Jharkhand: ଜେଏସ୍ଏସ୍ସି-ସିଜିଏଲ୍ ପରୀକ୍ଷା ବାତିଲ୍ ନିଷ୍ପତ୍ତି ରଦ୍ଦ କଲେ ଝାଡ଼ଖଣ୍ଡ ହାଇକୋର୍ଟ: ସରକାରଙ୍କ ପଦକ୍ଷେପକୁ ‘ଅନ୍ୟାୟ ଓ ଅଯୌକ୍ତିକ’ କହିଲେ ଅଦାଲତ
ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ୨୦୨୪ର ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି)ର ମିଳିତ ସ୍ନାତକସ୍ତରୀୟ (ସିଜିଏଲ୍) ପରୀକ୍ଷା ବାତିଲ୍ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଶୁକ୍ରବାର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି।

ରାଞ୍ଚି: ଝାଡ଼ଖଣ୍ଡର ହେମନ୍ତ ସୋରେନ୍ ସରକାର ୨୦୨୪ର ଝାଡ଼ଖଣ୍ଡ କର୍ମଚାରୀ ଚୟନ ଆୟୋଗ (ଜେଏସ୍ଏସ୍ସି)ର ମିଳିତ ସ୍ନାତକସ୍ତରୀୟ (ସିଜିଏଲ୍) ପରୀକ୍ଷା ବାତିଲ୍ କରିବା ପାଇଁ ନେଇଥିବା ନିଷ୍ପତ୍ତିକୁ ଶୁକ୍ରବାର ହାଇକୋର୍ଟ ରଦ୍ଦ କରିଦେଇଛନ୍ତି। ଏହି ନିଷ୍ପତ୍ତିକୁ ଅଦାଲତ ‘ଅନ୍ୟାୟ ଓ ଅଯୌକ୍ତିକ’ ବୋଲି ଦର୍ଶାଇଛନ୍ତି। ଏହାଦ୍ୱାରା ପରୀକ୍ଷାରେ ସଫଳ ହୋଇଥିବା ପ୍ରାର୍ଥୀମାନଙ୍କୁ ଆଶ୍ୱସ୍ତି ମିଳିଛି।
ବିଚାରପତି ଦୀପକ ରୋଶନ ବିଭିନ୍ନ ପ୍ରାର୍ଥୀଙ୍କ ପକ୍ଷରୁ ଦାଏର ଆବେଦନର ଶୁଣାଣି କରି ରାଜ୍ୟ ସରକାରଙ୍କ ବାତିଲ ଅଧିସୂଚନାକୁ ଖାରଜ କରିଛନ୍ତି। ଏହି ନିଯୁକ୍ତି ପ୍ରକ୍ରିୟାରେ ଚୟନ ହୋଇଥିବା ପ୍ରାର୍ଥୀଙ୍କ ନିଯୁକ୍ତି ପୁନର୍ବାହାଲ ହେବ ଏବଂ ସେମାନଙ୍କ ସେବାକୁ ନିରବଚ୍ଛିନ୍ନ ଭାବେ ଗଣନା କରାଯିବ ବୋଲି ଅଦାଲତ ସ୍ପଷ୍ଟ କରିଛନ୍ତି। ବାତିଲ ଅଧିସୂଚନା ଯୋଗୁଁ ସେମାନେ କୌଣସି ଆର୍ଥିକ କିମ୍ବା ଚାକିରି ସମ୍ବନ୍ଧୀୟ ସୁବିଧାରୁ ବଞ୍ଚିତ ହେବେ ନାହିଁ।
୨୦୨୪ରେ ହୋଇଥିବା ଏହି ପରୀକ୍ଷାକୁ ରାଜ୍ୟ ସରକାର ଚଳିତ ବର୍ଷ ଅଗଷ୍ଟ ୧୮ରେ ବାତିଲ୍ କରିଥିଲେ। ପ୍ରଶ୍ନପତ୍ର ଲିକ୍ ଓ ବ୍ୟାପକ ଅନିୟମିତତାର ଅଭିଯୋଗ ଏବଂ ଛାତ୍ର ଆନ୍ଦୋଳନ ପରେ ସରକାର ଏହି ପଦକ୍ଷେପ ନେଇଥିଲେ। ଏହା ବିରୋଧରେ ପରୀକ୍ଷାରେ ସଫଳ ହୋଇଥିବା ଆକାଶ ଗୌରବଙ୍କ ସମେତ ଅନ୍ୟ ପ୍ରାର୍ଥୀମାନେ ହାଇକୋର୍ଟରେ ଆବେଦନ କରିଥିଲେ। ସେମାନଙ୍କ ଯୁକ୍ତି ଥିଲା, କେତେକ ପ୍ରାର୍ଥୀଙ୍କ ବିରୋଧରେ ଅନିୟମିତତାର ଅଭିଯୋଗ ଥିବାରୁ ସମସ୍ତ ସଫଳ ପ୍ରାର୍ଥୀଙ୍କୁ ଦଣ୍ଡିତ କରିବା ଉଚିତ ନୁହେଁ। ଏହା ସହିତ ସରକାର ନିଷ୍ପତ୍ତି ନେବା ପୂର୍ବରୁ ସେମାନଙ୍କୁ ନିଜ ପକ୍ଷ ରଖିବାର ସୁଯୋଗ ଦେଇନଥିବା ଅଭିଯୋଗ କରିଥିଲେ।
ଅଦାଲତ କହିଛନ୍ତି ଯେ ତଦନ୍ତ ଅସମ୍ପୂର୍ଣ୍ଣ ଥିବାବେଳେ ସମଗ୍ର ନିଯୁକ୍ତି ପ୍ରକ୍ରିୟାକୁ ବାତିଲ କରିବା ଯଥାର୍ଥ ନୁହେଁ। କେତେକ ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ ରହିଛି ବୋଲି ସମସ୍ତଙ୍କ ନିଯୁକ୍ତି ବାତିଲ କରାଯାଇପାରିବ ନାହିଁ। ତଦନ୍ତ ଶେଷ ହେବା ପରେ ଅନିୟମିତତାରେ ସମ୍ପୃକ୍ତ ପ୍ରାର୍ଥୀଙ୍କୁ ଚିହ୍ନଟ କରି ସେମାନଙ୍କ ବିରୋଧରେ ପୃଥକ୍ ଭାବେ ପଦକ୍ଷେପ ନିଆଯାଇପାରିବ। ପ୍ରାୟ ୪୬୫ ଜଣ ସନ୍ଦିଗ୍ଧ ପ୍ରାର୍ଥୀଙ୍କୁ ତଦନ୍ତକାରୀ ସଂସ୍ଥା ଚିହ୍ନଟ କରି ନୋଟିସ୍ ଜାରି କରିଥିବା କଥା ମଧ୍ୟ ଅଦାଲତରେ ଉଠିଥିଲା। ତେବେ ପରୀକ୍ଷାରେ ଅନିୟମିତତା ସମ୍ପର୍କିତ ସିଆଇଡି ତଦନ୍ତ ଜାରି ରହିବ। ତଦନ୍ତରେ ଯେଉଁମାନେ ଦୋଷୀ ବୋଲି ପ୍ରମାଣିତ ହେବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇପାରିବ।
ସୌଜନ୍ୟ ସମ୍ବାଦ




