ନିକ୍ଷେପକ ଯନ୍ତ୍ରରେ ସର୍ବାଧିକ ଉଚ୍ଚତା
ଦୁନିଆର ସବୁଠୁ ବଡ଼ ‘ହ୍ୟୁମାନ୍ କାଟାପଲ୍ଟ’ ବା ମାନବ ନିକ୍ଷେପକ ଯନ୍ତ୍ର ଦ୍ବାରା ଦୁଇଜଣ ସ୍କାଏଡାଇଭର୍ ୧୦୦ ମିଟରରୁ ଅଧିକ ଉପରକୁ ଯାଇ ଗିନିଜ୍ ୱାର୍ଲଡ୍ ରେକର୍ଡ ସ୍ଥାପନ କରିଛନ୍ତି।

ଦୁନିଆର ସବୁଠୁ ବଡ଼ ‘ହ୍ୟୁମାନ୍ କାଟାପଲ୍ଟ’ ବା ମାନବ ନିକ୍ଷେପକ ଯନ୍ତ୍ର ଦ୍ବାରା ଦୁଇଜଣ ସ୍କାଏଡାଇଭର୍ ୧୦୦ ମିଟରରୁ ଅଧିକ ଉପରକୁ ଯାଇ ଗିନିଜ୍ ୱାର୍ଲଡ୍ ରେକର୍ଡ ସ୍ଥାପନ କରିଛନ୍ତି। ଗତ ୫ ତାରିଖ ଦିନ ସ୍ଲୋଭେନିଆର ତ୍ରିବୋଭ୍ଲିୟଠାରେ ଆୟୋଜିତ ଷ୍ଟଣ୍ଟ୍ ପ୍ରତିଯୋଗିତାରେ ଏହି ରେକର୍ଡ ସୃଷ୍ଟି ହୋଇଥିଲା। ଏଥିରେ ଭାଗ ନେଇଥିଲେ ୩୫ ବର୍ଷୀୟ ସ୍ପେନୀୟ ୱିଙ୍ଗ୍ସୁଟ୍ ଫ୍ଲାୟର୍ ଡାନି ରୋମାନ୍ ଏବଂ ୪୭ ବର୍ଷୀୟ ଫରାସୀ ସ୍କାଏଡାଇଭର୍ ଫ୍ରେଡ୍ ଫ୍ୟୁଜନ୍।
୩୬୦ ମିଟର ଉଚ୍ଚ ଏକ ଚିମ୍ନି ଭିତରେ ଏହି ହ୍ୟୁମାନ୍ କାଟାପଲ୍ଟ ରଖାଯାଇଥିଲା। ୬୦ ମିଟର ଲମ୍ବା ଏହି ହ୍ୟୁମାନ୍ କାଟାପଲ୍ଟ ସେ ଦୁଇଜଣଙ୍କୁ ଘଣ୍ଟାପ୍ରତି ୧୮୦ କିଲୋମିଟର୍ ବେଗରେ ମାତ୍ର ୨.୧୫ ସେକେଣ୍ଡ୍ରେ ଆକାଶର ଏହି ଉଚ୍ଚତାରେ ପହଞ୍ଚାଇଥିଲା। ଏହି ହ୍ୟୁମାନ୍ କାଟାପଲ୍ଟରେ ପ୍ରଥମେ ଆକାଶକୁ ଉତ୍କ୍ଷେପିତ ହୋଇଥିଲେ ଡାନି। ଉତ୍କ୍ଷେପଣ ସ୍ଥାନରୁ ସେ ୧୦୦.୩୬ ମିଟର ଉଚ୍ଚକୁ ଉଠିଥିଲେ। ହ୍ୟୁମାନ୍ କାଟାପଲ୍ଟରେ ଏକାକୀ ଏତେ ଉଚ୍ଚକୁ ଉଠି ସେ ବିଶ୍ବ ରେକର୍ଡ କରିଛନ୍ତି।
ତା’ପରେ ଦୁହେଁ ମିଳିତ ଭାବେ ଏହି ହ୍ୟୁମାନ୍ କାଟାପଲ୍ଟରେ ଆକାଶକୁ ଉତ୍କ୍ଷେପିତ ହୋଇଥିଲେ। ଏଥିରେ ରୋମାନ୍ ୭୫.୯୭ ମିଟର ଉଚ୍ଚକୁ ଉଠିଥିବାବେଳେ ଫ୍ୟୁଜନ୍ ୭୫.୭୫ ମିଟର ଉଚ୍ଚକୁ ଉଠିଥିଲେ। ଦୁହେଁ ଉଠିଥିବା ଉଚ୍ଚତା ମିଶି ହୋଇଥିଲା ୧୫୧.୭୨ ମିଟର। ଏହା ମଧ୍ୟ ସେମାନଙ୍କୁ ଆଉ ଏକ ରେକର୍ଡ ହାସଲ କରାଇଛି। ଏହି କାଟାପଲ୍ଟ ତିଆରି କରିଥିଲେ ସ୍ଲୋଭେନୀୟ ଇଞ୍ଜିନିୟରିଙ୍ଗ୍ ଏବଂ ଷ୍ଟଣ୍ଟ୍ ଟିମ୍ ‘ଡି ଡି ସ୍କ୍ବାଡ୍’। ଏହା ତିଆରି କରିବାକୁ ପ୍ରାୟ ଅଢ଼େଇ ବର୍ଷ ଲାଗିଥିଲା।
ସୌଜନ୍ୟ ସମ୍ବାଦ




