ଦେଶ ବିଦେଶ

Bilkis leaves Gujarat: ଦୋଷୀଙ୍କୁ ଜାମିନ: ଗୁଜରାଟ ଛାଡ଼ିଲେ ବିଲ୍‌କିସ୍

୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ୍ ବାନୋ ନିଜ ପରିବାର ସହ ଗୁଜରାଟ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁପ୍ରିମ୍‌କୋର୍ଟ...

ଅହମଦାବାଦ: ୨୦୦୨ ଗୁଜରାଟ ଦଙ୍ଗା ସମୟରେ ଗଣଦୁଷ୍କର୍ମର ଶିକାର ହୋଇଥିବା ବିଲ୍‌କିସ୍ ବାନୋ ନିଜ ପରିବାର ସହ ଗୁଜରାଟ ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଏହି ମାମଲାରେ ଦୋଷୀ ସାବ୍ୟସ୍ତ ୧୧ ଜଣଙ୍କ ମଧ୍ୟରୁ ଦୁଇ ଜଣଙ୍କୁ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା ତାଙ୍କ ମାମୁ ଅବଦୁଲ ରଜାକ ମନ୍‌ସୁରୀ କହିଛନ୍ତି। ନଭେମ୍ବର ୨ କିମ୍ବା ୩ ତାରିଖରେ ପରିବାର ଗୁଜରାଟ ଛାଡ଼ିଥିବା ସେ ଗଣମାଧ୍ୟମକୁ କହିଛନ୍ତି। ମନ୍‌ସୁରୀ ଗୁଜରାଟର ଦାହୋଦ ଜିଲ୍ଲା ଅନ୍ତର୍ଗତ ଦେବଗଡ଼ ବାରିଆ ସହରରେ ରହନ୍ତି। ତାଙ୍କ କହିବା ଅନୁଯାୟୀ, ବିଲ୍‌କିସ୍ ପ୍ରାୟ ଦେଢ଼ବର୍ଷ ପୂର୍ବରୁ ଦେବଗଡ଼ ବାରିଆର କାପଡ଼ି ବିସ୍ତାର ଅଞ୍ଚଳ ଛାଡ଼ି ଗୁଜରାଟର ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲେ। ଏବେ ସେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ତେବେ ସେ କେଉଁଠାକୁ ଯାଇଛନ୍ତି, ସେ ସମ୍ପର୍କରେ ମନ୍‌ସୁରୀ ଅଧିକ ସୂଚନା ଦେଇନାହାନ୍ତି।

ସୁରକ୍ଷା ନେଇ ଭୟଭୀତ, ନ୍ୟାୟ ପାଇଁ ଲଢ଼େଇ ଜାରି ରଖିବେ

ଅକ୍ଟୋବର ୨୮ରେ ସୁପ୍ରିମ୍‌କୋର୍ଟର ବିଚାରପତି ଜଷ୍ଟିସ୍ ଏମ୍‌ଏମ୍ ସୁନ୍ଦରେଶ ଓ ଜଷ୍ଟିସ୍ ପିବି ବରାଲେଙ୍କ ଖଣ୍ଡପୀଠ ଦୁଇ ଦୋଷୀ ବିପିନଚନ୍ଦ କନାୟାଲାଲ ଯୋଶୀ ଓ ପ୍ରଦୀପ ରାମନଲାଲ ମୋଧିୟାଙ୍କ ଆଜୀବନ କାରାଦଣ୍ଡାଦେଶ ଉପରେ ରୋକ୍ ଲଗାଇବା ସହ ସେମାନଙ୍କୁ ଜାମିନ ଦେଇଥିଲେ। ୧୭ ବର୍ଷରୁ ଅଧିକ ସମୟ ଜେଲ୍‌ରେ ରହିବା ଏବଂ ସେମାନଙ୍କ ମଧ୍ୟରୁ ଜଣେ ଗୁରୁତର ଭାବେ ଦିବ୍ୟାଙ୍ଗ ଥିବା ଯୁକ୍ତିକୁ ବିଚାରକୁ ନେଇ ଏହି ନିଷ୍ପତ୍ତି ହୋଇଥିଲା। ମାମଲାର ଅପିଲ୍‌ରେ ତଥ୍ୟ ଓ ଆଇନଗତ ପ୍ରଶ୍ନର ବିଚାର ବାକି ଥିବା ଖଣ୍ଡପୀଠ କହିଥିଲେ।

ଏହି ନିଷ୍ପତ୍ତି ସଂପର୍କରେ ବିଲ୍‌କିସ୍ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବରିଷ୍ଠ ଓକିଲ ଶୋଭା ଗୁପ୍ତାଙ୍କ ମାଧ୍ୟମରେ ସୋମବାର ପ୍ରକାଶିତ ବିବୃତିରେ ସେ କହିଛନ୍ତି, ତାଙ୍କୁ ନ ଜଣାଇ କିମ୍ବା ପକ୍ଷ ରଖିବାର ସୁଯୋଗ ନ ଦେଇ ଅଦାଲତ ଏହି ଆଦେଶ ଦେଇଛନ୍ତି। ଏହାଦ୍ୱାରା ନିଜ ପରିବାର ଓ ପିଲାମାନଙ୍କ ସୁରକ୍ଷାକୁ ନେଇ ତାଙ୍କ ମନରେ ପୁଣି ଭୟ ସୃଷ୍ଟି ହୋଇଛି। ସେ ଏହି ଆଦେଶ ବିରୋଧରେ ଲଢ଼େଇ ଜାରି ରଖିବେ। ୨୦୦୨ ମାର୍ଚ୍ଚ ୩ ତାରିଖରେ ଗୁଜରାଟ ଦଙ୍ଗା ସମୟରେ ବିଲ୍‌କିସ୍‌ଙ୍କୁ ଗଣଦୁଷ୍କର୍ମ କରାଯାଇଥିଲା। ସେତେବେଳେ ତାଙ୍କୁ ୧୯ ବର୍ଷ ହୋଇଥିଲା ଏବଂ ସେ ପାଞ୍ଚ ମାସର ଗର୍ଭବତୀ ଥିଲେ। ଏହି ଆକ୍ରମଣରେ ତାଙ୍କ ତିନି ବର୍ଷର ଝିଅ ସାଲେହାଙ୍କ ସମେତ ପରିବାରର ୭ ଜଣ ସଦସ୍ୟଙ୍କୁ ହତ୍ୟା କରାଯାଇଥିଲା।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button