Action Against Waste Generators ବର୍ଜ୍ୟ ଉତ୍ପାଦନକାରୀଙ୍କ ବିରୋଧରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ
ଓଡ଼ିଶାରେ ବର୍ଜ୍ୟବସ୍ତୁର ଅବିଚାରିତ ନିଷ୍କାସନ ରୋକିବାକୁ କଠୋର କାର୍ଯ୍ୟାନୁଷ୍ଠାନ ହେବ। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବୈଠକରେ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ ଓ ଡିଜିଟାଲ୍ ତଦାରଖ ଉପରେ ଗୁରୁତ୍ୱ ଦିଆଯାଇଛି।

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମର ଅନେକ ସ୍ଥାନରେ ବର୍ଜ୍ୟବସ୍ତୁ ଅବିଚାରିତ ଭାବେ ଜମା କରାଯାଉଛି। ପ୍ରଶାସନ ପକ୍ଷରୁ ଏନେଇ ସଚେତନ କରାଯାଉଥିଲେ ମଧ୍ୟ ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନରେ କୋହଳ ନୀତି ଯୋଗୁଁ ସହର ବିଶେଷତଃ ସହରତଳି ଓ ରାସ୍ତାକଡ଼ ଆବର୍ଜନାମୟ ହୋଇଛି। ଏଣୁ ବର୍ଜ୍ୟଉତ୍ପାଦନକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବା ପାଇଁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନିୟମ-୨୦୨୬ର ଏକ ସମୀକ୍ଷା ବୈଠକରେ ନିଷ୍ପତ୍ତି ନିଆଯାଇଛି।
କମିଟିର ରାଜ୍ୟସ୍ତରୀୟ ପ୍ରଥମ ବୈଠକ ଆଜି (ବୁଧବାର) ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଅଧ୍ୟକ୍ଷତା କରିଥିଲେ। ନିୟମରେ ଥିବା ବିଭିନ୍ନ ବ୍ୟବସ୍ଥା, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ, ବିଭାଗୀୟ ଦାୟିତ୍ୱ ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଛି।
ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଓଏସପିସିବି) ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଊଷା ପାଢୀଙ୍କ ସମେତ କମିଟିର ସଦସ୍ୟ ଥିବା ସଂପୃକ୍ତ ବିଭାଗର ସଚିବ ଏବଂ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ଥିଲେ। ଓଏସପିସିବିର ସଦସ୍ୟ ସଚିବ ଡ ମନୋଜ ଭି. ନାୟାର ନିଜ ଉପସ୍ଥାପନରେ, କଠିନ ବର୍ଜ୍ୟବସ୍ତୁ ସଂଗ୍ରହ ଓ ନିଷ୍କାସନ ସହିତ ଉତ୍ସସ୍ଥଳରୁ ବର୍ଜ୍ୟ ପୃଥକୀକରଣ, ବୈଜ୍ଞାନିକ ପ୍ରକ୍ରିୟାକରଣ, ଡିଜିଟାଲ୍ ତଦାରଖ ବ୍ୟବସ୍ଥା ଏବଂ ସମସ୍ତ ଅଂଶୀଦାରଙ୍କ ଉତ୍ତରଦାୟିତ୍ୱକୁ ଗୁରୁତ୍ବ ଦେବା ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ମତ ଦେଇଥିଲେ।
ସୌଜନ୍ୟ ସମ୍ବାଦ



