AIIMS Doctors: ୱାଙ୍ଗଚୁକଙ୍କ ମାମଲାରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଲେ ଦିଲ୍ଲୀ ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲ ଡାକ୍ତର
ଦିଲ୍ଲୀ ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘ (ଆର୍ଡିଏ) ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୃଥକ୍ ଭାବେ ଚିଠି ଲେଖି ରୋଗୀଙ୍କ ଅଧିକାର ସୁରକ୍ଷା ଏବଂ ଜନ୍ତରମନ୍ତରରେ ଘଟିଥିବା ଘଟଣାର ସ୍ୱାଧୀନ ତଦନ୍ତ ଦାବି କରିଛନ୍ତି।

ନୂଆଦିଲ୍ଲୀ: ଦିଲ୍ଲୀ ଏମ୍ସ ଓ ସଫଦରଜଙ୍ଗ ହସ୍ପିଟାଲର ରେସିଡେଣ୍ଟ ଡାକ୍ତର ସଂଘ (ଆର୍ଡିଏ) ମଙ୍ଗଳବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପୃଥକ୍ ଭାବେ ଚିଠି ଲେଖି ରୋଗୀଙ୍କ ଅଧିକାର ସୁରକ୍ଷା ଏବଂ ଜନ୍ତରମନ୍ତରରେ ଘଟିଥିବା ଘଟଣାର ସ୍ୱାଧୀନ ତଦନ୍ତ ଦାବି କରିଛନ୍ତି। ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ‘ଲାମା’ ବା ନିଜ ଇଚ୍ଛାରେ ଚିକିତ୍ସାଧୀନ ଅବସ୍ଥାରେ ହସ୍ପିଟାଲ ଛାଡ଼ିବାକୁ ଚାହୁଥିଲେ ମଧ୍ୟ ତାଙ୍କୁ ଅନୁମତି ଦିଆଯାଇ ନ ଥିବା ଅଭିଯୋଗକୁ ନେଇ ସଫଦରଜଙ୍ଗ ହସ୍ପିଟାଲର ଆର୍ଡିଏ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ିଛି।
ଡାକ୍ତର ସଂଘ କହିଛି, ଆଇନଗତ ପ୍ରତିବନ୍ଧକ ନ ଥିଲେ ହସ୍ପିଟାଲ ସର୍ବଦା ଚିକିତ୍ସା ଓ ସେବାର ସ୍ଥାନ ହେବା ଉଚିତ, ଏହା କୌଣସି ବ୍ୟକ୍ତିଙ୍କୁ ଅଟକ ରଖିବାର ସ୍ଥାନ ନୁହେଁ। ସାମ୍ବିଧାନିକ ଅଧିକାର, ଚିକିତ୍ସା ନୈତିକତା, ରୋଗୀଙ୍କ ସ୍ୱାଧୀନ ନିଷ୍ପତ୍ତିର ଅଧିକାର ଏବଂ ସରକାରୀ ସ୍ୱାସ୍ଥ୍ୟ ସଂସ୍ଥାଗୁଡ଼ିକର ସ୍ୱାଧୀନତା ରକ୍ଷା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଲୋଡ଼ାଯାଇଛି। ସେହିପରି ଜନ୍ତରମନ୍ତରରେ ଘଟିଥିବା ଘଟଣାର ସ୍ୱାଧୀନ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି।
ଚିଠିରେ ଆହୁରି କୁହାଯାଇଛି ଯେ, ୱାଙ୍ଗଚୁକଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ତାଙ୍କର ହସ୍ପିଟାଲରେ ରହିବାର ଆବଶ୍ୟକତା ସମ୍ପୂର୍ଣ୍ଣ ଭାବେ ଚିକିତ୍ସକଙ୍କ ସ୍ୱାଧୀନ ଚିକିତ୍ସାଗତ ନିଷ୍ପତ୍ତିର ବିଷୟ। ହସ୍ପିଟାଲରେ ଭର୍ତ୍ତି ପ୍ରତ୍ୟେକ ବ୍ୟକ୍ତିଙ୍କୁ ପ୍ରଥମେ ଜଣେ ରୋଗୀ ଭାବେ ସମ୍ମାନ, ସହାନୁଭୂତି ଓ ଚିକିତ୍ସା ନୈତିକତା ସହ ଭାରତୀୟ ସମ୍ବିଧାନ ଅନୁଯାୟୀ ବ୍ୟବହାର କରାଯିବା ଉଚିତ। ସଫଦରଜଙ୍ଗ ହସ୍ପିଟାଲରେ ୱାଙ୍ଗଚୁକଙ୍କ ରହିବା ସମୟରେ କରାଯାଇଥିବା ‘ଅସାଧାରଣ ସୁରକ୍ଷା ବ୍ୟବସ୍ଥା’କୁ ନେଇ ମଧ୍ୟ ଡାକ୍ତର ସଂଘ ଚିନ୍ତା ପ୍ରକଟ କରିଛି। ସଂଘ କହିଛି, ଯଦି ଏହି ସୁରକ୍ଷା ବ୍ୟବସ୍ଥା ଯୋଗୁ ରୋଗୀ ସେବା ବାଧାପ୍ରାପ୍ତ ହୋଇଥାଏ, ତେବେ ଏହାର ସ୍ୱାଧୀନ ତଦନ୍ତ କରାଯିବା ଉଚିତ।
ଅନ୍ୟପକ୍ଷରେ, ଦିଲ୍ଲୀ ଏମ୍ସର ରେସିଡେଣ୍ଟ ଡାକ୍ତର ସଂଘ ମଧ୍ୟ ମଙ୍ଗଳବାର ରାଷ୍ଟ୍ରପତି ମୁର୍ମୁଙ୍କୁ ଚିଠି ଲେଖି ସୋମବାର ଜନ୍ତରମନ୍ତରରେ ଘଟିଥିବା ଘଟଣାର ସ୍ୱାଧୀନ, ନିରପେକ୍ଷ ଓ ସମୟସୀମା ମଧ୍ୟରେ ତଦନ୍ତ ଦାବି କରିଛି। ଏମ୍ସ ଆର୍ଡିଏ କହିଛି, ୱାଙ୍ଗଚୁକ ‘ଲାମା’ରେ ହସ୍ପିଟାଲ ଛାଡ଼ିବାକୁ ଚାହୁଥିବା ସତ୍ତ୍ୱେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲ ଛାଡ଼ିବାକୁ ଦିଆଯାଇ ନ ଥିବା ଅଭିଯୋଗ ଉଠିଛି। ଯଦି ଏହି ଅଭିଯୋଗ ସତ ହୋଇଥାଏ, ତେବେ ଏହା ରୋଗୀଙ୍କ ଅଧିକାର ଓ ସ୍ୱାଧୀନ ନିଷ୍ପତ୍ତି ଉପରେ ଗୁରୁତର ପ୍ରଶ୍ନ ସୃଷ୍ଟି କରୁଛି।
ସୌଜନ୍ୟ ସମ୍ବାଦ




