ଦେଶ ବିଦେଶ

Protest: ଦରଦାମ୍ ବୃଦ୍ଧି ନେଇ ତାତିଲେ ଲୋକେ: ସ୍ପେନରେ ୪୦ ଲକ୍ଷ କର୍ମଚାରୀଙ୍କ ଧର୍ମଘଟ

ସ୍ପେନରେ ମହଙ୍ଗା ଘର, ବର୍ଦ୍ଧିତ ଭଡା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ବିରୋଧରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ୪୦ ଲକ୍ଷ ସରକାରୀ କର୍ମଚାରୀ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ବାର୍ସିଲୋନାରେ ପ୍ରତିବାଦକାରୀମାନେ ରାସ୍ତାରେ ନିଆଁ ଲଗାଇ ଅବରୋଧ...

ମାଦ୍ରିଦ:ସ୍ପେନରେ ମହଙ୍ଗା ଘର, ବର୍ଦ୍ଧିତ ଭଡା ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ବୃଦ୍ଧି ବିରୋଧରେ ପ୍ରତିବାଦ ହିଂସାତ୍ମକ ରୂପ ନେଇଛି। ୪୦ ଲକ୍ଷ ସରକାରୀ କର୍ମଚାରୀ ସରକାରଙ୍କ ନୀତି ବିରୋଧରେ ରାସ୍ତାକୁ ଓହ୍ଲାଇଛନ୍ତି। ବାର୍ସିଲୋନାରେ ପ୍ରତିବାଦକାରୀମାନେ ରାସ୍ତାରେ ନିଆଁ ଲଗାଇ ଅବରୋଧ କରିବା ସହ ବହୁ ଦୋକାନରେ ଭଙ୍ଗାରୁଜା କରିଛନ୍ତି। ପୁଲିସ ଏବଂ ପ୍ରଦର୍ଶନକାରୀଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ପରେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ ପକ୍ଷରୁ ବଳ ପ୍ରୟୋଗ କରାଯାଇଛି।

୧୪ ବର୍ଷ ମଧ୍ୟରେ ଦେଶର ପ୍ରଥମ ଦେଶବ୍ୟାପୀ ଧର୍ମଘଟ ସମୟରେ ଏହି ପ୍ରତିବାଦ ଘଟିଛି। ସ୍ପେନର ଦୁଇଟି ବୃହତ୍ତମ ଶ୍ରମିକ ସଂଗଠନ ୟୁଜିଟି ଏବଂ ସିସିଓଓ ଧର୍ମଘଟକୁ ସମର୍ଥନ କରିଛନ୍ତି। ୟୁନିଅନଗୁଡ଼ିକ ଅନୁଯାୟୀ, ୪୦ ଲକ୍ଷରୁ ଅଧିକ କର୍ମଚାରୀ କାମ ବନ୍ଦ କରିଛନ୍ତି। ମାଦ୍ରିଦ ଏବଂ ବାର୍ସିଲୋନା ସମେତ ଅନେକ ସହରରେ ବହୁ ସଂଖ୍ୟକ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି।

ପ୍ରଥମେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଥିଲା
ପ୍ରଥମେ ପ୍ରଦର୍ଶନ ଶାନ୍ତିପୂର୍ଣ୍ଣ ଥିଲା, କିନ୍ତୁ ମୁଖ୍ୟ ରାଲି ଶେଷ ହେବା ପରେ, କିଛି ମୁଖାପିନ୍ଧା ବ୍ୟକ୍ତି ହିଂସାକାଣ୍ଡ ଭିଆଇଥିଲେ। ସେମାନେ ଅଳିଆ ଡବା ଏବଂ ରାସ୍ତା ଉପରେ ରଖାଯାଇଥିବା ସାମଗ୍ରୀରେ ନିଆଁ ଲଗାଇ ଦେଇ ପୁଲିସ ଉପରକୁ ବାଣ ଫିଙ୍ଗିଥିଲେ। ବାର୍ସିଲୋନାର ମେୟର ଜାଇମ କୋଲବୋନି କହିଛନ୍ତି ଯେ, ହିଂସା ସମୟରେ ପ୍ରାୟ ୫୦ ଜଣଙ୍କୁ ଅଟକ ରଖାଯାଇଥିଲା ଏବଂ ୧୦ଟି ଦୋକାନ କ୍ଷତିଗ୍ରସ୍ତ ହୋଇଥିଲା। ନିଆଁ ଲିଭାଇବା ପାଇଁ ପ୍ରାୟ ୧୦୦ ଅଗ୍ନିଶମ କର୍ମଚାରୀଙ୍କୁ ନିୟୋଜିତ କରାଯାଇଥିଲା। ମାଦ୍ରିଦରେ ପୁଲିସ ପ୍ରଦର୍ଶନକାରୀଙ୍କୁ ଘଉଡ଼ାଇବା ପାଇଁ ଲୁହ ବୁହା ଗ୍ୟାସ, ଲଙ୍କା ସ୍ପ୍ରେ ଏବଂ ଫୋମ୍ ବଲ୍ ମଧ୍ୟ ବ୍ୟବହାର କରିଥିଲା। ସାରା ଦେଶରେ ଧର୍ମଘଟ ସମ୍ବନ୍ଧୀୟ ଘଟଣାରେ ରାତି ସୁଦ୍ଧା ୭୩ ଜଣଙ୍କୁ ଗିରଫ କରାଯାଇଥିଲା।

ସାଢ଼େ ୭ ଲକ୍ଷ ଘରର ଅଭାବ
ସ୍ପେନର ଲୋକମାନେ ଘର ଅଭାବ ଏବଂ ବର୍ଦ୍ଧିତ ଭଡାକୁ ନେଇ ଚିନ୍ତିତ ରହିଛନ୍ତି। ଦେଶରେ ପ୍ରାୟ ସାଢ଼େ ୭ ଲକ୍ଷ ଘରର ଅଭାବ ରହିଛି। ଆକଳନ କରାଯାଉଛି ୨୦୨୮ ସୁଦ୍ଧା ଏହି ଅଭାବ ୧୦ ଲକ୍ଷରୁ ଅତିକ୍ରମ କରିପାରେ। ସ୍ପେନରେ ଘର ପାଇଁ ହାରାହାରି ମାସିକ ଭଡା ୧,୧୭୬ ୟୁରୋ ରହିଛି ଯାହାର ମୂଲ୍ୟ ଭାରତୀୟ ମୁଦ୍ରାରେ ଲକ୍ଷେ ୨୦ ହଜାରରୁ ଅଧିକ ହେବ। ଏହା ଯୁବପିଢ଼ିଙ୍କ ହାରାହାରି ମାସିକ ଆୟର ପ୍ରାୟ ୯୮.୭ ପ୍ରତିଶତ ରହିଛି। ଏହାର ଅର୍ଥ ହେଉଛି ଯେ, ସେମାନଙ୍କର ପ୍ରାୟ ସମସ୍ତ ଆୟ ଭଡାରେ ଖର୍ଚ୍ଚ ହେଉଛି। ଏହି ପ୍ରତିବାଦ ନଭେମ୍ବର ୨୯ ତାରିଖରେ ହୋବକୁ ଥିବା ସାଧାରଣ ନିର୍ବାଚନର ତିନି ସପ୍ତାହ ପୂର୍ବରୁ ଆସିଛି। ତେଣୁ ମୁଦ୍ରାସ୍ଫୀତି ଏବଂ ଘର ଅଭାବ ନିର୍ବାଚନରେ ​​ପ୍ରମୁଖ ପ୍ରସଙ୍ଗ ହୋଇପାରେ ବୋଲି ଅନୁମାନ କରାଯାଉଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button