Accident: ଭୁବନେଶ୍ବର ପରେ ବ୍ରହ୍ମପୁରରେ ସିରିଜ୍ ଦୁର୍ଘଟଣା, ମହିଳା ମୃତ; ୯ରୁ ଅଧିକ ଗୁରୁତର
ଗଞ୍ଜାମ ଜିଲ୍ଲା ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥର ଚମାଖଣ୍ଡି ଛକରେ ଆଜି ସନ୍ଧ୍ୟାରେ ଭୟଙ୍କର ସିରିଜ୍ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବାବେଳେ ୯ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି।

ଛତ୍ରପୁର/ବ୍ରହ୍ମପୁର: ଗଞ୍ଜାମଜିଲ୍ଲା ଛତ୍ରପୁର ନିକଟ ୧୬ ନମ୍ବର ଜାତୀୟ ରାଜପଥର ଚମାଖଣ୍ଡି ଛକରେ ଆଜି ସନ୍ଧ୍ୟାରେ ଭୟଙ୍କର ସିରିଜ୍ ଦୁର୍ଘଟଣାରେ ଜଣେ ମହିଳା ପ୍ରାଣ ହରାଇଥିବାବେଳେ ୯ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ବଡ଼ଡାକ୍ତରଖାନାକୁ ପଠାଯାଇଛି। ମୃତକ ହେଲେ ରୋଜାଲିନରାଣୀ ମିଶ୍ର (୪୨)। ସେ ବ୍ରହ୍ମପୁର ଗଜପତିନଗରର ବାସିନ୍ଦା ଏବଂ ଛତ୍ରପୁର ଟ୍ରେଜେରି କାର୍ଯ୍ୟାଳୟରେ କିରାଣି ଭାବେ କାର୍ଯ୍ୟରତ ଥିଲେ।ସୂଚନାନୁସାରେ, ଚମାଖଣ୍ଡି ଛକ ନିକଟରେ ଏକ କାର୍ ୟୁଟର୍ଣ୍ଣ ନେଉଥିବା ବେଳେ ଟ୍ରକ୍ଟି ପଛପଟୁ ଧକ୍କା ଦେବାରୁ ଉଭୟ ଦୁର୍ଘଟଣାଗ୍ରସ୍ତ ଗାଡ଼ି ଅନ୍ୟ ବାଇକ୍ ଓ ସ୍କୁଟି ଚାଳକଙ୍କ ସମେତ ରାସ୍ତାରେ ଛିଡ଼ା ହୋଇଥିବା ଲୋକଙ୍କ ଉପରେ ମାଡ଼ିଯାଇଥିଲା। ରୋଜାଲିନ୍ ତାଙ୍କର ଜଣେ ସହକର୍ମୀଙ୍କ ସହ ସ୍କୁଟିରେ ଫେରୁଥିବା ବେଳେ ଛିଟିକି ପଡ଼ି ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ନିକଟସ୍ଥ କରାପଲ୍ଲୀ, ପଣ୍ଡାପଲ୍ଲୀ ଓ ବଣଗାଁପଲ୍ଲୀର ଲୋକେ କାମ ସାରି ରାସ୍ତାପାର୍ଶ୍ବରେ ଛିଡ଼ା ହୋଇଥିବା ବେଳେ ସେମାନେ ଦୁର୍ଘଟଣାର ଶିକାର ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କିଛି ଲୋକ ବାଇକ୍ ସହ ଘୋଷାରି ହୋଇ ଯାଇଥିଲେ।
ସୌଜନ୍ୟ ସମ୍ବାଦ




