ଶ୍ରୀନଗର: ଜମ୍ମୁ କଶ୍ମୀରର କୁଲଗାମ ଜିଲ୍ଲାରେ ବୁଧବାର ସକାଳେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ସୁରକ୍ଷା ବାହିନୀର ଜଣେ ଅଧିକାରୀଙ୍କ ଅନୁଯାୟୀ ଜମ୍ମୁ କଶ୍ମୀର ପୁଲିସ ଏବଂ ସୁରକ୍ଷା ବାହିନୀର ଏକ ମିଳିତ ଦଳ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କୁ ଘେରି ରହିଛି।
କଶ୍ମୀର ଜୋନ୍ ପୁଲିସ ସୋସିଆଲ ମିଡିଆରେ ପୋଷ୍ଟ କରିଛି ଯେ କୁଲଗାମରେ ଆତଙ୍କବାଦୀ ଏବଂ ପୁଲିସ ଏବଂ ସୁରକ୍ଷା ବାହିନୀର ଏକ ମିଳିତ ଦଳ ମଧ୍ୟରେ
ଏନକାଉଣ୍ଟର ଜାରି ରହିଛି। ପୁଲିସ ସୋମବାର ଦିନ ଏକ ଏନକାଉଣ୍ଟରରେ ନିହତ ଆତଙ୍କବାଦୀ ଉମର ନିସାର ଡାରଙ୍କ ବିଷୟରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ସୂଚନା ସେୟାର କରିଛି।
ଜଣେ ଆତଙ୍କବାଦୀ ନିପାତ
ପୁଲିସ ତଦନ୍ତରୁ ଜଣାପଡିଛି ଯେ ଉମର ନିସାର ଡାର, ଲସ୍କର-ଏ-ତୈବା କମାଣ୍ଡର ଲତିଫ ଭଟ୍ଟଙ୍କ ସହ ମିଶି ନଭେମ୍ବର ୧୧ ତାରିଖରେ ସିଆରପିଏଫଖ ଯବାନଙ୍କ ଉପରେ ଆକ୍ରମଣ କରିବାକୁ ଷଡଯନ୍ତ୍ର କରିଥିଲା। ଜମ୍ମୁ କଶ୍ମୀର ପୁଲିସ ଦ୍ୱାରା ସେୟାର କରାଯାଇଥିବା ସିସିଟିଭି ଫୁଟେଜ ଅନୁଯାୟୀ ଆକ୍ରମଣର ଗୋଟିଏ ଦିନ ପୂର୍ବରୁ ନଭେମ୍ବର ୧୦ ତାରିଖରେ ଉମର ନିସାର ଡାର ଏବଂ ଲତିଫ ଭଟ୍ ସୁରକ୍ଷା ବାହିନୀକୁ ଟାର୍ଗେଟ କରିବା ପାଇଁ ମୀର ବାର, ଆଖରାନ, ହାବଲିଶ ଏବଂ କିଲାମ ସମେତ ଅନେକ ଅଞ୍ଚଳ ଯାଞ୍ଚ କରିଥିଲେ।
ଖସିଗଲେ ଆତଙ୍କବାଦୀ
ନଭେମ୍ବର ୧୦ ଏବଂ ୧୧ ତାରିଖର ଫୁଟେଜରେ ଦୁଇ ଆତଙ୍କବାଦୀ ସ୍ପଷ୍ଟ ଭାବରେ ଗୁଇନ୍ଦାଗିରି କରୁଥିବା ଏବଂ ତା’ପରେ ନଭେମ୍ବର ୧୧ ତାରିଖରେ ଆଖରାନରେ ଥିବା ସିଆରପିଏଫ୍ ଚେକ୍ପୋଷ୍ଟ ଉପରେ ଆକ୍ରମଣ କରି ଖସି ପଳାଇ ଯାଉଥିବାର ଦେଖାଯାଉଛି। ଉଲ୍ଲେଖନୀୟ ଯେ ନଭେମ୍ବର ୧୧ ତାରିଖରେ କୁଲଗାମରେ ବାଇକ୍ ଆରୋହୀ ଆକ୍ରମଣକାରୀଙ୍କ ଗୁଳିରେ ତିନି ଜଣ ସିଆରପିଏଫ୍ କର୍ମଚାରୀ ଆହତ ହୋଇଥିଲେ। ପୁଲିସ କହିବା ଅନୁସାରେ ଉମର ନିସାର ଡାର ନିଖୋଜ ହେବା ପରେ ତାଙ୍କ ପରିବାର କୁଲଗାମ ପୁଲିସ ଷ୍ଟେସନରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ତଦନ୍ତ ସମୟରେ ଏଜେନ୍ସିଗୁଡ଼ିକ ଜାଣିବାକୁ ପାଇଥିଲେ ଯେ ଉମର ଗତ ପାଞ୍ଚରୁ ଛଅ ମାସ ଧରି ଲସ୍କର କମାଣ୍ଡର ଲତିଫ ଭଟ୍ଟକୁ ଆଶ୍ରୟ ଏବଂ ସହାୟତା ଯୋଗାଇ ଆସୁଥିଲେ।
ସୌଜନ୍ୟ ସମ୍ବାଦ