ମହାନଗର

Ahe nilasaila: ପୁଣି ପରଦାରେ ‘ଆହେ ନୀଳଶଇଳ’: ମଞ୍ଚ ଗାଇଲା ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ଗାଥା

‘‘ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ। ମୋ ଆରତ ନଳିନୀ ବନକୁ କର ଦଳନ। ଆହେ ନୀଳଶଇଳ।।’’ ଏହି ଭଜନର ଗୁଞ୍ଜରଣ ପୂରା ପ୍ରେକ୍ଷାଳୟରେ ଭରୁଥିଲା ଆଧ୍ୟାତ୍ମିକତାର ପୁଲକ। ‘କରି କରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ’।

ଭୁବନେଶ୍ବର: ‘‘ଆହେ ନୀଳଶଇଳ ପ୍ରବଳ ମତ୍ତ ବାରଣ। ମୋ ଆରତ ନଳିନୀ ବନକୁ କର ଦଳନ। ଆହେ ନୀଳଶଇଳ।।’’ ଏହି ଭଜନର ଗୁଞ୍ଜରଣ ପୂରା ପ୍ରେକ୍ଷାଳୟରେ ଭରୁଥିଲା ଆଧ୍ୟାତ୍ମିକତାର ପୁଲକ। ‘କରି କରାଉ ଥାଇ ମୁହିଁ, ମୋ ବିନୁ ଅନ୍ୟ ଗତି ନାହିଁ’। ଏହି କଥାକୁ ବାରମ୍ବାର ମନେ ପକାଇ ଦେଉଥିଲା ମଞ୍ଚ। ମଞ୍ଚ କହୁଥିଲା କାଳିଆର ଲୀଳାଖେଳା କଥା। ସାରା ଦୁନିଆର ରକ୍ଷକକୁ ଭକ୍ତ କେମିତି ରକ୍ଷା କରୁଛି, ତାକୁ ଦେଖୁଥିଲେ ଦର୍ଶକ। ଆଖି ଜକେଇ ଯାଉଥିଲା, ମନ ଭରି ଆସୁଥିଲା। କଟକର ନାଏବ ନଜିମ୍‌ ତକୀ ଖାଁର ବିଷ ଦୃଷ୍ଟି, ବକ୍ସିଙ୍କ ବିଶ୍ବାସଘାତକତା, ମହାରାଣୀ ଲଳିତା ପାଟଦେଇଙ୍କ ଅନ୍ଧ ବୁଝାମଣା ଦର୍ଶକଙ୍କୁ ଅସ୍ଥିର କରିଛି। ହେଲେ ଗଜପତି ରାମଚନ୍ଦ୍ର ଦେବଙ୍କ ବିଶ୍ବାସ ଓ ରେଜିଆ ବେଗମ୍‌ଙ୍କ ପ୍ରେମ ଆଶ୍ବସ୍ତିର ମଲମ ହୋଇଛି। ଅବସର ଥିଲା, ଓଡ଼ିଆ ଜାତିର ଆତ୍ମା ଶ୍ରୀଜଗନ୍ନାଥଙ୍କୁ ସମର୍ପିତ ଐତିହାସିକ ନାଟକ ‘ଆହେ ନୀଳଶଇଳ’ର ୩୩ତମ ସୋ’ ପ୍ରଦର୍ଶନ ସମାରୋହ। ରବୀନ୍ଦ୍ର ମଣ୍ଡପରେ ମଞ୍ଚସ୍ଥ ଏହି ନାଟକ ସମାରୋହ ଆଜି ଉଦ୍‌ଘାଟିତ ହୋଇଥିବା ବେଳେ ଆଜି ମଧ୍ୟ ଉଛୁଳିଥିଲା ସମ୍ପୂର୍ଣ୍ଣ ପ୍ରେକ୍ଷାଳୟ। ଅତିଥି ଭାବେ ଯୋଗ ଦେଇଥିଲେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଚନ୍ଦ୍ରଶେଖର ହୋତା। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ସମ୍ପାଦକ ତନୟା ପଟ୍ଟନାୟକ ଦର୍ଶକଙ୍କୁ ସ୍ବାଗତ କରିଥିଲେ।

ପୂର୍ବ ପରି ଆଜି ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରେକ୍ଷାଳୟର ସମସ୍ତ ସିଟ୍‌ ଭର୍ତ୍ତି ହୋଇ ଯାଇଥିଲା। ମଞ୍ଚରେ ମହାପ୍ରଭୁଙ୍କ ଲୀଳାଖେଳାକୁ ସ୍ବଚକ୍ଷୁରେ ଦେଖି ଦର୍ଶକମାନେ ଭାବବିହ୍ବଳ ହୋଇ ଯାଇଥିଲେ। ଅଷ୍ଟାଦଶ ଶତାବ୍ଦୀର ଓଡ଼ିଶା ଇତିହାସର ଅନନ୍ୟ ଅଧ୍ୟାୟକୁ ଆଧାର କରି ‘ଚକଲେଟ୍ ପ୍ରଡକ୍‌ସନ୍ସ’ ପକ୍ଷରୁ ମଞ୍ଚସ୍ଥ ହେଉଥିବା ଏହି ନାଟକରେ ମୋଗଲ ଶାସନାଧୀନ ଓଡ଼ିଶାରେ କିଭଳି ସିଂହଦ୍ବାରରେ ପତିତପାବନ ପ୍ରତିଷ୍ଠା ହୋଇଛନ୍ତି ତାହା ନାଟକରେ ଉପସ୍ଥାପିତ ହୋଇଛି। ଏହାର କାହାଣୀ କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ପ୍ରସିଦ୍ଧ ଉପନ୍ୟାସ ‘ନୀଳଶୈଳ’ ଦ୍ବାରା ଆଂଶିକ ଭାବେ ଅନୁପ୍ରେରିତ ହୋଇଥିବା ବେଳେ ନାଟକର ରଚନା କରିଛନ୍ତି ଶଙ୍କର ତ୍ରିପାଠୀ ଓ ଡ. ପ୍ରତିମା ହୋତା। ନିର୍ଦ୍ଦେଶନା ଦେଇଛନ୍ତି ଲାଲା ବୀରେନ୍‌ ରାୟ। ଆସନ୍ତା ୧୮ ତାରିଖ ଯାଏଁ ରବୀନ୍ଦ୍ର ମଣ୍ଡପରେ ଏହି ନାଟକ ମଞ୍ଚସ୍ଥ ହେବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button