Iran dirty bomb plot: ୱାସିଂଟନରେ ‘ଡାର୍ଟି ବମ୍’ ଆକ୍ରମଣ ଯୋଜନା କରୁଛି ଇରାନ!
ଆମେରିକାର ରାଜଧାନୀ ୱାସିଂଟନରେ ତେଜସ୍କ୍ରିୟ ‘ଡାର୍ଟି ବମ୍’ ବା ବିଷାକ୍ତ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ ପାଇଁ ଇରାନ ଯୋଜନା କରୁଥିବା ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ପାଇଛନ୍ତି। ଏହି ଆକ୍ରମଣର ଲକ୍ଷ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର...

ୱାସିଂଟନ: ଆମେରିକାର ରାଜଧାନୀ ୱାସିଂଟନରେ ତେଜସ୍କ୍ରିୟ ‘ଡାର୍ଟି ବମ୍’ ବା ବିଷାକ୍ତ ରାସାୟନିକ ଅସ୍ତ୍ର ଦ୍ୱାରା ଆକ୍ରମଣ ପାଇଁ ଇରାନ ଯୋଜନା କରୁଥିବା ଆମେରିକାର ଗୁଇନ୍ଦା ସଂସ୍ଥାଗୁଡ଼ିକ ସୂଚନା ପାଇଛନ୍ତି। ଏହି ଆକ୍ରମଣର ଲକ୍ଷ୍ୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନର ବରିଷ୍ଠ ଅଧିକାରୀମାନେ ରହିଥିବା କୁହାଯାଇଛି। ସିଏନ୍ଏନ୍ର ଏକ ରିପୋର୍ଟରେ ସାତଜଣ ଆମେରିକୀୟ ଅଧିକାରୀଙ୍କ ସୂଚନା ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି। ତେବେ ଏହା ତୁରନ୍ତ ଆକ୍ରମଣର ସଙ୍କେତ ନୁହେଁ, ବରଂ ଭବିଷ୍ୟତରେ ଆକ୍ରମଣ ପାଇଁ ଇରାନ ଏଭଳି ଯୋଜନା ପ୍ରସ୍ତୁତ କରୁଥିବା ଆମେରିକୀୟ ଅଧିକାରୀମାନେ କହିଛନ୍ତି।
ଗୁଇନ୍ଦା ତଥ୍ୟ ଅନୁଯାୟୀ, ଆକ୍ରମଣ ପାଇଁ କେତେକ ନିର୍ଦ୍ଦିଷ୍ଟ ସ୍ଥାନ ଓ ଲକ୍ଷ୍ୟ ଚିହ୍ନଟ କରାଯାଇଛି। ଏହାକୁ ନେଇ ଗତ ସପ୍ତାହରେ ଆମେରିକାର ବରିଷ୍ଠ ଅଧିକାରୀମାନେ ଏକାଧିକ ବୈଠକ କରିଥିବା ଜଣାପଡ଼ିଛି। ତେବେ ଏଭଳି ଆକ୍ରମଣ କରିବା ପାଇଁ ଇରାନ ପାଖରେ ଆବଶ୍ୟକ ଲୋକବଳ ଓ କ୍ଷମତା ରହିଛି କି ନାହିଁ, ତାହାକୁ ନେଇ ଆମେରିକାର ଅଧିକାରୀମାନଙ୍କ ମଧ୍ୟରେ ମତଭେଦ ରହିଛି। ହ୍ୱାଇଟ୍ ହାଉସ୍ର ମୁଖପାତ୍ର ଲରେନ୍ ବିସ୍ କହିଛନ୍ତି, ଆମେରିକା ସମସ୍ତ ସମ୍ଭାବ୍ୟ ବିପଦ ଉପରେ ନଜର ରଖିଛି। କିନ୍ତୁ ବର୍ତ୍ତମାନ ଦେଶ ଭିତରେ କୌଣସି ତତ୍କାଳ ବିପଦ ନାହିଁ। ଅନ୍ୟପକ୍ଷରେ, ଇରାନ ଆମେରିକା ଭିତରେ ବିସ୍ଫୋରଣ ପାଇଁ ଆବଶ୍ୟକ ସାମଗ୍ରୀ ଲୁଚାଇ ରଖିଥିବା ସମ୍ପର୍କରେ କେତେକ ଗୁଇନ୍ଦା ସୂଚନା ମିଳିଥିବା କୁହାଯାଇଛି। ଏହି ସୂଚନାର ବିଶ୍ୱସନୀୟତାକୁ ନେଇ ମଧ୍ୟ ଅଧିକାରୀମାନେ ଏକମତ ନୁହନ୍ତି।
ଏହି ଖବର ମଧ୍ୟରେ ଆମେରିକାର ଅର୍ଥମନ୍ତ୍ରୀ ସ୍କଟ୍ ବେସେଣ୍ଟଙ୍କୁ ସୁରକ୍ଷା କାରଣରୁ ତାଙ୍କ ୱାସିଂଟନସ୍ଥିତ ବାସଭବନରୁ ଏକ ସାମରିକ ଘାଟିକୁ ସ୍ଥାନାନ୍ତର କରାଯାଇଥିବା ରିପୋର୍ଟ ପ୍ରକାଶ ପାଇଛି। ପୂର୍ବରୁ ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଓ ପ୍ରତିରକ୍ଷା ମୁଖ୍ୟ ପିଟ୍ ହେଗ୍ସେଥ୍ ମଧ୍ୟ ସୁରକ୍ଷା କାରଣରୁ ସାମରିକ ଆବାସକୁ ଚାଲିଯାଇଥିବା ଖବର ଆସିଥିଲା। ଏହି ଅଧିକାରୀମାନଙ୍କୁ ହତ୍ୟା କରିବା ପାଇଁ ଇରାନ ପକ୍ଷରୁ ଧମକ ଥିବା ଆମେରିକାର ସୁରକ୍ଷା ସଂସ୍ଥାଗୁଡ଼ିକ ଆଶଙ୍କା କରୁଛନ୍ତି।
ଡାର୍ଟି ବମ୍ ହେଉଛି ଏକ ପାରମ୍ପରିକ ବିସ୍ଫୋରକ ଯନ୍ତ୍ର, ଯେଉଁଥିରେ ତେଜସ୍କ୍ରିୟ ପଦାର୍ଥ ମିଶାଯାଇ ବିସ୍ଫୋରଣ ଦ୍ୱାରା ଏହାକୁ ଚାରିଆଡ଼େ ବିଛାଇ ଦିଆଯାଏ। ଏହା ପରମାଣୁ ବୋମା ଭଳି ନୁହେଁ। ଏଥିରେ ପରମାଣୁ ବିଭାଜନ ପ୍ରକ୍ରିୟା ହୁଏନାହିଁ। ବିସ୍ଫୋରଣ ଅପେକ୍ଷା ବିକିରଣଯୁକ୍ତ ପଦାର୍ଥର ପ୍ରସାର ଏହାର ମୁଖ୍ୟ ବିପଦ। ଏହାଦ୍ୱାରା ଅଞ୍ଚଳରେ ବିକିରଣ ପ୍ରଦୂଷଣ ସୃଷ୍ଟି ହୋଇପାରେ ଏବଂ ଲୋକଙ୍କ ସ୍ୱାସ୍ଥ୍ୟ ଓ ପରିବେଶ ଉପରେ ଦୀର୍ଘକାଳୀନ ପ୍ରଭାବ ପଡ଼ିପାରେ। ଅନ୍ୟପକ୍ଷରେ, ଜାତିସଂଘରେ ଇରାନ ରାସାୟନିକ ଅସ୍ତ୍ର ବ୍ୟବହାର ସମ୍ପର୍କିତ ଅଭିଯୋଗକୁ ମିଥ୍ୟା ଓ ମନଗଢ଼ା ବୋଲି ଖଣ୍ଡନ କରିଛି। ରାସାୟନିକ ଅସ୍ତ୍ର ବ୍ୟବହାରକୁ ଇରାନ ସବୁ ପରିସ୍ଥିତିରେ ବେଆଇନ ଓ ଅଗ୍ରହଣୀୟ ବୋଲି ବିବେଚନା କରେ ବୋଲି କହିଛି। ତେବେ ଡାର୍ଟି ବମ୍ ସମ୍ପର୍କିତ ନିର୍ଦ୍ଦିଷ୍ଟ ଗୁଇନ୍ଦା ଅଭିଯୋଗ ଉପରେ ଇରାନ ପକ୍ଷରୁ ସ୍ପଷ୍ଟ ମତ ଦିଆଯାଇନାହିଁ।
ସୌଜନ୍ୟ ସମ୍ବାଦ



