ରାଜ୍ୟ

Labour Commissioner: ୧୦୮ ଆମ୍ବୁଲାନ୍‌ସ ପରିଚାଳନା ସଂସ୍ଥାକୁ ଶ୍ରମ କମିସନରଙ୍କ ତାଗିଦ: ୧୫ ଦିନ ଭିତରେ ବିସ୍ତୃତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ନିର୍ଯାତନା ଓ ଶ୍ରମ ଆଇନର ଉଲ୍ଲଂଘନ ଅଭିଯୋଗକୁ ନେଇ ଓଡ଼ିଶା ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ହେଲଥ୍ ସର୍ଭିସେସ୍‌କୁ ଶ୍ରମ ଆଇନ...

ଭୁବନେଶ୍ବର: ରାଜ୍ୟରେ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀଙ୍କୁ ନିର୍ଯାତନା ଓ ଶ୍ରମ ଆଇନର ଉଲ୍ଲଂଘନ ଅଭିଯୋଗକୁ ନେଇ ଓଡ଼ିଶା ଶ୍ରମ କମିସନରଙ୍କ କାର୍ଯ୍ୟାଳୟ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି ହୋଇଛି। ପରିଚାଳନା ସଂସ୍ଥା ଏମ୍ରି ଗ୍ରିନ୍‌ ହେଲଥ୍ ସର୍ଭିସେସ୍‌କୁ ଶ୍ରମ ଆଇନ ଓ ଆରଏଫ୍‌ପିର ସମସ୍ତ ନିୟମାବଳୀ କଡ଼ାକଡ଼ି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ଆସନ୍ତା ୧୫ ଦିନ ମଧ୍ୟରେ ଏକ ବିସ୍ତୃତ ଅନୁପାଳନ ରିପୋର୍ଟ ଦାଖଲ କରିବେ। ନିୟମ ଉଲ୍ଲଂଘନ କଲେ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।

ଶ୍ରମ ଆଇନ ଓ ଆର୍‌ଏଫ୍‌ପି ନିୟମକୁ କଡ଼ାକଡ଼ି ଅନୁପାଳନ କର
୧୫ ଦିନ ଭିତରେ ବିସ୍ତୃତ ରିପୋର୍ଟ ଦାଖଲ ନିର୍ଦ୍ଦେଶ

ଶ୍ରମ କମିସନରଙ୍କ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି, ଆମ୍ବୁଲାନ୍‌ସ କର୍ମଚାରୀ ଦୈନିକ ୮ ଘଣ୍ଟାରୁ ଅଧିକ ସମୟ ଓ ପ୍ରାୟ ୧୨ ଘଣ୍ଟା ଧରି କ୍ରମାଗତ ଭାବେ କାମ କରୁଥିଲେ ହେଁ ସେମାନଙ୍କୁ କୌଣସି ଓଭରଟାଇମ୍‌ ପ୍ରାପ୍ୟ ଦିଆଯାଉ ନଥିବା ଅଭିଯୋଗ ହୋଇଛି। ଏପରିକି ଗାଡ଼ି ମରାମତି ସମୟରେ ଚାଳକ ଓ ମେଡିକାଲ ଟେକ୍ନିସିଆନଙ୍କୁ କାର୍ଯ୍ୟରୁ ବଞ୍ଚିତ କରି ସେମାନଙ୍କ ଦରମା କାଟି ଦିଆଯାଉଛି। ବୃତ୍ତିଗତ ସୁରକ୍ଷା, ସ୍ୱାସ୍ଥ୍ୟ ଓ କାର୍ଯ୍ୟକ୍ଷେତ୍ର ପରିସ୍ଥିତି କୋଡ୍, ୨୦୨୦ ର ଧାରା ୨୫ ଓ ୨୭ ଅନୁଯାୟୀ ଯଦି କର୍ମଚାରୀ ନିର୍ଦ୍ଧାରିତ ସମୟ ପରେ କାମ କରନ୍ତି, ତାହାଲେ ଦୁଇଗୁଣା ମଜୁରୀ ପ୍ରଦାନ କରିବା ବାଧ୍ୟତାମୂଳକ। କର୍ମଚାରୀଙ୍କ ଥକ୍କାପଣ ଯୋଗୁଁ ଅନେକ ସମୟରେ ଦୁର୍ଘଟଣା ଘଟୁଥିବାରୁ ଏହାକୁ ଗମ୍ଭୀରତାର ସହ ନିଆଯାଇଛି। ଏସବୁ ଉପରେ ପରିଚାଳନା ସଂସ୍ଥାକୁ ଗୁରୁତ୍ବ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଏହାସହ ଆରଏଫ୍‌ପି ନିୟମ ଅନୁଯାୟୀ ଚାଳକମାନଙ୍କୁ ମାସିକ ୫ହଜାର ଓ ଟେକ୍ନିସିଆନ୍‌ ଓ ହେଲପରଙ୍କୁ ୩ହଜାର ଟଙ୍କା ବାଧ୍ୟତାମୂଳକ ସ୍ବତନ୍ତ୍ର ଭତ୍ତା ମିଳିବା କଥା। କିନ୍ତୁ ପରିଚାଳନା କର୍ତ୍ତୃପକ୍ଷ କର୍ମଚାରୀଙ୍କ ଏହି ସ୍ବତନ୍ତ୍ର ଭତ୍ତାରୁ ନିଜ ଅଂଶର ଇପିଏଫ୍‌ ଓ ଇଏସଆଇ ଅର୍ଥ ବେଆଇନ ଭାବେ କାଟି ନେଉଥିବା ଅଭିଯୋଗ ହୋଇଛି। ସାମାଜିକ ସୁରକ୍ଷା କୋଡ୍, ୨୦୨୦ ଅନୁଯାୟୀ ଏହା ସମ୍ପୂର୍ଣ୍ଣ ବେଆଇନ। ତେଣୁ କଟାଯାଇଥିବା ଅର୍ଥ ତୁରନ୍ତ କର୍ମଚାରୀଙ୍କୁ ଫେରସ୍ତ କରିବାକୁ ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପୂର୍ବର ପରିଚାଳନା ସଂସ୍ଥାର ଅଭିଜ୍ଞ କର୍ମଚାରୀଙ୍କୁ ନିଯୁକ୍ତିରେ ଅଗ୍ରାଧିକାର ଦିଆଯାଇ ନଥିବା ଅଭିଯୋଗର ତଦନ୍ତ କରିବା ସହ ୭ହଜାରରୁ ଅଧିକ କର୍ମଚାରୀଙ୍କୁ ଆନୁଷ୍ଠାନିକ ନିଯୁକ୍ତି ପତ୍ର ପ୍ରଦାନ ଓ ପେ’ ରୋଲ୍‌ ସ୍ୱଚ୍ଛତା ବଜାୟ ରଖିବାକୁ କୁହାଯାଇଛି। ତେଣୁ କୌଣସି କର୍ମଚାରୀ ଯେପରି ଆଇନଗତ ପ୍ରାପ୍ୟରୁ ବଞ୍ଚିତ ନ ହେବେ ସେଥିପାଇଁ ଗୁରୁତ୍ବ ଦେବାକୁ ପରିଚାଳନା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଉଲ୍ଲେଖ ଯେ କିଛିଦିନ ତଳେ ଅନେକ ୧୦୮ ଆମ୍ବୁଲାନ୍‌ସ କର୍ମଚାରୀ କାର୍ଯ୍ୟ କ୍ଷେତ୍ରରେ ଶୋଷଣ କରାଯାଉଥିବା ନେଇ ଶ୍ରମ କମିସନରଙ୍କ ଦ୍ବାରସ୍ଥ ହୋଇଥିଲେ। ସେମାନଙ୍କ ପ୍ରୋତ୍ସାହନ ଭତ୍ତା ଓ ଇପିଏଫ୍‌ ମଧ୍ୟ କଟାଯାଉଥିବା ଅଭିଯୋଗ ଆଣିଥିଲେ। ପରିଚାଳନା ସଂସ୍ଥା ସହ ଏକାଧିକ ଥର ବୈଠକ ହୋଇଥିଲେ ହେଁ ଏହାର ସମାଧାନ ହୋଇପାରି ନ ଥିବା ଗଣମାଧ୍ୟମରେ କହିଥିଲେ। ପରବର୍ତ୍ତୀ ସମୟରେ ପରିଚାଳନା ସଂସ୍ଥା ପକ୍ଷରୁ ଏ ନେଇ ସଫେଇ ଦିଆଯାଇଥିଲା।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button