ରାଜ୍ୟ

Andhra’s ‘Neredi’ project: ଆନ୍ଧ୍ରର ‘ନେରେଡ଼ି’ ପ୍ରକଳ୍ପ ପାଇଁ ଜମି ଦେବ ଓଡ଼ିଶା: ଗଜପତିର ୧୦୬ ଏକର ଜମି ଅଧିଗ୍ରହଣ ହେବ

ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍‌ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ...

ପାରଳାଖେମୁଣ୍ଡି (ସୁଜିତ ବିଷୋୟୀ): ବଂଶଧାରା ନଦୀ ଉପରେ ଆନ୍ଧ୍ରପ୍ରଦେଶର ପ୍ରସ୍ତାବିତ ନେରେଡ଼ି ବ୍ୟାରେଜ୍‌ ପାଇଁ ଗଜପତି ଜିଲ୍ଲାରୁ ୧୦୬ ଏକର ଜମି ଅଧିଗ୍ରହଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଏନେଇ କାଶୀନଗର ତହସିଲ ଅଞ୍ଚଳରେ ଜମି ଚିହ୍ନଟ ଓ ଯାଞ୍ଚ ପାଇଁ ପ୍ରଶାସନିକ ତତ୍ପରତା ଆରମ୍ଭ ହୋଇଥିବା ବେଳେ ଆସନ୍ତା ୨୮ ତାରିଖରେ ଓଡ଼ିଶା ଓ ଆନ୍ଧ୍ରର ସମ୍ପୃକ୍ତ ଅଧିକାରୀ ଯୁଗ୍ମ ଯାଞ୍ଚ କରିବେ। ସେପଟେ ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଖବର ପ୍ରଚାର ହେବା କ୍ଷଣି ଅସନ୍ତୋଷ ବଢ଼ିବାରେ ଲାଗିଛି। ଏହି ପ୍ରକଳ୍ପ ଯୋଗୁଁ ପ୍ରାୟ ୫ଟି ଗାଁର ୨୦୦୦ ପରିବାର ବାସ ଓ ଚାଷଜମି ହରାଇବା ଆଶଙ୍କା ଦେଖାଦେଇଛି। ଅଧିଗ୍ରହଣ ପୂର୍ବରୁ ପ୍ରଭାବିତ ପରିବାରଙ୍କ ସହ ଆଲୋଚନା କରାଯାଇ ନଥିବା ଅଭିଯୋଗ ହୋଇଛି।

ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, ପ୍ରସ୍ତାବିତ ବ୍ୟାରେଜ୍‌ର ଉଚ୍ଚତା ପ୍ରାୟ ୧୮ ଫୁଟ ହେବ। ନଦୀଠାରୁ ପ୍ରାୟ ୧୦ ଫୁଟ ତଳେ କିଛି ଗାଁ ରହିଥିବାରୁ ବ୍ୟାରେଜ୍‌ ନିର୍ମାଣ ପରେ ଜଳସ୍ତର ବୃଦ୍ଧି ଓ ଜଳବନ୍ଦି ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। ଶହ ଶହ ଏକର ଚାଷଜମି ଜଳମଗ୍ନ ହେବା ସହ ବଂଶଧାରା ଉପରେ ନିର୍ଭରଶୀଳ ଉଠାଜଳସେଚନ ପ୍ରକଳ୍ପ ପ୍ରଭାବିତ ହେବ। ସେହିପରି ଏହି ବ୍ୟାରେଜ୍‌ର ସୁଫଳ କେବଳ ଆନ୍ଧ୍ର ଚାଷୀ ପାଇବେ। ‘ଓଡ଼ିଶା ଚାଷୀ ଜମି ହରାଇବେ, ଆନ୍ଧ୍ର ଚାଷୀ ସୁନା ଫଳାଇବେ’ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହାର ଦୃଢ଼ ପ୍ରତିବାଦ ହେବ ବୋଲି ଜିଲ୍ଲା ପରିଷଦ ସଭାପତି ଜି.ତିରୁପତି ରାଓ, ସମିତିସଭ୍ୟ ଜଗନ୍ନାଥ ଦୋରା, ବଂଶଧାରା ସୁରକ୍ଷା ମଞ୍ଚର ସଭାପତି ବ୍ରଜମୋହନ ନାୟକ ଓ ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।

ସୂଚନାଯୋଗ୍ୟ ବଂଶଧାରା ଜଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବହୁଦିନ ଧରି ବିବାଦ ରହିଆସିଛି। ଏହାର ସମାଧାନ ପାଇଁ ଗଠିତ ବଂଶଧାରା ଜଳବିବାଦ ଟ୍ରିବ୍ୟୁନାଲ୍‌ର ଚୂଡ଼ାନ୍ତ ଆଦେଶ ୨୦୧୭ ସେପ୍ଟେମ୍ବର ୧୩ରେ ପ୍ରକାଶ ପାଇଥିଲା। ପରେ କେନ୍ଦ୍ର ସରକାର ଚଳିତବର୍ଷ ମାର୍ଚ୍ଚ ୨୬ରେ ଗେଜେଟ୍‌ ନୋଟିଫିକେସନ୍‌ ଜାରି କରିଥିଲେ। ଟ୍ରିବ୍ୟୁନାଲ୍‌ଙ୍କ ଆଦେଶ ଅନୁସାରେ ନେରେଡ଼ି ବ୍ୟାରେଜ୍‌ ପାଇଁ ଓଡ଼ିଶା ଅଞ୍ଚଳରୁ ୧୦୬ ଏକର ଜମି ଅଧିଗ୍ରହଣ କରି ଆନ୍ଧ୍ରପ୍ରଦେଶକୁ ହସ୍ତାନ୍ତର କରିବାକୁ ହେବ। ଗେଜେଟ୍‌ ପ୍ରକାଶର ଏକବର୍ଷ ମଧ୍ୟରେ ଅର୍ଥାତ୍‌ ୨୦୨୭ ମାର୍ଚ୍ଚ ୩୦ ସୁଦ୍ଧା ଏହି ପ୍ରକ୍ରିୟା ସମ୍ପନ୍ନ ହେବ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button