Anganwadi: ଅଙ୍ଗନବାଡି କେନ୍ଦ୍ର ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସକ୍ଷମ ଅଙ୍ଗନବାଡି

ନବରଙ୍ଗପୁର (ସୁରେଶ ନାଇଡୁ): ଅଙ୍ଗନବାଡି କେନ୍ଦ୍ର ଠାରୁ ସମ୍ପୂର୍ଣ୍ଣ ରୂପେ ଭିନ୍ନ ସକ୍ଷମ ଅଙ୍ଗନବାଡି। ସାରା ଦେଶରେ ଅଙ୍ଗନବାଡି ସେବାର କାର୍ଯ୍ୟାନ୍ୱୟନ ଏବଂ ତଦାରଖ ଏବଂ ତଥ୍ୟ ସଂଗ୍ରହ କରିବା ପାଇଁ ପୋଷଣ ଟ୍ରାକର ୨.୦ ନାମକ ଆଇସିଟି ସକ୍ଷମ ପ୍ଲାଟଫର୍ମ ଡିଜାଇନ୍ କରାଯାଇଛି। ଶିଶୁ ଓ ମାତୃ ମୃତ୍ୟୁହାରକୁ ରୋକିବା, ରୋଗ, କୁପୋଷଣ ଏବଂ ଅଧାରୁ ସ୍କୁଲ ଛାଡ଼ୁଥିବା ଘଟଣା ହ୍ରାସ କରିବା। ସ୍ୱାସ୍ଥ୍ୟ ଶିକ୍ଷା ମାଧ୍ୟମରେ ଶିଶୁର ସାଧାରଣ ସ୍ୱାସ୍ଥ୍ୟ ଏବଂ ପୁଷ୍ଟିକର ଆବଶ୍ୟକତାକୁ ଯତ୍ନ ନେବା ପାଇଁ ମା’ଙ୍କ କ୍ଷମତା ବୃଦ୍ଧି କରିବା ରହିଛି ଲକ୍ଷ୍ୟ।

ନବରଂଗପୁରଜିଲ୍ଲା ୧୦ଟି ବ୍ଲକରେ  ଅତ୍ୟାଧୁନିକ, ପ୍ରଯୁକ୍ତିବିଦ୍ୟା ସମ୍ପର୍ଣ୍ଣ ସୁବିଧା ଥିବା ୬୩୬ଟି ସକ୍ଷମ ଅଙ୍ଗନବାଡୀ କେନ୍ଦ୍ର କରିବାକୁ କେନ୍ଦ୍ର ସରକାର ମଂଜୁର କରିଥିଲେ। ୪୬୦ଟିର ପୁନଃରୁଦ୍ଧାର  ହୋଇ ନ ପାରି  ଦୀର୍ଘ ୩ବର୍ଷ ହେବ ଲଟକିଛି। ଏନେଇ ସମ୍ବାଦରେ ଗତ ମାର୍ଚ୍ଚ ୫ତାରିଖ ଦିନ ‘ଅବ୍ୟବସ୍ଥାରେ ସକ୍ଷମ ଅଙ୍ଗନବାଡି କେନ୍ଦ୍ର’ ବୋଲି ରିପୋର୍ଟ ପ୍ରକାଶ ପାଇଥିଲା। ଏହାକୁ ନେଇ ମାନବାଧିକାର କର୍ମୀ ଅନୁପ ପାତ୍ର ଜାତୀୟ ମାନବିକ ଅଧିକାର କମିସନରେ ମାମଲା ରୁଜୁ କରିଥିଲେ। ଏହାକୁ ନେଇ ଏନଏଚଆରସି ନବରଙ୍ଗପୁର ଜିଲ୍ଲାପାଳଙ୍କୁ  ସବୁ କେନ୍ଦ୍ରର ଯାଂଚ କରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ(ଏକ୍ସନ ଟେକନ୍ ରିପୋର୍ଟ) ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସକ୍ଷମ ଅଙ୍ଗନୱାଡୀକେନ୍ଦ୍ର ପରିସରରେ ଏଲଇଡି , ଆରଓ ମେସିନ୍, ପୋଷଣ ବାଟିକା (ପୁଷ୍ଟିକର ଉଦ୍ୟାନ) ଏବଂ ଇଣ୍ଟରନେଟ୍ ସଂଯୋଗ ଲାଗିବ। ସକ୍ଷମ ଅଙ୍ଗନୱାଡିରେ ଛଅଟି ସେବାର ଏକ ପ୍ୟାକେଜ୍ ଯଥା, ପରିପୂରକ ପୁଷ୍ଟିସାର; ପ୍ରାକ୍-ସ୍କୁଲ ଅଣ-ଆନୁଷ୍ଠାନିକ ଶିକ୍ଷା; ପୁଷ୍ଟିସାର ଏବଂ ସ୍ୱାସ୍ଥ୍ୟ ଶିକ୍ଷା; ଟୀକାକରଣ, ସ୍ୱାସ୍ଥ୍ୟ ପରୀକ୍ଷା, ସ୍ମାର୍ଟ ଶିକ୍ଷଣ ଉପକରଣରେ ସ୍ମାର୍ଟ କରିବା ରହିଛି।  ୦-୬ ବର୍ଷର ପିଲା, ଗର୍ଭବତୀ ମହିଳା, କିଶୋରୀ ବାଳିକା ଏବଂ ସ୍ତନ୍ୟପାନକାରୀ ମାଆଙ୍କ ପାଇଁ ପୁଷ୍ଟିକରତା, ପ୍ରାରମ୍ଭିକ ଶୈଶବ ଯତ୍ନ ଏବଂ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବା ଉପରେ ଧ୍ୟାନ ଦେବାକୁ ଏହା ସ୍ବତନ୍ତ୍ର ଯୋଜନା ପ୍ରଣୟନ କରାଯାଇଥିଲା।
ନବରଙ୍ଗପୁର ଦଶହରାପଦା କେନ୍ଦ୍ରଟି ଗୋଟିଏ ରୁମରେ କେନ୍ଦ୍ର ଚାଳିଥିବା ବେଳେ ନାମକୁ ମାତ୍ର ରୋଷଇଘର ରହିଛି। ପାଚେରୀ ନାହିଁ। ଶୌଚାଳାୟ ଅବସ୍ଥା ନ କହିବା ଭଲ। ସାହି ବାସିନ୍ଦାଙ୍କ ବାହ୍ୟ ମଳମୁକ୍ତ ସ୍ଥାନ ପାଲଟିଛି କେନ୍ଦ୍ର। ରାସ୍ତା ପାର୍ଶ୍ବରେ ଥିବାରୁ ସବୁ ବେଳେ ମଇଳା। ୨୪ଟି ପିଲା ରହିଥିବା  କେନ୍ଦ୍ର ପକ୍ଷରୁ କୁହାଯାଉଛି। ଗୋଦାମ ଘର ନଥିବାରୁ ପିଲା ମାନେ ବସିବା ରୁମରେ ହିଁ ପୃଷ୍ଟିକର ଖାଦ୍ୟ ସବୁ ଜମା କରି ରଖାଯାଇଛି।

ଜିଲ୍ଲାର ଚନ୍ଦାହାଣ୍ଡି ବ୍ଲକରେ ମଞୁର ୫୦ଟି ହୋଇଥିବା ବେଳେ ୧୦ଟି କାର୍ଯ୍ୟକ୍ଷମ ହେଉଛି। ଡାବୁଗାଁରେ ୫୯ଟିରୁ ୧୦ଟି, ଝରିଗାଁରେ ୬୮ଟିରୁ ୨୪ଟି, କୋଷାଗୁମୁଡାରେ ୭୮ରୁ ୧୭ଟି, ନବରଙ୍ଗପୁର ୬୦ରୁ ୨୫ଟି, ନନ୍ଦାହାଣ୍ଡି ୪୮ରୁ ୧୦ଟି, ପାପଡାହାଣ୍ଡି ୮୮ଟିରୁ ୨୬ଟି, ରାଇଘର ୫୫ଟିରୁ ୧୫ଟି, ତେନ୍ତୁଳିଖୁଣ୍ଟି ୬୭ଟିରୁ ୧୮ଟି, ଓଉମରକୋଟରେ ୬୩ଟିରୁ ୨୧ଟି କାର୍ଯ୍ୟକ୍ଷମ ହୋଇଛି।

ଗତ ମାର୍ଚ୍ଚ ୨ତାରିଖ ଦିନ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ ଦଶହରାପଦା  କେନ୍ଦ୍ର ପରିଦର୍ଶନରେ ଯାଇ କେନ୍ଦ୍ରର ଅବସ୍ଥାକୁ ଦେଖି ଖୁବ ବିଗଡ଼ିଥିଲେ। ଡିଏସଡବ୍ଲୁଓ ଦ୍ରୌପଦୀ କହଁରଙ୍କ ଉପରେ ବିଗଡ଼ି , ଜିଲ୍ଲାର ସବୁ ସକ୍ଷମ ଅଙ୍ଗନୱାଡୀ କେନ୍ଦ୍ରର ଭିତ୍ତିଭୂମି ସହ କେନ୍ଦ୍ରର ସବୁ ସୁବିଧା ଓ ଅସୁବିଧାକୁ ନେଇ ସବିଶେଷ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ।

 

 

 

 

ସୌଜନ୍ୟ ସମ୍ବାଦ