ନୂଆଦିଲ୍ଲୀ: ଆଇ ପ୍ୟାକ୍ ଚଢ଼ଉ ମାମଲାରେ ଆଜି ସୁପ୍ରିମ୍କୋର୍ଟ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। କୋଲକାତାରେ ଆଇ-ପ୍ୟାକ୍ ନିର୍ଦ୍ଦେଶକଙ୍କ ବାସଭବନରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଚଢ଼ଉ କରିବା ସମୟରେ ମମତାଙ୍କ ହସ୍ତକ୍ଷେପ ପାଇଁ କୋର୍ଟ ଆଜି ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ ମମତା ଚଢ଼ଉ ମଝିରେ ହଠାତ୍ ପ୍ରବେଶ କରିବା ଏବଂ ଆଇ-ପ୍ୟାକ୍ ସହ ଜଡ଼ିତ ଫାଇଲ୍ ନେଇଯିବା ଘଟଣା ଅତ୍ୟନ୍ତ ଚିନ୍ତାଜନକ ବୋଲି କୋର୍ଟ କହିଛନ୍ତି।
ସୁପ୍ରିମ୍କୋର୍ଟ କହିଛନ୍ତି, ଏହା କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ନୁହେଁ। ଆମେ କେବେ ବି ଭାବିନଥିଲୁ ଯେ ଏହି ଦେଶରେ ଏମିତି ବି ଏକ ଦିନ ଆସିବ ଯେଉଁଦିନ କ୍ଷମତାରେ ଥିବା ଜଣେ ମୁଖ୍ୟମନ୍ତ୍ରୀ ତଦନ୍ତକାରୀ ଅଫିସର ତଦନ୍ତ ଚଳାଇଥିବା
ଏକ ଅଫିସ୍କୁ ଯାଇ ତଦନ୍ତ ପ୍ରକ୍ରିୟାରେ ହସ୍ତକ୍ଷେପ କରିବେ। କୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ତଦନ୍ତ ମଝିରେ ଏମିତି ହସ୍ତକ୍ଷେପ କରିପାରିବେନି। ଜଣେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏଭଳି କାର୍ଯ୍ୟ ଗଣତନ୍ତ୍ରକୁ ବିପଦରେ ପକାଉଛି ବୋଲି କୋର୍ଟ କହିଛନ୍ତି। ଏହି ଘଟଣାର ସିବିଆଇ ତଦନ୍ତ ଦାବି କରି ଇଡି ସୁପ୍ରିମ୍କୋର୍ଟରେ କରିଥିବା ଏକ ଆବେଦନର ଶୁଣାଣି କରିବା ସମୟରେ ଆଜି ଜଷ୍ଟିସ ପିକେ ମିଶ୍ର ଓ ଏନ୍ଭି ଅଞ୍ଜରିଆଙ୍କ ଖଣ୍ଡପୀଠ କହିଛନ୍ତି, ଏହି ମାମଲା ଅତି ‘ଅସାଧାରଣ’। କୌଣସି ବି ରାଜ୍ୟର ମୁଖ୍ୟମନ୍ତ୍ରୀ ତଦନ୍ତ ମଝିରେ ଏମିତି ହସ୍ତକ୍ଷେପ କରି ଗଣତନ୍ତ୍ରକୁ ବିପଦରେ ପକାଇପାରିବେନି ଏବଂ ତା’ପରେ କହିପାରିବେନି ଯେ ଏହାକୁ ରାଜ୍ୟ ଓ କେନ୍ଦ୍ର ମଧ୍ୟରେ ଏକ ବିବାଦରେ ପରିଣତ କରନା।
ସୌଜନ୍ୟ ସମ୍ବାଦ

