ଖେଳ

ନ୍ୟୁଜିଲାଣ୍ଡ ପାଇଁ ଖୁସିଖବାର: ଶେଷ ୨ ଦିନିକିଆରୁ ବାଦ୍‌ ପଡ଼ିଲେ ଅଧିନାୟକ ଗିଲଙ୍କ ସମେତ ୩ ଖେଳାଳି, ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୧୦।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ୫ ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ମ୍ୟାଚ ବର୍ଷା ଯୋଗୁ ବାତିଲ ହୋଇଯାଇଛି। ମଙ୍ଗଳବାର (୧୦ ନଭେମ୍ବର) ହାମିଲଟନରେ ଖେଳାଯିବାକୁ ଥିବା ଏହି ମ୍ୟାଚରେ ଟସ୍‌ ହୋଇଥିଲେ ମଧ୍ୟ ଲଗାତାର ବର୍ଷା କାରଣରୁ ଗୋଟିଏ ବି ବଲ ଖେଳାଯାଇପାରି ନଥିଲା। ଶେଷରେ ଅମ୍ପାୟାରମାନେ ମ୍ୟାଚକୁ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିସହ ପ୍ରଥମ ଦୁଇଟି ଦିନିକିଆ ଜିତିଥିବା ଟିମ ଇଣ୍ଡିଆ ସିରିଜରେ ୨-୦ରେ ଆଗୁଆ ରହିଛି।

ତୃତୀୟ ଦିନିକିଆ ବର୍ଷା ଯୋଗୁ ବାତିଲ ହେବା ପରେ ଏବେ ଉଭୟ ଦଳର ନଜର ମାଉଣ୍ଟ ମାଉଙ୍ଗାନୁଇରେ ଖେଳାଯିବାକୁ ଥିବା ସିରିଜର ଶେଷ ଦୁଇଟି ମ୍ୟାଚ ଉପରେ ରହିଛି। ତେବେ ଏହି ଦୁଇଟି ମ୍ୟାଚରେ ଅଧିନାୟକ ଶୁଭମନ ଗିଲ ଖେଳୁଥିବା ନଜର ଆସିବେ ନାହିଁ। ତାଙ୍କ ସହ ଆଉ ଦୁଇ ଜଣ ଖେଳାଳି ମଧ୍ୟ ଶେଷ ଦୁଇଟି ଦିନିକିଆରେ ଟିମ ଇଣ୍ଡିଆର ଅଂଶ ହେବେ ନାହିଁ। ତେବେ ଏହା ପଛର କାରଣ କ’ଣ, ଆସନ୍ତୁ ଜାଣିବା।

ନ୍ୟୁଜିଲାଣ୍ଡ ବିପକ୍ଷ ଶେଷ ଦୁଇଟି ଦିନିକିଆରେ ପରିବର୍ତ୍ତିତ ଦଳ ସହ ପଡ଼ିଆକୁ ଓହ୍ଲାଇବ ଭାରତୀୟ ଟିମ। ବିସିସିଆଇ ପୂର୍ବରୁ ହିଁ ସିରିଜର ପ୍ରଥମ ତିନିଟି ଏବଂ ଶେଷ ଦୁଇଟି ଦିନିକିଆ ପାଇଁ ଅଲଗା ଅଲଗା ଦଳ ଘୋଷଣା କରିଥିଲା। ଅଧିନାୟକ ଶୁଭମନ ଗିଲଙ୍କ ସମେତ ୩ ଜଣ ଖେଳାଳିଙ୍କୁ ଶେଷ ଦୁଇଟି ମ୍ୟାଚ ପାଇଁ ଦଳରେ ସ୍ଥାନ ମିଳିନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ତିନିଟି ଦିନିକିଆରେ ଶୁଭମନ ଗିଲ ଭାରତୀୟ ଦଳର ନେତୃତ୍ୱ ନେଉଥିଲେ। କିନ୍ତୁ ସିରିଜର ଅବଶିଷ୍ଟ ଦୁଇଟି ମ୍ୟାଚରେ ସେ ଖେଳିବେ ନାହିଁ। ତାଙ୍କ ସ୍ଥାନରେ ଶେଷ ଦୁଇଟି ମ୍ୟାଚ ପାଇଁ ଶ୍ରେୟସ ଆୟରଙ୍କୁ ଟିମ ଇଣ୍ଡିଆର ଅଧିନାୟକ ଦାୟିତ୍ୱ ଦିଆଯାଇଛି।

ପ୍ରକୃତରେ, ନଭେମ୍ବର ୧୯ରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତକୁ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡ଼ିବ। ତେଣୁ ଟେଷ୍ଟ ସିରିଜ ପାଇଁ ପ୍ରସ୍ତୁତି ଏବଂ ଖେଳାଳିଙ୍କ କାର୍ଯ୍ୟଭାରକୁ ଧ୍ୟାନରେ ରଖି ଦଳରେ ଏହି ପରିବର୍ତ୍ତନ କରାଯାଇଛି। ଶୁଭମନଙ୍କ ବ୍ୟତୀତ କେଏଲ ରାହୁଲ ଓ ଅଂଶୁଲ କାମ୍ବୋଜ ମଧ୍ୟ ଶେଷ ଦୁଇଟି ଦିନିକିଆରେ ଖେଳିବେ ନାହିଁ। ଗିଲ, ରାହୁଲ ଓ କାମ୍ବୋଜଙ୍କୁ କେବଳ ପ୍ରଥମ ତିନିଟି ଦିନିକିଆ ପାଇଁ ଦଳରେ ସାମିଲ କରାଯାଇଥିଲା। ଏବେ ଟେଷ୍ଟ ସିରିଜ ପ୍ରସ୍ତୁତି ପାଇଁ ଏହି ତିନି ଖେଳାଳି ଭାରତୀୟ ଟେଷ୍ଟ ଦଳ ସହ ଯୋଗ ଦେବେ।

ଅନ୍ୟପକ୍ଷରେ, ଏହି ତିନି ଖେଳାଳିଙ୍କ ସ୍ଥାନରେ ତିଳକ ବର୍ମା, କୁମାର କୁଶାଗ୍ର ଓ ଯଶ ଠାକୁର ଶେଷ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳରେ ସାମିଲ ହେବେ। ସୂଚନାଯୋଗ୍ୟ, ଦ୍ରୁତ ବୋଲର ପ୍ରସିଦ୍ଧ କୃଷ୍ଣା ମଧ୍ୟ ପ୍ରଥମ ତିନିଟି ଦିନିକିଆ ପାଇଁ ଟିମ ଇଣ୍ଡିଆର ଅଂଶ ଥିଲେ। କିନ୍ତୁ ଆଘାତ କାରଣରୁ ସେ ପୂର୍ବରୁ ହିଁ ସମ୍ପୂର୍ଣ୍ଣ ଦିନିକିଆ ସିରିଜରୁ ବାଦ୍‌ ପଡ଼ିଛନ୍ତି।

 

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button