୟାଚ୍‌ ପଏଣ୍ଟ୍‌ ସେଭ୍‌ କରିବା ସହ ସ୍ଥିତି ୨୪-୨୪କୁ ଆଣିଥିଲେ। ହେଲେ ଝାଙ୍ଗ୍‌ ଶେଷ ଦୁଇ ପଏଣ୍ଟ୍‌ କରାୟତ୍ତ କରି ମ୍ୟାଚ୍‌କୁ ଜିତି ନେଇଥିଲେ। ଏହି ମ୍ୟାଚ୍‌ ୮୨ ମିନିଟ୍‌ ଧରି ଚାଲିଥିଲା। ପ୍ରକାଶ ପାଦୁକୋନ ବ୍ୟାଡ୍‌ମିଣ୍ଟନ ଏକାଡେମି (ପିପିବିଏ)ରେ ତାଲିମ ନେଉଥିବା ତନ୍ବୀ ଏହି ପ୍ରତିଯୋଗିତାରେ ତୃତୀୟ ମାନ୍ୟତା ପାଇଥିଲେ। ଗ୍ରୁପ୍‌ ପର୍ଯ୍ୟାୟରେ ଦୃଢ଼ ପ୍ରଦର୍ଶନ କରିବା ପରେ କ୍ବାର୍ଟରଫାଇନାଲ୍‌ରେ ସପ୍ତମ ମାନ୍ୟତାପ୍ରାପ୍ତ ଥାଇଲାଣ୍ଡର କାକାନିକ୍‌ କୁଙ୍ଗକାଇଉଙ୍କୁ ହରାଇ ପ୍ରଥମ ଭାରତୀୟ ମହିଳା ଭାବେ ସେମିଫାଇନାଲ୍‌ରେ ପହଞ୍ଚିଥିଲେ। ଏଠାରେ ସେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ଜାପାନର ୟୁଜୁନୋ ୱାତାନାବେଙ୍କୁ ହରାଇ ଫାଇନାଲ୍‌ ପହଞ୍ଚି ପୁଣି ଇତିହାସ ରଚିଥିଲେ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button