ଦେଶ ବିଦେଶ

Kushboo kumari: ବୟସ ମାତ୍ର ୧୬, ଲକ୍ଷ୍ୟ ୨୮୦୦ କିମି! ଯବାନଙ୍କ ସମ୍ମାନରେ ବିହାରରୁ କାର୍ଗିଲ ଦୌଡ଼ୁଛନ୍ତି ଖୁସବୁ

ସାଧାରଣ ପରିବାରର ଅସାଧାରଣ ଝିଅ। ବାପା ଜଣେ ଦିନ ମଜୁରିଆ, ହେଲେ ଝିଅର ସ୍ୱପ୍ନ ବେଶ୍ ବଡ଼। ଦେଶର ବୀର ଯବାନଙ୍କ ପ୍ରତି ସମ୍ମାନ ଜଣାଇବାକୁ ୨୮୦୦ କିଲୋମିଟର ଦୌଡ଼ିବାର ସଂକଳ୍ପ ନେଇଛନ୍ତି ୧୬ ବର୍ଷୀୟା ଖୁସବୁ କୁମାରୀ। ଦେଶର ସୀମାରେ ଦିନରାତି ଜଗି ରହୁଛନ୍ତି ବୀର ଯବାନ। ଖରା, ବର୍ଷା ହେଉ କି ହାଡ଼ଭଙ୍ଗା ଶୀତ, ସବୁ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟରେ ଅଟଳ ରହୁଛନ୍ତି।

ନୂଆଦିଲ୍ଲୀ:  ସାଧାରଣ ପରିବାରର ଅସାଧାରଣ ଝିଅ। ବାପା ଜଣେ ଦିନ ମଜୁରିଆ, ହେଲେ ଝିଅର ସ୍ୱପ୍ନ ବେଶ୍ ବଡ଼। ଦେଶର ବୀର ଯବାନଙ୍କ ପ୍ରତି ସମ୍ମାନ ଜଣାଇବାକୁ ୨୮୦୦ କିଲୋମିଟର ଦୌଡ଼ିବାର ସଂକଳ୍ପ ନେଇଛନ୍ତି ୧୬ ବର୍ଷୀୟା ଖୁସବୁ କୁମାରୀ। ଦେଶର ସୀମାରେ ଦିନରାତି ଜଗି ରହୁଛନ୍ତି ବୀର ଯବାନ। ଖରା, ବର୍ଷା ହେଉ କି ହାଡ଼ଭଙ୍ଗା ଶୀତ, ସବୁ ପରିସ୍ଥିତିରେ ଦେଶର ସୁରକ୍ଷା ପାଇଁ ନିଜ କର୍ତ୍ତବ୍ୟରେ ଅଟଳ ରହୁଛନ୍ତି। ସେହି ବୀର ସୈନିକଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଇବା ପାଇଁ ଏବେ ଏକ ନିଆରା ଅଭିଯାନ ଆରମ୍ଭ କରିଛନ୍ତି ବିହାରର ଝିଅ ଖୁସବୁ କୁମାରୀ। ତାଙ୍କର ଲକ୍ଷ୍ୟ ବିହାରର ଶେଖପୁରାରୁ ଲଦାଖର କାର୍ଗିଲ ୱାର ମେମୋରିଆଲ ପର୍ଯ୍ୟନ୍ତ ୨୮୦୦ କିଲୋମିଟର ଦୌଡ଼ିବା।  ଖୁସବୁଙ୍କ ଏହି ଅଭିଯାନର ନାଁ ରହିଛି ‘ବୀର ବନ୍ଦନ ସଂକଳ୍ପ ଦୌଡ଼’। ‘ବୀରଙ୍କ ସମ୍ମାନରେ, ତ୍ରିରଙ୍ଗାର ଶାନ୍‌ରେ’ ବାର୍ତ୍ତା ନେଇ ସେ ଚେୱାଡ଼ାର ଗୋଲୋକ ଧାମ ଗୋଶାଳାରୁ ନିଜର ଯାତ୍ରା ଆରମ୍ଭ କରିଛନ୍ତି। ଶେଖପୁରାରୁ ବିହାରଶରିଫ୍‌ରେ ପହଞ୍ଚିବା ପରେ ତାଙ୍କୁ ସ୍ଥାନୀୟ ଲୋକେ ସ୍ୱାଗତ କରିବା ସହ ଉତ୍ସାହିତ କରିଥିଲେ ।

ତେବେ କିଏ ଏହି ଖୁସବୁ? ଶେଖପୁରା ଜିଲ୍ଲାର ଚେୱାଡ଼ା ଅଞ୍ଚଳରେ ତାଙ୍କ ଘର। ମାତ୍ର ୧୬ ବର୍ଷ ବୟସରେ ଏତେ ବଡ଼ ସଂକଳ୍ପ ନେଇଥିବା ଖୁସବୁଙ୍କ ପରିବାରର ଆର୍ଥିକ ସ୍ଥିତି କିନ୍ତୁ ସ୍ୱଚ୍ଛଳ ନୁହେଁ। ବାପା ଦିନେଶ ସାଓ ଦିନ ମଜୁରି କରି ପରିବାର ଚଳାନ୍ତି। କେତେବେଳେ ଦିଲ୍ଲୀ ତ ଆଉ କେତେବେଳେ ପଞ୍ଜାବ ଯାଇ କାମ କରିବାକୁ ପଡ଼େ ତାଙ୍କୁ। ମାଆ ସବୁଜା ଦେବୀ ଜଣେ ଗୃହିଣୀ। ପାଞ୍ଚ ଭାଇଭଉଣୀଙ୍କ ମଧ୍ୟରେ ଖୁସବୁ ହେଉଛନ୍ତି ସବୁଠୁ ବଡ଼।  ପିଲାଦିନରୁ ହିଁ ଖୁସବୁଙ୍କର ଦୌଡ଼ିବା ପ୍ରତି ରହିଛି ବିଶେଷ ଆଗ୍ରହ। ଏହି ଆଗ୍ରହ ତାଙ୍କୁ ପାଟନା ଓ ରାଞ୍ଚିରେ ଆୟୋଜିତ ମାରାଥନ୍‌ରେ ଭାଗ ନେବାକୁ ପ୍ରେରଣା ଦେଇଥିଲା। ସେଠାରେ ମଧ୍ୟ ସେ ସଫଳତା ହାସଲ କରିଥିଲେ। ଖୁସବୁଙ୍କ କହିବା ଅନୁସାରେ, ସେ ପ୍ରତିଦିନ ୬୦ରୁ ୭୦ କିଲୋମିଟର ଦୌଡ଼ିବାର ଅଭ୍ୟାସ କରନ୍ତି।
ଏତେ ଲମ୍ବା ରାସ୍ତା ଦୌଡ଼ିବା ପଛରେ ତାଙ୍କର କୌଣସି ବ୍ୟକ୍ତିଗତ ସ୍ୱାର୍ଥ ନାହିଁ। ଦେଶର ଯବାନମାନେ ସୀମାରେ ଜାଗ୍ରତ ରହୁଥିବାରୁ ଦେଶବାସୀ ନିଜ ଘରେ ଶାନ୍ତିରେ ରହିପାରୁଛନ୍ତି। ସେମାନଙ୍କର ଏହି ନିଷ୍ଠା, ତ୍ୟାଗ ଓ ଦେଶପ୍ରେମକୁ ସମ୍ମାନ ଜଣାଇବା ହିଁ ତାଙ୍କର ଏକମାତ୍ର ଉଦ୍ଦେଶ୍ୟ।  ସାଧାରଣ ପରିବାରରୁ ଆସିଥିବା ଖୁସବୁଙ୍କ ଏହି ଅସାଧାରଣ ପ୍ରୟାସ ଏବେ ଚର୍ଚ୍ଚାରେ। ଲକ୍ଷ୍ୟ ୨୮୦୦ କିଲୋମିଟର, ମନରେ ଅସୀମ ସାହସ ଆଉ ହୃଦୟରେ ଦେଶପ୍ରେମ। ଏବେ ସମସ୍ତଙ୍କ ନଜର କେବେ କାର୍ଗିଲ ୱାର ମେମୋରିଆଲରେ ପହଞ୍ଚି ନିଜ ସଂକଳ୍ପ ପୂରଣ କରୁଛନ୍ତି ଏହି ୧୬ ବର୍ଷୀୟା ଝିଅ।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button