ନ୍ୟୁୟର୍କ: ଆସନ୍ତା ୨୦୩୫ ସୁଦ୍ଧା ଇସଲାମ ଖୁବ୍ ଶୀଘ୍ର ବିଶ୍ୱର ସର୍ବବୃହତ ଧର୍ମ ପାଲଟିବା ସହିତ ଯାହା ଖ୍ରୀଷ୍ଟିଆନ ଧର୍ମକୁ ପଛରେ ପକାଇବ। ପ୍ୟୁ ରିସର୍ଚ୍ଚ ସେଣ୍ଟରର ଏକ ନୂତନ ଅଧ୍ୟୟନ ମୁସଲିମ ଜନସଂଖ୍ୟାର ସମ୍ଭାବ୍ୟ ବୃଦ୍ଧି ଆକଳନ କରିଛି। ଅଧ୍ୟୟନ ଅନୁଯାୟୀ, ୨୦୭୦ ସୁଦ୍ଧା ଭାରତର ଜନସଂଖ୍ୟାରେ ହିନ୍ଦୁଙ୍କ ଅଂଶ ୭୯% ରୁ ୭୬% କୁ ହ୍ରାସ ପାଇବ, ଯେତେବେଳେ ମୁସଲମାନଙ୍କ ଅଂଶ ୧୫% ରୁ ୨୦% କୁ ବୃଦ୍ଧି ପାଇବ।
ପିଉ ଆକଳନ କରିଛି ଯେ, ଯଦି ବର୍ତ୍ତମାନର ଧାରା ଜାରି ରହେ ତେବେ ୨୦୭୦ ସୁଦ୍ଧା ବିଶ୍ୱବ୍ୟାପୀ ମୁସଲମାନଙ୍କ ସଂଖ୍ୟା ୩.୬ ବିଲିୟନ ଅତିକ୍ରମ କରିବ। ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୩ ବିଲିୟନରୁ ଟିକିଏ କମ୍ ରହିବ। ଏହି ସମୟରେ, ୨୦୭୦ ସୁଦ୍ଧା ଆମେରିକା ଏକ ଖ୍ରୀଷ୍ଟିଆନ ବହୁଳ ଦେଶର ମାନ୍ୟତା ହରାଇବ। ଏହା ସହିତ ଆକଳନ କରାଯାଇଛି ଯେ, ପାକିସ୍ତାନ ଇଣ୍ଡୋନେସିଆକୁ ପଛରେ ପକାଇ ବିଶ୍ୱର ସର୍ବାଧିକ ମୁସଲିମ ଜନସଂଖ୍ୟା ବିଶିଷ୍ଟ ଦେଶ ହେବ ଏବଂ ଭାରତ ଦ୍ୱିତୀୟ ସ୍ଥାନରେ ରହିବ। ବାଂଲାଦେଶର ମୁସଲିମ ଜନସଂଖ୍ୟା ମଧ୍ୟ ବୃଦ୍ଧି ପାଇବାର ଆକଳନ କରାଯାଇଛି।
ଧାର୍ମିକ ଗଠନ ଧୀରେ ଧୀରେ ପରିବର୍ତ୍ତନ ହେବ
ଭାରତ ଏବଂ ସାରା ବିଶ୍ୱରେ ହିନ୍ଦୁଙ୍କ ସଂଖ୍ୟା ୨୦୨୦ ରେ ୧.୨ ବିଲିୟନରୁ ୨୦୭୦ ସୁଦ୍ଧା ୧.୪ ବିଲିୟନକୁ ବୃଦ୍ଧି ପାଇବାର ଆକଳନ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ, ଆଗାମୀ ଦଶନ୍ଧି ପର୍ଯ୍ୟନ୍ତ ଭାରତରେ ହିନ୍ଦୁମାନେ ସଂଖ୍ୟାଗରିଷ୍ଠ ରହିବେ, କିନ୍ତୁ ଏହାର ଧାର୍ମିକ ଗଠନ ଧୀରେ ଧୀରେ ପରିବର୍ତ୍ତନ ହେବ ବୋଲି ଆଶା କରାଯାଉଛି। ଆକଳନ କରାଯାଇଛି ଯେ, ୨୦୨୦ ରୁ ୨୦୭୦ ମଧ୍ୟରେ ବିଶ୍ୱର ମୋଟ ଜନସଂଖ୍ୟା ୨୯ ପ୍ରତିଶତ ବୃଦ୍ଧି ପାଇବ। ଯେଉଁଥିରେ ଖ୍ରୀଷ୍ଟିଆନଙ୍କ ସଂଖ୍ୟା ୩୦ ପ୍ରତିଶତ ଏବଂ ମୁସଲମାନଙ୍କ ସଂଖ୍ୟା ୮୦ ପ୍ରତିଶତ ବୃଦ୍ଧି ପାଇବ।
ପ୍ରଭାବ ଉପରେ ଗବେଷଣା
ପ୍ୟୁ ରିସର୍ଚ୍ଚ ସେଣ୍ଟର ଅଧ୍ୟୟନରେ ବିଶ୍ୱର ଜନସଂଖ୍ୟାର ୯୯.୯୮ ପ୍ରତିଶତକୁ ଅନ୍ତର୍ଭୁକ୍ତ କରି ୨୦୧ଟି ଦେଶ ଏବଂ ଅଞ୍ଚଳକୁ ପରୀକ୍ଷା କରାଯାଇଥିଲା। ଏଥିରେ ୨୦୨୦ ରୁ ୨୦୭୦ ପର୍ଯ୍ୟନ୍ତ ସାତଟି ଧାର୍ମିକ ଗୋଷ୍ଠୀ ମୁସଲିମ, ଖ୍ରୀଷ୍ଟିଆନ, ଇହୁଦୀ, ହିନ୍ଦୁ, ବୌଦ୍ଧ ଏବଂ ଅନ୍ୟାନ୍ୟର ଭୌଗୋଳିକ ବଣ୍ଟନ ଏବଂ ଜନସଂଖ୍ୟାରେ ଆଶା କରାଯାଇଥିବା ପରିବର୍ତ୍ତନ ଅନ୍ତର୍ଭୁକ୍ତ ଥିଲା। ଏହି ତଥ୍ୟଗୁଡ଼ିକ ପ୍ୟୁ-ଟେମ୍ପଲଟନ ଗ୍ଲୋବାଲ ରିଲିଜିୟସ୍ ଫ୍ୟୁଚର୍ସ ପ୍ରୋଜେକ୍ଟର ଏକ ଅଂଶ, ଯାହା ଧାର୍ମିକ ପରିବର୍ତ୍ତନ ଏବଂ ବିଶ୍ୱ ଉପରେ ସେମାନଙ୍କର ପ୍ରଭାବ ଉପରେ ଗବେଷଣା କରିବା ଲକ୍ଷ୍ୟ ରଖିଛି।
ମୁସଲମାନମାନଙ୍କର ଜନ୍ମହାର ସର୍ବାଧିକ
ସଂଗଠନ କହିଛି ଯେ ଏହି ଫଳାଫଳଗୁଡ଼ିକ ବିଶ୍ୱର ସମସ୍ତ ପରିବର୍ତ୍ତନର ପୂର୍ବାନୁମାନ କରିବା ପାଇଁ ଉଦ୍ଦିଷ୍ଟ ନୁହେଁ। କାରଣ ଏପରି ଅନେକ ଘଟଣା ହୋଇପାରେ ଯାହା ଏକ ଗୋଷ୍ଠୀର ଧାର୍ମିକ ସମ୍ପର୍କକୁ ପ୍ରଭାବିତ କରିପାରେ। ସେସବୁ ମଧ୍ୟରେ ଯେପରିକି ସାମାଜିକ-ଆର୍ଥିକ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଯୁଦ୍ଧ ଭଳି ଘଟଣା ରହିଛି।
ରିପୋର୍ଟ ଅନୁଯାୟୀ, ମୁସଲମାନମାନଙ୍କର ଜନ୍ମହାର ସର୍ବାଧିକ, ଯାହା ସେମାନେ ବିଶ୍ୱର ସବୁଠାରୁ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଧାର୍ମିକ ଗୋଷ୍ଠୀ ହେବାର ଏକ ପ୍ରମୁଖ କାରଣ ବୋଲି ପ୍ୟୁ ରିସର୍ଚ୍ଚ ସେଣ୍ଟର କହିଛି। ୨୦୨୦-୨୦୨୫ ମଧ୍ୟରେ ମୁସଲମାନମାନଙ୍କ ପାଇଁ ପ୍ରଜନନ ହାର ପ୍ରତି ମହିଳାଙ୍କ ପାଇଁ ୩.୧ ସନ୍ତାନ ଥିଲା, ଯେତେବେଳେ ଖ୍ରୀଷ୍ଟିଆନଙ୍କ ପାଇଁ ଏହା ୨.୫ ଥିଲା। ଅନ୍ୟ ସମସ୍ତ ମହିଳାଙ୍କ ପାଇଁ ହାରାହାରି ପ୍ରଜନନ ହାର ୧.୬ ଥିଲା, ଯାହା ପ୍ରତ୍ୟେକ ପିଢ଼ି ନିଜକୁ ବଜାୟ ରଖିବା ପାଇଁ ଆବଶ୍ୟକ ବିବେଚିତ ୨.୧ ସ୍ତରଠାରୁ କମ୍।
ସୌଜନ୍ୟ ସମ୍ବାଦ