Aadhaar card: ସାର ପାଇଁ ଧାଡ଼ିରେ ଆଧାରକାର୍ଡ: ଦିନକୁ ମାତ୍ର ୬୦ ଜଣଙ୍କୁ ନିୟମ, ଅପେକ୍ଷାରେ ୨ ଶହ
ରାସ୍ତାରୁ ଅଫିସ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଆଧାରକାର୍ଡର ଧାଡ଼ି ଲମ୍ବିଛି। ଖାତାରେ ଯେଉଁ ଆଧାରକାର୍ଡର ନାମ ଦରଜ ହେବ ସେ ପାଇବ ସାର। ଦିନକୁ ମାତ୍ର ୬୦ଟି ଆଧାରକାର୍ଡରେ ଉଠିବ ସାର।

ସୁନ୍ଦରଗଡ଼: ରାସ୍ତାରୁ ଅଫିସ ପ୍ରାୟ ଅଧ କିଲୋମିଟର ପର୍ଯ୍ୟନ୍ତ ଆଧାରକାର୍ଡର ଧାଡ଼ି ଲମ୍ବିଛି। ଖାତାରେ ଯେଉଁ ଆଧାରକାର୍ଡର ନାମ ଦରଜ ହେବ ସେ ପାଇବ ସାର। ଦିନକୁ ମାତ୍ର ୬୦ଟି ଆଧାରକାର୍ଡରେ ଉଠିବ ସାର। ଅନ୍ୟମାନେ ଖାଲି ହାତରେ ଫେରିଯିବେ। ସୋମବାର ରାତିରୁ ସୁନ୍ଦରଗଡ଼ ଆଞ୍ଚଳିକ ବିପଣନ ସମବାୟ ସମିତି (ଆରସିଏମ୍ଏସ୍) ଅଫିସ ଆଗରେ ସାର ପାଇଁ ଏଭଳି ଅଭାବନୀୟ ଆଧାର ଧାଡ଼ି ଦେଖିବାକୁ ମିଳିଥିଲା। ମାତ୍ର ୬୦ ଜଣଙ୍କୁ ସାର ମିଳିବାକୁ ଥିବାବେଳେ ଅପେକ୍ଷାରେ ଥିଲେ ୨ ଶହ ଚାଷୀ। ଚଳିତ ବର୍ଷ ଚାଷ ଆରମ୍ଭରୁ ସାରର ଘୋର ଅଭାବ ଦେଖିବାକୁ ମିଳିଛି।
ଚାଷୀ ତଳି ରୁଆ ସାରି ଏବେ ୟୁରିଆ ଓ ଡିଏପି ସାର ପାଇଁ ଅପେକ୍ଷା କରିଛି। ହେଲେ ଖୋଲାବଜାରରେ ଚଢ଼ା ଦର ଥିବାରୁ ଗରିବ, ମଧ୍ୟବିତ୍ତ ଚାଷୀ ସମବାୟ ସଂସ୍ଥା ଉପରେ ଭରସା କରିବା ଛଡ଼ା ଅନ୍ୟ ଉପାୟ ନାହିଁ। ସୁନ୍ଦରଗଡ଼ ଆଞ୍ଚଳିକ ବିପଣନ ସମବାୟ ସମିତି ତରଫରୁ ୨୦ ତାରିଖରେ କେବଳ ପୌରାଞ୍ଚଳର ଧାନବିକ୍ରି ପାଇଁ ପଞ୍ଜୀକରଣ କରିଥିବା ଚାଷୀଙ୍କୁ ଗୋଟିଏ ଡିଏପି ଓ ଗୋଟିଏ ନାନୋ ୟୁରିଆ ପ୍ୟାକେଟ୍ ଦିଆଯିବ ବୋଲି ନୋଟିସ୍ ଜାରି କରାଯାଇଥିଲା। ଦିନକୁ କେବଳ ୬୦ ଜଣଙ୍କୁ ଦିଆଯିବାକୁ ନିୟମ ଥିବା ଜଣାପଡ଼ିବା ପରେ କିଏ ରାତି ୨ଟାରୁ ତ’ ଆଉ କିଏ ରାତି ୩ଟାରୁ ଆଧାରକାର୍ଡ, ଜରିବ୍ୟାଗ୍କୁ ଧାଡ଼ିରେ ରଖି ସାର ପାଇଁ ଅପେକ୍ଷା କରିଥିଲେ। ପୂର୍ବାହ୍ଣ ୧୦ଟାରେ ଅଫିସ୍ ଓ ଗୋଦାମ ଖୋଲିବା ପରେ ୬୦ ଜଣ ଚାଷୀ ସାର ନେଇଥିଲେ।
ସୌଜନ୍ୟ ସମ୍ବାଦ




