ବିଶେଷ

A child will leave the keyboard: ଚଳନ୍ତିକା: କି’ବୋର୍ଡ ଛାଡ଼ି ପିଲାଏ ଧରିବେ ପେନ୍‌ସିଲ୍‌

ସମ୍ପ୍ରତି ଶିକ୍ଷାୟାତନରେ ଡିଜିଟାଲ୍‌ ଶିକ୍ଷଣ ପଦ୍ଧତି ପ୍ରବଳ ହେଉଛି ସତ, କିନ୍ତୁ ଅଦ୍ୟାବଧି ହସ୍ତଲିଖନର ମହତ୍ତ୍ବ ଯାଇନାହିଁ। ଗବେଷଣା ଦର୍ଶାଉଛି ଯେ ହସ୍ତଲିଖନ ଦ୍ବାରା ପିଲାଙ୍କ ଶିକ୍ଷଣ, ସ୍ମରଣ ଓ ବର୍ଣ୍ଣପରିଚୟ ଅଧିକ ଫଳପ୍ରଦ ହୋଇପାରୁଛି।

ସମ୍ପ୍ରତି ଶିକ୍ଷାୟାତନରେ ଡିଜିଟାଲ୍‌ ଶିକ୍ଷଣ ପଦ୍ଧତି ପ୍ରବଳ ହେଉଛି ସତ, କିନ୍ତୁ ଅଦ୍ୟାବଧି ହସ୍ତଲିଖନର ମହତ୍ତ୍ବ ଯାଇନାହିଁ। ଗବେଷଣା ଦର୍ଶାଉଛି ଯେ ହସ୍ତଲିଖନ ଦ୍ବାରା ପିଲାଙ୍କ ଶିକ୍ଷଣ, ସ୍ମରଣ ଓ ବର୍ଣ୍ଣପରିଚୟ ଅଧିକ ଫଳପ୍ରଦ ହୋଇପାରୁଛି। ତେଣୁକରି, ସ୍କ୍ରିନ୍‌ ଓ କି’ବୋର୍ଡ ପ୍ରାଧାନ୍ୟ ବିସ୍ତାର କରିଥିବା ଆଜିର ଦୁନିଆରେ ହସ୍ତଲିପିର ମହତ୍ତ୍ବ ଥିବା ନ ଥିବା ଉପରେ ଦୀର୍ଘଦିନ ବିତର୍କ ଚାଲିବା ପରେ ପୁନଶ୍ଚ ହସ୍ତଲିପି ଶ୍ରେଣୀକକ୍ଷକୁ ପ୍ରତ୍ୟାଗମନ କରିଛି। ବହୁବର୍ଷ ଅପ୍ରଚଳିତ ଥିବା ଇଂରାଜୀ ‘କର୍ସିଭ୍‌ ରାଇଟିଙ୍ଗ୍‌’ ଯାହାକୁ ଆମେ ସାଧାରଣ ଅର୍ଥରେ ଛଟା ଅକ୍ଷର ବୋଲି କହୁ, ତାହାକୁ ନିୟୁଜର୍ସି ସମେତ କେତେକ ଆମେରିକୀୟ ପ୍ରଦେଶରେ ପୁନଃପ୍ରଚଳନ କରାଯାଇଛି। ତୃତୀୟରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଏ ଏହି ପ୍ରବାହମାନ ତଥା ନିରନ୍ତର ଶୈଳୀ ହସ୍ତଲିପି ଲେଖିବା ଆବଶ୍ୟକ ବୋଲି ଆଇନ ମଧ୍ୟ ପାରିତ ହୋଇଛି।

ବିଶ୍ବର ଅନେକ ଦେଶ ଏବେ ଡିଜିଟାଲ୍‌ ଶିକ୍ଷା ବ୍ୟବସ୍ଥାର ବେଶ୍‌ ଗହନକୁ ଚାଲିଯାଇଛନ୍ତି। କିନ୍ତୁ, କର୍ସିଭ୍‌ ରାଇଟିଙ୍ଗ୍‌ ବା ହସ୍ତଲିପିବାଦୀମାନେ ଯୁକ୍ତି ବାଢୁଛନ୍ତି ଯେ କଲମ ସାହାଯ୍ୟରେ କାଗଜରେ ଲେଖିବା ଦ୍ବାରା ଖାଲି ହସ୍ତାକ୍ଷର ସୁନ୍ଦର ହୁଏନାହିଁ, ପିଲାଙ୍କ ଶିକ୍ଷଣ, ଚିନ୍ତନ ଓ ସ୍ମରଣ କ୍ଷେତ୍ରରେ ମଧ୍ୟ ଏହା ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରେ। କିନ୍ତୁ, ନିନ୍ଦୁକମାନେ କହୁଛନ୍ତି ଯେ କର୍ସିଭ୍‌ ବା ହସ୍ତଲିଖନ ପୁରୁଣାକାଳିଆ ହୋଇଗଲାଣି। ସମ୍ପ୍ରତି ଟାଇପିଙ୍ଗ୍‌ ନିତ୍ୟ ବ୍ୟବହାର୍ଯ୍ୟ ହୋଇଯାଇଥିବା ବେଳେ ହସ୍ତଲିପିର ଆବଶ୍ୟକତା ଉପରେ ସେମାନେ ସନ୍ଦେହ ବ୍ୟକ୍ତ କରୁଛନ୍ତି। ଏମିତି ବାଦବିବାଦ ଚାଲିଥିବା ବେଳେ ବୈଜ୍ଞାନିକମାନେ ହସ୍ତଲିଖନ ଉପରେ  ନୂତନ ଅନ୍ତର୍ଦୃଷ୍ଟି ପ୍ରଦାନ କରିଛନ୍ତି। ହାତରେ ଲେଖିବା ଦ୍ବାରା ପିଲାଙ୍କ ମଗଜ ବା ମସ୍ତିଷ୍କରେ ପ୍ରକୃତରେ କ’ଣ ହୁଏ, ତାହା ସେମାନେ ଦର୍ଶାଇଛନ୍ତି।

ଶିକ୍ଷଣ ସଂକ୍ରାନ୍ତରେ ‌ଗବେଷଣା କରୁଥିବା ନ୍ୟୁରୋସାଇଣ୍ଟିଷ୍ଟ୍‌ମାନେ କହନ୍ତି- କଠିନ ଶ୍ରମ କରିବା ଲାଗି ହସ୍ତଲିଖନ ମସ୍ତିଷ୍କକୁ ବାଧ୍ୟକରେ। ଟାଇପିଙ୍ଗ୍‌ କ୍ରିୟା ପୁନଃପୁନଃ ଆଙ୍ଗୁଠି ଚାଳନା ହୋଇଥିବା ବେଳେ ହସ୍ତଲିଖନ ଦ୍ବାରା ସ୍ନାୟବିକ ନିୟନ୍ତ୍ରଣ, ସ୍ଥାନ ଓ ସମ୍ବଳ ସୁବିନିଯୋଗ, ଚକ୍ଷୁ ଓ ହସ୍ତ ମଧ୍ୟରେ ପ୍ରତିକ୍ରିୟା ଆଦାନପ୍ରଦାନ କାର୍ଯ୍ୟ ସମ୍ପାଦିତ ହୁଏ। ସାମଗ୍ରିକ ଭାବେ ଉପରୋକ୍ତ କାର୍ଯ୍ୟାବଳି ଶିକ୍ଷଣ ସହିତ ଜଡ଼ିତ ମସ୍ତିଷ୍କ ନେଟ୍‌ୱାର୍କଗୁଡ଼ିକୁ ବଳୀୟାନ୍‌ କରେ। ପିଲାଏ କିପରି ଅକ୍ଷର ଶିଖନ୍ତି? ଏହା ଉପରେ ଇଣ୍ଡିଆନା ବିଶ୍ବବିଦ୍ୟାଳୟସ୍ଥିତ ଅନ୍ୟତମ ଡେଭ୍‌ଲପ୍‌ମେଣ୍ଟାଲ୍‌ ନ୍ୟୁରୋସାଇନ୍‌ଟିଷ୍ଟ୍‌ କେରିନ୍‌ ହର୍‌ମାନ୍‌ ଜେମ୍‌ସ୍‌ ଦୀର୍ଘବର୍ଷ ଗବେଷଣା କରିଥିଲେ। ବହି ପଢ଼ି ଶିଖି ନ ଥିବା କିଛି ପିଲାଙ୍କୁ ହାତରେ ଅକ୍ଷର ଲେଖିବା ପାଇଁ ବା ଟାଇପ୍‌ କରିବା ପାଇଁ କୁହାଯାଇଥିଲା। ସେମାନଙ୍କ ମସ୍ତିଷ୍କ ସ୍କାନ୍‌ କରିବାରୁ ଜଣାପଡ଼ିଲା କି, ଟାଇପ୍‌ କରୁଥିବା ପିଲାଏ ଅକ୍ଷରଗୁଡ଼ିକୁ ଇମେଜ୍‌ ବା ଚିତ୍ର ରୂପେ ଚିହ୍ନନ୍ତି। କିନ୍ତୁ, ଅକ୍ଷର ଲେଖି ଶିଖିଥିବା ପିଲାଙ୍କ ମସ୍ତିଷ୍କ ବହିପଢୁଆ ବଡ଼ଲୋକଙ୍କ ମସ୍ତିଷ୍କ କାର୍ଯ୍ୟକଳାପ ପରି କ୍ରିୟାଶୀଳ ହୋଇଥାଏ।

କେବଳ ଆମେରିକା ନୁହେଁ, ବହୁ ୟୁରୋପୀୟ ଦେଶରୁ ବି ଏତାଦୃଶ ଗବେଷଣାଲବ୍ଧ ଫଳାଫଳ ଆସିଲାଣି। ପ୍ରଥମ ଶ୍ରେଣୀରୁ ମୁଖ୍ୟତଃ ଟ୍ୟାବ୍‌ଲେଟ୍‌ ଯୋଗେ ଶିକ୍ଷା ଗ୍ରହଣ କରୁଥିବା ପିଲାଏ ଠିକ୍‌ ଭାବେ ପେନ୍‌ସିଲ୍‌ଟିଏ ବି ଧରିପାରୁ ନାହାନ୍ତି। ସେଥିପାଇଁ କେତେକ ଗବେଷକ ମତ ଦେଉଛନ୍ତି ଯେ ଆଜିର ପ୍ରଯୁକ୍ତିବିଦ୍ୟା ଯୁଗରେ ଟାଇପିଙ୍ଗ୍‌ ଅତ୍ୟାବଶ୍ୟକ ଦକ୍ଷତା ହୋଇଥିଲେ ବି ଲେଖିବା ଭଳି ମାମୁଲି କାର୍ଯ୍ୟ ଦ୍ବାରା ମସ୍ତିଷ୍କ ଉତ୍କୃଷ୍ଟ ତାଲିମ ପାଇପାରିବ। ତେଣୁ ସ୍କ୍ରିନ୍‌ ଟାଇମ୍‌ ଓ ହସ୍ତଲିଖନ ମଧ୍ୟରେ ସନ୍ତୁଳନ ରକ୍ଷା କରିପାରିଲେ ଉପରୋକ୍ତ ସମସ୍ୟା ସମାଧାନ ହୋଇପାରିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button