ମହାନଗର

Accident: ରାଜଧାନୀ ରାସ୍ତାରେ ଜଳିଗଲେ ଯୁବକ: କିରାସିନି ଢାଳି ଆତ୍ମାହୁତି ଉଦ୍ୟମ, ଗୁରୁତର ଅବସ୍ଥାରେ ଏମ୍‌ସରେ ଭର୍ତ୍ତି

ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଛକ। ବୁଧବାର ସକାଳ ପାଖାପାଖି ସାଢ଼େ ୮ଟା। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଜଣେ ଯୁବକ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ରାସ୍ତାରେ ଦୌଡ଼ିଲେ।

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ରସୁଲଗଡ଼ ଛକ। ବୁଧବାର ସକାଳ ପାଖାପାଖି ସାଢ଼େ ୮ଟା। କେହି କିଛି ବୁଝିବା ପୂର୍ବରୁ ହଠାତ୍‌ ଜଣେ ଯୁବକ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ରାସ୍ତାରେ ଦୌଡ଼ିଲେ। କିଛିବାଟ ଦୌଡ଼ିବା ପରେ ଟ୍ରାଫିକ୍‌ ଛକ ଉପରେ ପଡ଼ିଯାଇଥିଲେ। ଯୁବକ ଜଣଙ୍କ ହେଲେ ସହିଦନଗର ଥାନା ତାରିଣୀ ବସ୍ତିର ମଙ୍ଗୁ ଡାକୁଆ(୪୨)। ପାରିବାରିକ କଳହରୁ ସେ ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଟ୍ରାଫିକ୍‌ ପୁଲିସ ଓ ସ୍ଥାନୀୟଲୋକ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ହେଲେ ସେଠାରେ ତାଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ଏମ୍‌ସ ସ୍ଥାନାନ୍ତର କରାଯାଇଛି।

ସୂଚନା ମୁତାବକ, ବହୁଦିନ ହେବ ମଙ୍ଗୁ ରସୁଲଗଡ଼ କୋଚିଲେଇ ହାଟରେ ଥିବା ଏକ ସେଲୁନ୍‌ରେ କାମ କରୁଛନ୍ତି। ସେ ପରିବାର ସହ ତାରିଣୀ ବସ୍ତିରେ ରହୁଛନ୍ତି। ପାରିବାରିକ କଳହକୁ ନେଇ ସେ କିଛିଦିନ ହେଲା ମାନସିକ ଚାପରେ ରହୁଥିଲେ। ଗତକାଲି ରାତିରେ ଦମ୍ପତିଙ୍କ ମଧ୍ୟରେ ବଚସା ଯୋଗୁଁ ସେ ମାନସିକ ଦୁଶ୍ଚିନ୍ତାରେ ଥିଲେ। ଆଜି ସକାଳୁ ସକାଳୁ ଘରୁ ବାହାରି ଆସି ସେଲୁନ୍‌ଠାରୁ କିଛି ଦୂରରେ ଥିବା ଏକ ନିର୍ମାଣାଧୀନ ଘର ନିକଟରେ ବସି ରହିଥିଲେ। ପରେ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ହୁତୁହୁତୁ ଜଳୁଥିବା ଅବସ୍ଥାରେ ରସୁଲଗଡ଼ ଛକ ଟ୍ରାଫିକ୍‌ ଆଡ଼କୁ ଦୌଡ଼ିଥିଲେ।

ଯୁବକ ଜଣଙ୍କ ଜଳୁଥିବା ଦେଖି ଲୋକମାନେ ଭୟରେ ପାଟିକରି ଦୌଡ଼ି ଆସିଥିଲେ। ଡ୍ୟୁଟିରେ ଥିବା ଟ୍ରାଫିକ୍‌ ପୁଲିସ ବି ଧାଇଁ ଆସିଲେ। ଯୁବକ ଜଣଙ୍କ ତଳେ ପଡ଼ିଯିବାରୁ ତୁରନ୍ତ ତାଙ୍କୁ ଉଦ୍ଧାର କରି ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପଠାଇଥିଲେ। ହେଲେ ତାଙ୍କ ଶରୀରର ୫୦ ପ୍ରତିଶତରୁ ଅଧିକ ପୋଡ଼ିଯାଇଥିବାରୁ ଡାକ୍ତର ଏମ୍‌ସକୁ ସ୍ଥାନାନ୍ତର କରିଥିଲେ। ଖବରପାଇ ସହିଦନଗର ଥାନା ପୁଲିସ ମଙ୍ଗୁଙ୍କୁ ପଚରାଉଚରା କରିଥିଲା। ପରେ ତାଙ୍କ ପତ୍ନୀଙ୍କ ବୟାନ ରେକର୍ଡ କରିଥିଲା। ପାରିବାରିକ କଳହରୁ ସେ ନିଜ ଦେହରେ ନିଆଁ ଲଗାଇଥିବା ପୁଲିସ କହିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button