Train: ସମୟରେ ଷ୍ଟେସନ ପହଞ୍ଚିଲେ ମଧ୍ୟ ଛାଡି ପଳାଇଲା ଟ୍ରେନ୍: ରେଳବାଇ ଓ ଆଇଆରସିଟିସିକୁ ୧୫,୬୨୦ ଟଙ୍କା ଜରିମାନା ଦେବାକୁ ନିର୍ଦ୍ଦେଶ
ଗ୍ରାହକ ବିବାଦ ନିବାରଣ ଆୟୋଗ ରେଳବାଇ ଏବଂ ଆଇଆର୍ସିଟିସି (IRCTC) କୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯାତ୍ରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ନୂଆଦିଲ୍ଲୀ: ଯାତ୍ରୀମାନେ ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚିବା ପରେ ମଧ୍ୟ ଯଦି ରେଳ ବିଭାଗର ତ୍ରୁଟି କାରଣରୁ ଟ୍ରେନ୍ ପଳାଇ ଯାଏ, ତେବେ ଏହା ସେବା କ୍ଷେତ୍ରରେ ବଡ଼ ଧରଣର ଅବହେଳା ବୋଲି ବିବେଚନା କରାଯିବ। ଏହିଭଳି ଏକ ମାମଲାରେ ଗ୍ରାହକ ବିବାଦ ନିବାରଣ ଆୟୋଗ ରେଳବାଇ ଏବଂ ଆଇଆର୍ସିଟିସି (IRCTC) କୁ କଡ଼ା ଆଭିମୁଖ୍ୟ ଗ୍ରହଣ କରି ଯାତ୍ରୀଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କ’ଣ ଥିଲା ପୂରା ଘଟଣା?
ଜଣେ ଯାତ୍ରୀ ନିଜ ପରିବାର ସହ ଯାତ୍ରା କରିବା ପାଇଁ ଟିକେଟ୍ ବୁକ୍ କରିଥିଲେ। ଯାତ୍ରୀଜଣକ ନିର୍ଦ୍ଧାରିତ ସମୟ ପୂର୍ବରୁ ପରିବାର ସହ ରେଳଷ୍ଟେସନରେ ପହଞ୍ଚିଥିଲେ ମଧ୍ୟ ଜାଣିବାକୁ ପାଇଥିଲେ ଯେ ଟ୍ରେନଟି ତା’ର ପୂର୍ବ ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଦୁଇ ଘଣ୍ଟା ପୂର୍ବରୁ ହିଁ ଷ୍ଟେସନରୁ ପଳାଇ ଯାଇଛି। ଟ୍ରେନ୍ର ସମୟ ପରିବର୍ତ୍ତନ ହୋଇଥିବା ନେଇ ଯାତ୍ରୀଙ୍କୁ କୌଣସି ପ୍ରକାରେ ପୂର୍ବରୁ ସୂଚନା ଦିଆଯାଇ ନଥିଲା। ଫଳରେ ପରିବାରବର୍ଗ ଟ୍ରେନ୍ ଧରିବାରୁ ବଞ୍ଚିତ ହୋଇଥିଲେ ଏବଂ ଗନ୍ତବ୍ୟସ୍ଥଳକୁ ପହଞ୍ଚିବା ପାଇଁ ଅନ୍ୟ ବିକଳ୍ପ ବ୍ୟବସ୍ଥା କରିବାକୁ ବାଧ୍ୟ ହୋଇଥିଲେ। ଏହି ଅସୁବିଧା ଓ ମାନସିକ ଯନ୍ତ୍ରଣାର ଶିକାର ହୋଇ ଯାତ୍ରୀଜଣକ ଗ୍ରାହକ ଅଦାଲତର ଦ୍ୱାରସ୍ଥ ହୋଇଥିଲେ।
ଆୟୋଗଙ୍କ କଡ଼ା ନିର୍ଦ୍ଦେଶ
ମାମଲାର ବିଚାର କରି ଗ୍ରାହକ ବିବାଦ ନିବାରଣ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ, ଟ୍ରେନ୍ ସମୟରେ ପରିବର୍ତ୍ତନ ହେଲେ ସେ ସମ୍ପର୍କିତ ସଠିକ୍ ଓ ସମୟୋଚିତ ସୂଚନା ଯାତ୍ରୀଙ୍କ ନିକଟରେ ପହଞ୍ଚାଇବା ରେଳବାଇ ଏବଂ ସମ୍ପୃକ୍ତ ସେବା ପ୍ରଦାନକାରୀଙ୍କ ଦାୟିତ୍ୱ। କେବଳ ୱେବସାଇଟ୍ କିମ୍ବା ନୋଟିସ୍ ବୋର୍ଡରେ ଦେଖିବାକୁ କହି ରେଳ ପ୍ରଶାସନ ନିଜ ଦାୟିତ୍ୱରୁ ଖସିପାରିବ ନାହିଁ। ଆୟୋଗ ରେଳବାଇ ଏବଂ ଆଇଆରସିଟିସିକୁ ଦୋଷୀ ସାବ୍ୟସ୍ତ କରି ମୋଟ ୧୫,୬୨୦ ଟଙ୍କା ପୈଠ କରିବାକୁ ଆଦେଶ ଦେଇଛନ୍ତି |
ସୌଜନ୍ୟ ସମ୍ବାଦ




