Allegations: ସରକାରୀ ବାସଭବନକୁ ନେଇ ପ୍ରଧାନଶିକ୍ଷକଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ
ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ସମ୍ପତ୍ତିର ବ୍ୟବହାରକୁ ନେଇ ପୁଣି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ ପଟେଲଙ୍କ ନାମରେ ଥିବା ସରକାରୀ ବାସଭବନକୁ ଅନ୍ୟ...

ଲଇକେରା (ଭରତ ପାତ୍ର): ଝାରସୁଗୁଡ଼ା ଜିଲ୍ଲା ଲଇକେରା ବ୍ଲକରେ ସରକାରୀ ସମ୍ପତ୍ତିର ବ୍ୟବହାରକୁ ନେଇ ପୁଣି ଏକ ସଙ୍ଗୀନ ଅଭିଯୋଗ ସାମ୍ନାକୁ ଆସିଛି। କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ହେମନ୍ତ ପଟେଲଙ୍କ ନାମରେ ଥିବା ସରକାରୀ ବାସଭବନକୁ ଅନ୍ୟ ଜଣେ ଶିକ୍ଷକଙ୍କୁ ଭଡ଼ା ସୂତ୍ରରେ ଦିଆଯାଇଥିବା ଅଭିଯୋଗ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଘଟଣାର ନିରପେକ୍ଷ ତଦନ୍ତ କରି ସତ୍ୟାସତ୍ୟ ସାମ୍ନାକୁ ଆଣିବାକୁ ଦାବି ଜୋର ଧରିଛି।
ଅଭିଯୋଗ ଅନୁସାରେ ପ୍ରଧାନଶିକ୍ଷକ ଶ୍ରୀ ପଟେଲ ସରକାରୀ ବାସଭବନ ପାଇଥିବା ସତ୍ତ୍ୱେ ସେଠାରେ ନରହି ଝାରସୁଗୁଡ଼ାରୁ ପ୍ରତିଦିନ ବିଦ୍ୟାଳୟକୁ ଯାତାୟାତ କରୁଛନ୍ତି। ଅଭିଯୋଗକାରୀଙ୍କ କହିବା ଅନୁଯାୟୀ, ଏକପଟେ ସରକାରଙ୍କଠାରୁ ଘରଭଡ଼ା ଭତ୍ତା ନେଉଥିବା ବେଳେ ଅନ୍ୟପଟେ ସରକାରୀ ବାସଭବନକୁ ଅନ୍ୟ ଜଣେ ଶିକ୍ଷକଙ୍କ ଭଡ଼ା ସୂତ୍ରରେ ବ୍ୟବହାର ପାଇଁ ଦିଆଯାଇଛି। ଏହି ଅଭିଯୋଗ ସତ୍ୟ ହେଲେ ସରକାରୀ ବାସଭବନର ବ୍ୟବହାର ଓ ସରକାରୀ ନିୟମ ପାଳନ ନେଇ ଗୁରୁତର ପ୍ରଶ୍ନ ଉଠୁଛି।
ପ୍ରଧାନଶିକ୍ଷକ ଶ୍ରୀ ପଟେଲ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ, ଆରଡି ବିଭାଗ ଉକ୍ତ ବାସଗୃହକୁ ବିଦ୍ୟାଳୟକୁ ହସ୍ତାନ୍ତର କରିନଥିବାରୁ ଘରଟି ଖାଲି ପଡ଼ିଥିଲା। ତେଣୁ ବିଦ୍ୟାଳୟର ଜଣେ ଶିକ୍ଷକ ନିଜେ ବିଦ୍ୟୁତ ସଂଯୋଗ କରି ସେଠାରେ ରହୁଛନ୍ତି। ସେ ନିଜେ ଘରଟିକୁ ଭଡ଼ାରେ ଦେଇନଥିବା ସ୍ପଷ୍ଟ କରିଛନ୍ତି। କିନ୍ତୁ ଏହି ଦାବିକୁ ନେଇ ଆରଡି ବିଭାଗର ଯନ୍ତ୍ରୀ ଖଗେଶ୍ୱର ମେହେରଙ୍କ ବୟାନ ଘଟଣାକୁ ଆହୁରି ଗୁରୁତର କରିଛି। ଯନ୍ତ୍ରୀଙ୍କ କହିବା ଅନୁଯାୟୀ ୨୧ ଏପ୍ରିଲ ୨୦୨୩ରୁ ଉକ୍ତ ବାସଗୃହ କେବିଜେ ସରକାରୀ ଉଚ୍ଚ ବିଦ୍ୟାଳୟକୁ ହସ୍ତାନ୍ତର ହୋଇସାରିଛି।
ସୌଜନ୍ୟ ସମ୍ବାଦ




