ଦେଶ ବିଦେଶ

Abhijit Deepake: ”ତ୍ରିରଙ୍ଗା ମାର୍ଚ୍ଚ” ପୂର୍ବରୁ ଅଭିଜିତ ଦୀପକେଙ୍କୁ ଗିରଫ କରିପାରେ ପୁଲିସ, ସାଂଘାତିକ ଅଭିଯୋଗ ଆଣିଲେ ସିଜେପି ପ୍ରତିଷ୍ଠାତା

ରାଜଧାନୀ ଦିଲ୍ଲୀର କନୋଟ୍ ପ୍ଲେସଠାରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆୟୋଜିତ ''ତ୍ରିରଙ୍ଗା ମାର୍ଚ୍ଚ'' ପୂର୍ବରୁ ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ।

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର କନୋଟ୍ ପ୍ଲେସଠାରେ କୋକ୍ରୋଚ୍ ଜନତା ପାର୍ଟି (ସିଜେପି) ପକ୍ଷରୁ ଆୟୋଜିତ ”ତ୍ରିରଙ୍ଗା ମାର୍ଚ୍ଚ” ପୂର୍ବରୁ ପୁଲିସ ଓ ସୁରକ୍ଷା ଏଜେନ୍ସିଗୁଡ଼ିକୁ ନେଇ ଗୁରୁତର ଅଭିଯୋଗ ଆଣିଛନ୍ତି ଦଳର ପ୍ରତିଷ୍ଠାତା ଅଭିଜିତ ଦୀପକେ। ଗୁରୁବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ ଦାବି କରିଛନ୍ତି ଯେ ବିନା ନମ୍ବର ପ୍ଲେଟଥିବା କେତେକ ସନ୍ଦିଗ୍ଧ ଗାଡ଼ି ତାଙ୍କୁ ପିଛା କରୁଛନ୍ତି ଏବଂ ଗୁଇନ୍ଦା ସଂସ୍ଥା (ଆଇବି) ର କର୍ମଚାରୀମାନେ ତାଙ୍କ ଘର ଜଗୁଆଳୀଙ୍କଠାରୁ ନିୟମିତ ତଥ୍ୟ ସଂଗ୍ରହ କରୁଛନ୍ତି। ଆଜି ଦିଲ୍ଲୀ ପୁଲିସ ତାଙ୍କୁ ବେଆଇନ ଭାବେ ଗିରଫ କରିପାରେ ବୋଲି ସେ ଆଶଙ୍କା ପ୍ରକାଶ କରିଛନ୍ତି।

ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର୍) ରେ ହୋଇଥିବା ବ୍ୟାପକ ଅନିୟମିତତା ପ୍ରତିବାଦରେ ସିଜେପି ପକ୍ଷରୁ ଶୁକ୍ରବାର ଦିନ କନୋଟ୍ ପ୍ଲେସସ୍ଥିତ ସେଣ୍ଟ୍ରାଲ୍ ପାର୍କରେ ଶାନ୍ତିପୂର୍ଣ୍ଣ ତ୍ରିରଙ୍ଗା ମାର୍ଚ୍ଚ ପାଇଁ ନାଗରିକମାନଙ୍କୁ ଆହ୍ୱାନ ଦିଆଯାଇଛି। ତେବେ ଏହି ଆନ୍ଦୋଳନକୁ ରୋକିବା ପାଇଁ ନୂଆଦିଲ୍ଲୀ ମ୍ୟୁନିସିପାଲ୍ କାଉନ୍ସିଲ୍ ଅକ୍ଟୋବର ୧୬ ଓ ୧୭ ତାରିଖ ଦୁଇଦିନ ପାଇଁ ସେଣ୍ଟ୍ରାଲ୍ ପାର୍କକୁ ବନ୍ଦ ଘୋଷଣା କରିବାକୁ ଦୀପକେ କଡ଼ା ସମାଲୋଚନା କରିଛନ୍ତି। ଦେଶର ନାଗରିକ ଭାବେ ଜାତୀୟ ପତାକା ଉଡ଼ାଇବା ଯଦି ଅପରାଧ, ତେବେ ଆମେ ସେହି ଅପରାଧ କରି ଜେଲ୍ ଯିବାକୁ ପ୍ରସ୍ତୁତ। ତ୍ରିରଙ୍ଗାକୁ ଭୟ କରୁଥିବା ଶାସକ ଦେଶଦ୍ରୋହୀ, ବୋଲି ସେ କହିଛନ୍ତି।

ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରଖିବେ ବୋଲି ଦୃଢ଼ୋକ୍ତି

ପୂର୍ବରୁ ସିଜେପି ନେତା ଆଶୁତୋଷ ରାଙ୍କା ଏବଂ ସୌରଭ ଦାସଙ୍କ ଗିରଫଦାରୀକୁ ଦୀପକେ ଅତ୍ୟନ୍ତ ନିନ୍ଦନୀୟ ବୋଲି କହିବା ସହ ସରକାର ଦେଶରେ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି କରିଥିବା ଅଭିଯୋଗ ଆଣିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ସେମାନଙ୍କର ଦାବି ସରକାର ବଦଳାଇବା ନୁହେଁ, ବରଂ ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କୁ ହଟାଇ ଏକ ନିରପେକ୍ଷ ପ୍ରକ୍ରିୟା ମାଧ୍ୟମରେ ନୂତନ ଆୟୁକ୍ତ ନିଯୁକ୍ତ କରିବା। ପୁଲିସର କଟକଣା ସତ୍ତ୍ୱେ ସେମାନଙ୍କ ସମର୍ଥକମାନେ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସେଣ୍ଟ୍ରାଲ୍ ପାର୍କଠାରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ଜାରି ରଖିବେ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button