The Odisha High Court: ପୋଷ୍ୟ ସନ୍ତାନ ଗ୍ରହଣ ଦଲିଲ୍ ପଞ୍ଜୀକରଣ ନେଇ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ସବ୍-ରେଜିଷ୍ଟ୍ରାରଙ୍କ କ୍ଷମତା ସୀମିତ
ପୋଷ୍ୟ ସନ୍ତାନ ଗ୍ରହଣ ସ୍ୱୀକୃତି ଦଲିଲ୍ ବା ସ୍ବୀକାରପତ୍ର ପଞ୍ଜୀକରଣ ପ୍ରସଂଗରେ ହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଞ୍ଜୀକରଣ କର୍ତ୍ତୃପକ୍ଷ (ସବ୍-ରେଜିଷ୍ଟ୍ରାର) ପୋଷ୍ୟ ସନ୍ତାନ ଗ୍ରହଣର ବୈଧତା କିମ୍ବା ସତ୍ୟତା ଯାଞ୍ଚ କରିବା ପାଇଁ ଅଧିକୃତ ନୁହଁନ୍ତି।

କଟକ: ପୋଷ୍ୟ ସନ୍ତାନ ଗ୍ରହଣ ସ୍ୱୀକୃତି ଦଲିଲ୍ ବା ସ୍ବୀକାରପତ୍ର ପଞ୍ଜୀକରଣ ପ୍ରସଂଗରେହାଇକୋର୍ଟ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି। ପଞ୍ଜୀକରଣ କର୍ତ୍ତୃପକ୍ଷ (ସବ୍-ରେଜିଷ୍ଟ୍ରାର) ପୋଷ୍ୟ ସନ୍ତାନ ଗ୍ରହଣର ବୈଧତା କିମ୍ବା ସତ୍ୟତା ଯାଞ୍ଚ କରିବା ପାଇଁ ଅଧିକୃତ ନୁହଁନ୍ତି। ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କ କ୍ଷମତା କେବଳ ରେଜିଷ୍ଟ୍ରେସନ ଆଇନ, ୧୯୦୮ ଅନୁସାରେ ଦାୟିତ୍ବ ସଂପାଦନ କରିବା। ସେମାନେ ସିଭିଲ୍ କୋର୍ଟର କ୍ଷମତା ପରିସରଭୁକ୍ତ ଭୂମିକା ଗ୍ରହଣ କରି ପୋଷ୍ୟ ସନ୍ତାନ ଗ୍ରହଣ ବୈଧତା ବିଚାର କରିପାରିବେ ନାହିଁ ବୋଲି କହିଛନ୍ତି ହାଇକୋର୍ଟ। ଜଷ୍ଟିସ ଶଶିକାନ୍ତ ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ରାୟ ପ୍ରଦାନ କରିବା ସହିତ ବାଲେଶ୍ବର ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ (ଏଡିଏମ) ଓ ସିମୁଳିଆ ସବ୍-ରଜିଷ୍ଟ୍ରାରଙ୍କ ନିର୍ଦ୍ଦେଶକୁ ଖାରଜ କରିଛନ୍ତି। ଆବେଦନକାରୀଙ୍କ ଦ୍ୱାରା ଉପସ୍ଥାପିତ ”ପୋଷ୍ୟ ସନ୍ତାନ ଗ୍ରହଣ ସ୍ବୀକୃତି ଦଲିଲ”କୁ ଆବଶ୍ୟକୀୟ ଆଇନଗତ ସର୍ତ୍ତ ପୂର୍ଣ୍ଣ ପୂର୍ବକ ୩ ଦିନ ମଧ୍ୟରେ ପଞ୍ଜୀକରଣ କରିବାକୁ ସମ୍ପୃକ୍ତ ପଞ୍ଜୀକରଣ କର୍ତ୍ତୃପକ୍ଷଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। କେବଳ ଦଲିଲର ପଞ୍ଜୀକରଣ ଦ୍ୱାରା ପୋଷ୍ୟ ସନ୍ତାନ ଗ୍ରହଣର ବୈଧତା ଚୂଡ଼ାନ୍ତ ଭାବେ ପ୍ରମାଣିତ ହୁଏ ନାହିଁ। ଏଭଳି ପଞ୍ଜୀକରଣ ପୋଷ୍ୟ ସନ୍ତାନ ଗ୍ରହଣକୁ ନେଇ ବିବାଦ କରୁଥିବା କୌଣସି ବ୍ୟକ୍ତିଙ୍କର ସିଭିଲ କୋର୍ଟରେ ଏହାର ବୈଧତାକୁ ନେଇ ପ୍ରଶ୍ନ ଉଠାଇବାର ଅଧିକାରକୁ କ୍ଷୁଣ୍ଣ କରେ ନାହିଁ। ପଞ୍ଜୀକରଣ ପ୍ରକ୍ରିୟାକୁ ପୋଷ୍ୟ ସନ୍ତାନ ଗ୍ରହଣ ସମ୍ପର୍କିତ ବିବାଦୀୟ ପ୍ରଶ୍ନଗୁଡ଼ିକର ଟ୍ରାଏଲ ବା ବିଚାରପ୍ରକ୍ରିୟାରେ ପଞ୍ଜୀକରଣ କର୍ତ୍ତୃପକ୍ଷ ପରିଣତ କରି ପାରିବେ ନାହିଁ। ରେଜିଷ୍ଟ୍ରେସନ ଆଇନ, ୧୯୦୮ ଅନୁସାରେ ପଞ୍ଜୀକରଣ କର୍ତ୍ତୃପକ୍ଷ ନିଜ ଦାୟିତ୍ବ ନିର୍ବାହ କରିବେ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଏପ୍ରିଲ ୩୦ରେ ଖାରଜ ହୋଇଥିଲା
ମାମଲାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ସିମୁଳିଆର ଏକ ଦମ୍ପତି ୨୦୦୧, ମାର୍ଚ୍ଚ ୨୫ରେ ନିଜ ୯ ବର୍ଷିୟ ପୁଅକୁ ଆଉ ଏକ ଦମ୍ପତିଙ୍କୁ ପୋଷ୍ୟପୁତ୍ର ଭାବେ ଦେଇଥିଲେ। ସେତେବେଳେ କୌଣସି ପଞ୍ଜୀକୃତ ଦଲିଲ୍ ହୋଇ ନ ଥିବାରୁ ପରବର୍ତ୍ତୀ ସମୟରେ ୨୦୨୫, ସେପ୍ଟେମ୍ବର ୨୪ରେ ଏକ ”ପୋଷ୍ୟପୁତ୍ର ଗ୍ରହଣ ସ୍ୱୀକୃତି ଦଲିଲ” ପ୍ରସ୍ତୁତ କରାଯାଇ ସିମୁଳିଆ ସବ୍-ରେଜିଷ୍ଟ୍ରାରଙ୍କ ନିକଟରେ ପଞ୍ଜୀକରଣ ପାଇଁ ଦାଖଲ କରାଯାଇଥିଲା। ସବ୍-ରଜିଷ୍ଟ୍ରାର ୨୦୨୫, ସେପ୍ଟେମ୍ବର ୨୬ରେ ଏହି ଦଲିଲ ପଞ୍ଜୀକରଣକୁ ପ୍ରତ୍ୟାଖ୍ୟାନ କରିଥିଲେ। ବୟସ ସୀମା, ସ୍କୁଲ୍ ଏସଏଲସି ସାର୍ଟିଫିକେଟରେ ନାମ ଓ ଆଧାର କାର୍ଡ଼ରେ ସଂଶୋଧନ ପ୍ରସଂଗ ଆଧାରରେ ଦଲିଲ ପଞ୍ଜୀକରଣକୁ ଅନୁମତି ଦିଆଯାଇ ନଥିଲା। ଏହାକୁ ଚାଲେଞ୍ଜ କରି ଆବେଦନକାରୀ ବାଲେଶ୍ୱର ଏଡିଏମଙ୍କ ନିକଟରେ ଦାୟର କରିଥିବା ଅପିଲ୍ ୨୦୨୬, ଏପ୍ରିଲ ୩୦ରେ ଖାରଜ ହୋଇଥିଲା। ଏହାପରେ ଆବେଦନକାରୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।
ସୌଜନ୍ୟ ସମ୍ବାଦ




