
ଭୁବନେଶ୍ବର: ଓଡ଼ିଶା ଟେନିସ ସଂଘ (ଓଟିଏ) ଆନୁକୂଲ୍ୟରେ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ଟେନିସ୍ କମ୍ପ୍ଲେକ୍ସଠାରେ ଆୟୋଜିତ ଆଇଟା-ଓଟିଏ ଟ୍ୟାଲେଣ୍ଟ୍ ସିରିଜ୍ (ଟିଏସ୍୭) ୧୨ ଓ ୧୪ ବର୍ଷରୁ କମ୍ ଟେନିସ୍ ପ୍ରତିଯୋଗିତା ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ବାଳକ ୧୨ ବର୍ଷରୁ କମ୍ରେ ଯୁବରାଜ ମୁଦୁଲି, ବାଳିକାରେ ତନ୍ଭୀ ବେହେରା ଏବଂ ବାଳିକା ୧୪ ବର୍ଷରୁ କମ୍ରେ ସୁଶ୍ରୀ କର୍ମକାର ବିଜେତା ହୋଇ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ୧୨ ବର୍ଷରୁ କମ୍ ବାଳକ ଫାଇନାଲ୍ରେ ଯୁବରାଜ ୬-୧, ୬-୩ ସେଟ୍ରେ ପଶ୍ଚିମବଙ୍ଗର ଦେବାଞ୍ଜୟ ପୋଦ୍ଦାରଙ୍କୁ ପରାସ୍ତ କରିଥିଲେ।
ସେହିଭଳି ବାଳିକାରେ ତନ୍ଭୀ ୬-୨, ୬-୨ ସେଟ୍ରେ ନିଜ ରାଜ୍ୟର ଆୟେଶା ରଥଙ୍କୁ ମାତ୍ ଦେଇଥିଲେ। ୧୪ ବର୍ଷରୁ କମ୍ ବାଳିକାରେ ସୁଶ୍ରୀ ୬-୨, ୬-୩ ସେଟ୍ରେ ପଶ୍ଚିମବଙ୍ଗର ଆହାନା ଦାସଙ୍କୁ ହରାଇଥିଲେ। ବାଳକରେ ଓଡ଼ିଶାର ସିଦ୍ଧାର୍ଥ ଦାସ ୬-୪, ୬-୨ ସେଟ୍ରେ ଝାଡ଼ଖଣ୍ଡର ସମୟ ଆଗମନଙ୍କଠୁ ହାରି ଉପବିଜେତା ହୋଇଥିଲେ। ଏହି ବୟସ ବର୍ଗର ବାଳକ ଯୁଗଳରେ ଓଡ଼ିଆ ଯୋଡ଼ି ଗୌରୀ ଶଙ୍କର ପଣ୍ଡା ଓ ସୂରଜ ଦାସ ୧-୬, ୨-୬ ସେଟ୍ରେ ସୟମ ଓ ସୂର୍ଯ୍ୟାଂଶ ଥାଟୋଇଙ୍କଠୁ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଉଦ୍ଯାପନୀ ଉତ୍ସବରେ ଓଟିଏ ସମ୍ପାଦକ ସଞ୍ଜୀବ ପଣ୍ଡା, ଯୁଗ୍ମସମ୍ପାଦକ ସମ୍ବିତ ପଟ୍ଟନାୟକ, ମୁଖ୍ୟ ପ୍ରଶିକ୍ଷକ ବିନୋଦ ସେଠ୍ ଓ ରେଫରି ଶିବଶଙ୍କର ପରିଡ଼ା ପୁରସ୍କାର ପ୍ରଦାନ କରିଥିଲେ।
ସୌଜନ୍ୟ ସମ୍ବାଦ




