ଓଡିଶାମହାନଗର

AIIMS contract employee: ଦରମା ମିଳିଲାନି ବୋଲି କାମ ବନ୍ଦ କଲେ ଏମ୍‌ସ ଠିକା କର୍ମଚାରୀ; ସ୍ବସ୍ଥ୍ୟସେବା ଠପ୍‌, ଶୁଣୁନି ଠିକାସଂସ୍ଥା

ଆଜି ଭୁବନେଶ୍ବର ଏମ୍‌ସରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଡାକ୍ତରଖାନା ଏକ ପ୍ରକାର ଅଚଳ ହୋଇପଡ଼ିଥିଲା। ଦରମା ମିଳିବାରେ ବିଳମ୍ବ, ଓଭର୍‌ ଡ୍ୟୁଟି ପାଇଁ ପ୍ରାପ୍ୟ ନମିଳିବା, ଶ୍ରମ ଆଇନର ଉଲ୍ଲଂଘନ....

ଭୁବନେଶ୍ବର: ଆଜି ଭୁବନେଶ୍ବର ଏମ୍‌ସରେ ଠିକା କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁ ଡାକ୍ତରଖାନା ଏକ ପ୍ରକାର ଅଚଳ ହୋଇପଡ଼ିଥିଲା। ଦରମା ମିଳିବାରେ ବିଳମ୍ବ,  ଓଭର୍‌ ଡ୍ୟୁଟି ପାଇଁ ପ୍ରାପ୍ୟ ନମିଳିବା, ଶ୍ରମ ଆଇନର ଉଲ୍ଲଂଘନ ହେଉଥିବା ଅଭିଯୋଗରେ ଦିନତମାମ ଶତାଧିକ ଆଟେଣ୍ଡାଣ୍ଟ ଓ ସଫେଇ କର୍ମଚାରୀ ଠିକାସଂସ୍ଥା ବିଆଇଏସ୍‌ କାର୍ଯ୍ୟାଳୟ ସମ୍ମୁଖରେ ବସି ରହିଥିଲେ। ଫଳରେ କାଜୁଆଲିଟିରୁ ଓପିଡି ପର୍ଯ୍ୟନ୍ତ ବିଭିନ୍ନ ୱାର୍ଡ ପ୍ରଭାବିତ ହୋଇଥିଲା। ଡଷ୍ଟବିନ୍‌ରୁ ଆବର୍ଜନା ହଟି ନଥିଲା କି ଆଟେଣ୍ଡାଣ୍ଟ ରୋଗୀଙ୍କ ପାଖ ମାଡ଼ି ନଥିଲେ। ପ୍ରାୟ ୧୦ଘଣ୍ଟା ଧରି ଭୁବନେଶ୍ବର ଏମ୍‌ସରେ ସ୍ବାସ୍ଥ୍ୟସେବା ପ୍ରଭାବିତ ହୋଇଥିଲା। ଏନେଇ ଏମ୍‌ସ ନିର୍ଦ୍ଦେଶକ, ମେଡିକାଲ୍‌ ଅଧୀକ୍ଷକ, ଶ୍ରମ ଆୟୁକ୍ତ, ଏମ୍‌ସ ଠିକାର୍ମଚାରୀ ସଂଘର ସଭାପତି ଓ ଖଣ୍ଡଗିରି ଥାନା ଆଇଆଇସିଙ୍କୁ ଅଭିଯୋଗ କରାଯାଇଛି। କିଛି ମହିଳା ଠିକା କର୍ମଚାରୀଙ୍କ ଅଭିଯୋଗ ମୁତାବକ, ସବୁ ମାସରେ ବିଳମ୍ବରେ ଦରମା ମିଳିବା ଦ୍ବାରା କର୍ମଚାରୀମାନେ ମାନସିକ ଚାପ ଦେଇ ଗତି କରୁଛନ୍ତି।

dgjgdjgj

ପିଲାଙ୍କ ପାଠପଢ଼ା, ଘରଭଡ଼ା, ଭଲମନ୍ଦ ସବୁଥିରେ ହଇରାଣ ହେବାକୁ ପଡ଼ୁଛି। ବାରମ୍ବାର ‌ଏନେଇ ଅଭିଯୋଗ କରିବା ସତ୍ତ୍ବେ ଠିକାସଂସ୍ଥା କର୍ଣ୍ଣପାତ କରୁନାହିଁ। ମାସର ୬ ତାରିଖ ସୁଦ୍ଧା ଦରମା ମିଳିବା ପାଇଁ ଧାର୍ଯ୍ୟ ହୋଇଛି। ଆଜି ୯ ତାରିଖ ହୋଇଥିବା ବେଳେ ଦରମା ମିଳିନାହିଁ। ଫଳରେ ଦୁର୍ବିଷହ ଜୀବନ ଜିଉଁଛୁ ବୋଲି କର୍ମଚାରୀମାନେ କ୍ଷୋଭର ସହିତ କହିଛନ୍ତି। ଏପରିକି ପାଟି ଫିଟାଇଲେ ଚାକିରିରୁ ବିଦା କରିଦେବାକୁ ସଂସ୍ଥାର କର୍ମଚାରୀ ଧମକ ଦେଉଥିବା କହିଛନ୍ତି। ଅନୁରୂପ ଭାବେ ଦିନକୁ ୮ଘଣ୍ଟା କାର୍ଯ୍ୟ କରିବା ଲାଗି ସମୟ ଧାର୍ଯ୍ୟ ହେବା ସତ୍ତ୍ବେ ଲୋକଙ୍କ ସୁବିଧା ଅସୁବିଧାକୁ ଦୃଷ୍ଟିରେ ରଖି କର୍ମଚାରୀମାନେ ଅଧିକ ସମୟ କାମ କରୁଛନ୍ତି। ତେବେ ତିନିମାସ ହେଲାଣି ଓଭର୍‌ ଟାଇମ୍‌ ବାବଦକୁ ଟଙ୍କା ମିଳିନାହିଁ। ଫଳରେ ଏହା ଶ୍ରମ ଆଇନର ଖୋଲା ଉଲ୍ଲଂଘନ ବୋଲି କର୍ମଚାରୀମାନେ ଅଭିଯୋଗ କରିଛନ୍ତି।

ଆଜି ସଂଘର ନିଷ୍ପତ୍ତି କ୍ରମେ ୧୫ଶହ କର୍ମଚାରୀ ସକାଳ ୭ଟାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ। ଦରମା ନମିଳିବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି ନାରା ଦେଇଥିଲେ। କେବଳ ଯକୃତ ପ୍ରତିରୋପଣ ବିଭାଗର ଆବଶ୍ୟକତାକୁ ଦୃଷ୍ଟିରେ ରଖି କିଛି କର୍ମଚାରୀ ନିୟୋଜିତ ହୋଇଥିଲେ। ପରେ ଠିକା କର୍ମଚାରୀଙ୍କ ଏକ ପ୍ରତିନିଧିମଣ୍ଡଳୀ ମେଡିକାଲ୍‌ ଅଧୀକ୍ଷକଙ୍କୁ ଭେଟି ଅଭିଯୋଗ କରିଥିଲେ। ପରେ ଆଲୋଚନା ହୋଇ ସନ୍ଧ୍ୟା ୬ଟାରେ କର୍ମଚାରୀଙ୍କୁ ଦରମା ମିଳିଥିଲା। ଏ ସମ୍ପର୍କରେ ବିଆଇଏସ୍‌ ସଂସ୍ଥାର ସହକାରୀ ଶାଖା ପରିଚାଳକ ପିକେ ପୃଷ୍ଟି କହିଛନ୍ତି ଯେ ବ୍ୟାଙ୍କରେ କିଛି ସମସ୍ୟା ଥିବାରୁ କର୍ମଚାରୀଙ୍କୁ ଦରମା ମିଳିପାରି ନଥିଲା। ନଚେତ୍‌ ଠିକ୍‌ ସମୟରେ ଦରମା ପ୍ରଦାନ କରାଯାଇଛି। ତେବେ କିିଛି କ୍ଷେତ୍ରରେ ଦିନେ ଦୁଇଦିନ ବିଳମ୍ବ ହେଉଛି। ସେହିପରି ଓଭର୍‌ଟାଇମ୍‌ ପ୍ରାପ୍ୟ ପାଇଁ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି। ଫାଇଲ୍‌ ଆସିଲେ ବକେୟା ଟଙ୍କା ପ୍ରଦାନ କରାଯିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button