America: ଆମେରିକା ଅସ୍ତ୍ରଭଣ୍ଡାର ଅଧା ହୋଇଗଲାଣି

ୱାସିଂଟନ: ଇରାନ-ଆମେରିକା  ଯୁଦ୍ଧ ଆମେରିକା ସେନାର ଅସ୍ତ୍ରଶସ୍ତ୍ର ଓ କ୍ଷେପଣାସ୍ତ୍ର ଭଣ୍ଡାରରେ ଯଥେଷ୍ଟ ହ୍ରାସ ଘଟାଇଛି। ପେଣ୍ଟାଗନ୍ ଅଧିକାରୀମାନେ ସ୍ୱୀକାର କରିଛନ୍ତି ଯେ ଏହି ଯୁଦ୍ଧ ସେମାନଙ୍କ ସମ୍ବଳକୁ କ୍ଷତି ପହଞ୍ଚାଇଛି। ଏହାର ସମାଧାନ ପାଇଁ ୨୦୨୭ ପ୍ରତିରକ୍ଷା ବଜେଟ୍‌ରେ ଯଥେଷ୍ଟ ବୃଦ୍ଧି ଦାବି କରିଛି ପେଣ୍ଟାଗନ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇରାନ ସହିତ ଚାଲିଥିବା ଯୁଦ୍ଧ ସମୟରେ ଆମେରିକାର କ୍ଷେପଣାସ୍ତ୍ର ଭଣ୍ଡାର ୫୦ ପ୍ରତିଶତ ହ୍ରାସ ପାଇଛି। ଆମେରିକାର ସେନା ଏହାର ୪୫ ପ୍ରତିଶତ ସଠିକ୍ ଆକ୍ରମଣ କ୍ଷେପଣାସ୍ତ୍ର ସମାପ୍ତ କରିସାରିଛି। ଅପରପକ୍ଷେ ଇରାନର ମାରକ କ୍ଷମତା ଓ ସୈନ୍ୟ ଶକ୍ତି ଏବେ ବି ସୁରକ୍ଷିତ ରହିଛି। ଯୁଦ୍ଧରେ ଆମେରିକା ସେନା ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ଇଣ୍ଟର୍‌ସେପ୍ଟର୍‌ କ୍ଷେପଣାସ୍ତ୍ରର ଅଧା ଓ ଥାଡ୍ ସିଷ୍ଟମ୍‌କୁ ମଧ୍ୟ ହରାଇଛି

ରିଜର୍ଭ ହ୍ରାସ ପାଉଥିବାରୁ, ଆମେରିକୀୟ ସାମରିକ ଅଧିକାରୀମାନେ  ୧.୫ ଟ୍ରିଲିୟନ ଡଲାରର ପ୍ରତିରକ୍ଷା ବଜେଟ୍ ବୃଦ୍ଧି ପ୍ରସ୍ତାବ ଦେଇଛନ୍ତି। ନୂତନ ବଜେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର ଓ କ୍ଷେପଣାସ୍ତ୍ର ଇଣ୍ଟର୍‌ସେପ୍ଟର୍‌ କ୍ରୟ ପାଇଁ ୩୦ ବିଲିୟନ ଡଲାରରୁ ଅଧିକ ଖର୍ଚ୍ଚ କରିବାକୁ କୁହାଯାଇଛି। ଏହି ବିଶାଳ ଖର୍ଚ୍ଚ ଯୋଜନା ମୁଖ୍ୟତଃ ମଧ୍ୟପ୍ରାଚ୍ୟରେ ସଂଘର୍ଷ ଆରମ୍ଭ ହେବା ପୂର୍ବରୁ ଡିଜାଇନ୍ କରାଯାଇଥିଲା କିନ୍ତୁ ବର୍ତ୍ତମାନ ଏହାର ଜରୁରୀ ଆବଶ୍ୟକତା ରହିଛି। ନୂତନ ବଜେଟ୍ ପ୍ରସ୍ତାବରେ, ପେଣ୍ଟାଗନ୍ ଆଧୁନିକ ସାମରିକ ଡ୍ରୋନ୍ ଓ ସମ୍ପର୍କିତ ପ୍ରଯୁକ୍ତିବିଦ୍ୟା ପାଇଁ ପ୍ରାୟ ୭୪ ବିଲିୟନ ଡଲାର ଖର୍ଚ୍ଚ କରିବାକୁ ଯୋଜନା କରିଛି। ଶତ୍ରୁ ଡ୍ରୋନ୍‌କୁ ଗୁଳି କରି ଖସାଇ ପାରୁଥିବା କାଉଣ୍ଟର-ଡ୍ରୋନ୍ ସିଷ୍ଟମ୍ ପାଇଁ ଏକ ପୃଥକ୍ ୨୧ ବିଲିୟନ ଡଲାର ଦାବି କରାଯାଇଛି। ପେଣ୍ଟାଗନ ପ୍ରତିରକ୍ଷା ବଜେଟ୍‌ରେ ୪୪,୫୦୦ ଅତିରିକ୍ତ ସୈନିକ ନିଯୁକ୍ତି ପ୍ରସ୍ତାବ ଦେଇଛି, ଯାହା ମୋଟ ସୈନ୍ୟ ଶକ୍ତିର ୨ ପ୍ରତିଶତ। ପେଣ୍ଟାଗନ ଆମେରିକା-ମେକ୍ସିକୋ ସୀମାରେ ସୁରକ୍ଷା ପାଇଁ ୨ ବିଲିୟନ ଡଲାର ଏବଂ ୧୯୬୨ ପରଠାରୁ ସବୁଠାରୁ ବଡ ଜାହାଜ ନିର୍ମାଣ ପାଇଁ ଅନୁରୋଧ କରିଛି। ନୌସେନାର ଟୋମାହକ୍ କ୍ରୁଜ୍ କ୍ଷେପଣାସ୍ତ୍ର କ୍ରୟ ଗତ ବର୍ଷ ୫୫ରୁ ଚଳିତ ବର୍ଷ ୭୮୫କୁ ବୃଦ୍ଧି କରାଯାଇଛି।

ଆମେରିକା ପ୍ରତିରକ୍ଷା ବିଭାଗ ଅଧିକାରୀ ଜୁଲ୍ସ ହର୍ଷ୍ଟ-୩ କହିଛନ୍ତି ଯେ, ଏହି ନୂତନ ବଜେଟ୍‌ରେ ଇରାନ ସହିତ ଜଡିତ କୌଣସି ଅତିରିକ୍ତ କାର୍ଯ୍ୟକ୍ଷମ ଖର୍ଚ୍ଚ ଅନ୍ତର୍ଭୁକ୍ତ ନାହିଁ। ନିରନ୍ତର ବ୍ୟବହାର ହେଉଥିବା ଟୋମାହକ୍ ଭଳି ଦୂରଗାମୀ କ୍ରୁଜ୍ କ୍ଷେପଣାସ୍ତ୍ରର ଦ୍ରୁତ ବ୍ୟବହାର ସାମରିକ ବିଶେଷଜ୍ଞଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଚିନ୍ତା ସୃଷ୍ଟି କରିଛି। ବିଶେଷଜ୍ଞମାନଙ୍କ ଅନୁସାରେ  ସାମରିକ ବାହିନୀ ଯେତେ ଶୀଘ୍ର ଏହି କ୍ଷେପଣାସ୍ତ୍ରଗୁଡ଼ିକୁ ବ୍ୟବହାର କରୁଛି, ସେତେ ଶୀଘ୍ର ଏହାକୁ ପୂରଣ କରିବା ସମ୍ଭବ ନୁହେଁ। ଏହି ରିପୋର୍ଟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଯୁଦ୍ଧ ସଚିବ ପିଟ୍ ହେଗସେଥ୍‌ଙ୍କ ବକ୍ତବ୍ୟର ସମ୍ପୂର୍ଣ୍ଣ ଓଲଟା ତଥ୍ୟ ପ୍ରକାଶ କରୁଛି। ସେମାନେ ଦାବି କରିଥିଲେ, ଇରାନର ସାମରିକ ବାହିନୀ ଅପୂରଣୀୟ କ୍ଷତି ସହିଛି। ପୂର୍ବରୁ ଆମେରିକୀୟ ଅଧିକାରୀମାନେ କହିଥିଲେ, ଇରାନର ବାୟୁସେନା ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଯାଇଛି ଏବଂ ଏହାର ନୌସେନା ଧ୍ୱଂସ ପାଇଛି। ତଥାପି ପେଣ୍ଟାଗନ୍ ରିପୋର୍ଟରେ କୁହାଯାଇଛି ଯେ, ସାମ୍ପ୍ରତିକ ସାମରିକ କାର୍ଯ୍ୟାନୁଷ୍ଠାନ ସତ୍ତ୍ୱେ, ଇରାନର ସଶସ୍ତ୍ର ବାହିନୀ ମଧ୍ୟପ୍ରାଚ୍ୟରେ ଏକ ପ୍ରମୁଖ ଶକ୍ତି ଭାବରେ ରହିଛି।

 

 

 

 

 

ସୌଜନ୍ୟ ସମ୍ବାଦ