Judgement: ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ମନ୍ତବ୍ୟ ପାଇଁ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ମାମଲା; ଡିସେମ୍ବର ୧୪ରେ ପରବର୍ତ୍ତୀ ଶୁଣାଣି
ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଧାର୍ମିକ ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଆଗ୍ରାର ଏକ ଅଦାଲତରେ ଆପରାଧିକ ମାନହାନି ଅଭିଯୋଗ ଦାଏର ହୋଇଛି। ଓକିଲ ଅଜୟ ପ୍ରତାପ ସିଂହ ଏହି ଅଭିଯୋଗ ଆଣିଛନ୍ତି।

ଆଗ୍ରା: ଭଗବାନ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ ଧାର୍ମିକ ପ୍ରବଚକ ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବିରୋଧରେ ଆଗ୍ରାର ଏକ ଅଦାଲତରେ ଆପରାଧିକ ମାନହାନି ଅଭିଯୋଗ ଦାଏର ହୋଇଛି। ଓକିଲ ଅଜୟ ପ୍ରତାପ ସିଂହ ଏହି ଅଭିଯୋଗ ଆଣିଛନ୍ତି। ଶାସ୍ତ୍ରୀଙ୍କ ମନ୍ତବ୍ୟ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତଙ୍କ ଧାର୍ମିକ ଭାବନାକୁ ଆଘାତ ଦେବା ସହ ତାଙ୍କ ବଂଶଧରମାନଙ୍କ ସାମାଜିକ ସମ୍ମାନକୁ କ୍ଷୁଣ୍ଣ କରିଛି ବୋଲି ଅଭିଯୋଗରେ ଦର୍ଶାଯାଇଛି।
ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲା ଅନ୍ତର୍ଗତ କରେରାଠାରେ ଏକ ରାମକଥା କାର୍ଯ୍ୟକ୍ରମରେ ଶାସ୍ତ୍ରୀ ଭଗବାନ ରାମ ଓ ଶ୍ରୀକୃଷ୍ଣଙ୍କ ଶାରୀରିକ ଭଙ୍ଗୀ ତୁଳନା କରିଥିଲେ। ଅଭିଯୋଗ ଅନୁସାରେ ସେ କହିଥିଲେ, କୃଷ୍ଣଙ୍କ ଭକ୍ତମାନେ ହୁଏତ ଖରାପ ଭାବିପାରନ୍ତି, କିନ୍ତୁ କୃଷ୍ଣ ବହୁତ ବଙ୍କା। ସେ ଠିଆ ହେଲେ ମଧ୍ୟ ତିନିଟି ସ୍ଥାନରେ ବଙ୍କା ହୋଇଥାନ୍ତି, ଯାହାକୁ ତାଙ୍କର ତ୍ରିଭଙ୍ଗ ଠାଣି କୁହାଯାଏ। ଏହି ମନ୍ତବ୍ୟକୁ ନେଇ ଅଜୟ ପ୍ରତାପ ସିଂହ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଯୁକ୍ତି ଅନୁଯାୟୀ, ଦ୍ୱାପର ଯୁଗରେ ଭଗବାନ ଶ୍ରୀକୃଷ୍ଣ ମାନବ ରୂପରେ ଜନ୍ମ ନେଇଥିଲେ ଏବଂ ତାଙ୍କ ବଂଶଧରମାନେ ଏବେ ମଧ୍ୟ ଭାରତରେ ବସବାସ କରୁଛନ୍ତି। ଏହାର ସମର୍ଥନରେ ସେ ଯାଦବ, ଜାଡେଜା ଓ ଭାଟି ଭଳି ସମ୍ପ୍ରଦାୟର ଐତିହାସିକ ଉଲ୍ଲେଖ କରିଛନ୍ତି। ନିଜେ ମଧ୍ୟ ମାତୃପକ୍ଷରୁ ଶ୍ରୀକୃଷ୍ଣଙ୍କ ବଂଶଧର ବୋଲି ସେ ଦାବି କରିଛନ୍ତି।
ଏହି ଅଭିଯୋଗର ପ୍ରାଥମିକ ଶୁଣାଣି ସିଭିଲ୍ ଜଜ୍ କଞ୍ଚନ କୁମାରଙ୍କ ଅଦାଲତରେ ହୋଇଥିଲା। ଅଦାଲତ ମାମଲା ପଞ୍ଜୀକୃତ କରିବା ସହ ଆସନ୍ତା ଡିସେମ୍ବର ୧୪ ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏହି ମନ୍ତବ୍ୟକୁ ନେଇ ବିବାଦ ଦେଖାଦେବା ପରେ ଧୀରେନ୍ଦ୍ର ଶାସ୍ତ୍ରୀ ନଭେମ୍ବର ୩ ତାରିଖରେ କ୍ଷମା ପ୍ରାର୍ଥନା କରିଥିଲେ। ତାଙ୍କ କହିବା ଅନୁଯାୟୀ, ଏକ ଭକ୍ତିମୂଳକ ପଦର ବ୍ୟାଖ୍ୟା କରିବା ସମୟରେ ସେ ଏହି କଥା କହିଥିଲେ। ତାଙ୍କ ମନ୍ତବ୍ୟକୁ ଭୁଲ୍ ଭାବେ ବୁଝାଯାଇଛି ଏବଂ ଭଗବାନ ରାମ ଓ କୃଷ୍ଣଙ୍କ ମଧ୍ୟରେ ଭେଦ ସୃଷ୍ଟି କରିବା ତାଙ୍କ ଉଦ୍ଦେଶ୍ୟ ନଥିଲା। କାହାର ଭାବନା ଆଘାତ ପାଇଥିଲେ ସେଥିପାଇଁ ସେ କ୍ଷମା ମାଗିଥିଲେ।
ସୌଜନ୍ୟ ସମ୍ବାଦ




