ଭୁବନେଶ୍ବର: ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଅଭାବ ଉତ୍କଟ ରୂପ ନେଇଛି। ଲୋକମାନେ ନାହିଁ ନଥିବା ଅସୁବିଧା ଭୋଗିବା ସହ ଗାଡ଼ିରେ ତେଲ ପକାଇବା ପାଇଁ ଟାଙ୍କିକୁ ଟାଙ୍କି ଘୂରି ବୁଲିଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ରାଜଧାନୀରେ ପେଟ୍ରୋଲ ପମ୍ପରେ ଭିଡ଼ ନିୟନ୍ତ୍ରଣ ପାଇଁ ଆଜି ପୁଲିସ ମୁତୟନ ହୋଇଥିବା ଦେଖିବାକୁ ମିଳିଛି। ଅନେକ ପେଟ୍ରୋଲ ପମ୍ପରେ ତେଲ ନ ଥିବାରୁ ବାଡ଼ ପଡ଼ିଛି କିମ୍ବା ଦଉଡ଼ି ବନ୍ଧା ହୋଇଛି। ଯେଉଁ କିଛି ଟାଙ୍କିରେ ତେଲ ମିଳୁଛି ସେଠାରେ ଗ୍ରାହକମାନଙ୍କର ଅସମ୍ଭାଳ ଭିଡ଼ ହୋଇଛି। ଧାଡ଼ିରେ ଘଣ୍ଟା ଘଣ୍ଟା ଠିଆ ହୋଇ ତେଲ ପକାଇଛନ୍ତି। ତେଲ ସରିଯିବା ଭୟ ଘାରିଥିବାରୁ ଟାଙ୍କିଗୁଡ଼ିକରେ ପ୍ରବଳ ଭିଡ଼ ଲାଗୁଛି। ଆଜି ରାଜ୍ୟର କୋଣ ଅନୁକୋଣରେ ତେଲକୁ ନେଇ ଏଭଳି ସ୍ଥିତି ଦେଖିବାକୁ ମିଳିଛି। ଗ୍ରାମାଞ୍ଚଳରେ ଲୋକମାନେ ଘର ପାଖରେ ତେଲ ନପାଇ ହଇରାଣ ହୋଇଛନ୍ତି। ସେହିଭଳି ବସ୍ ଓ ଟ୍ରକଗୁଡ଼ିକୁ ଆବଶ୍ୟକ ମାତ୍ରାରେ ତେଲ ମିଳୁ ନଥିବାରୁ ପରିବହନ ସେବା ଠପ୍ ହେବାର ଆଶଙ୍କା ଉପୁଜିଛି।
ସୂଚନା ଅନୁଯାୟୀ, ପୂର୍ବରୁ ପେଟ୍ରୋଲ ପମ୍ପରେ ତିନିରୁ ଚାରି ଦିନର ଆବଶ୍ୟକତା ପୂରଣ ହେବା ଭଳି ତେଲ ଗଚ୍ଛିତ ରଖିବାକୁ କମ୍ପାନିଗୁଡ଼ିକ ପେଟ୍ରୋଲ ପମ୍ପ ମାଲିକମାନଙ୍କୁ ପୂର୍ବରୁ କହୁଥିଲେ। ଏବେ ମାତ୍ର ଦୁଇ ଦିନର ତେଲ ରଖିବାକୁ ସେମାନେ କହୁଛନ୍ତି। ହଠାତ୍ ଅଧିକ ଗ୍ରାହକ ଆସିବା ପରେ ତେଲ ଶୀଘ୍ର ସରିଯାଉଛି। ତେଣୁ ଟାଙ୍କି ବନ୍ଦ କରିବାକୁ ମାଲିକ ବାଧ୍ୟ ହେଉଛନ୍ତି। ରାଜ୍ୟରେ ଅଭାବନୀୟ ସ୍ଥିତି ଦେଖାଯିବା ପରେ ମୁଖ୍ୟ ସଚିବ ଅନୁ ଗର୍ଗ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ତେଲର କୌଣସି ଅଭାବ ନାହିଁ। ଲୋକମାନେ ଆତଙ୍କିତ ହୋଇ ତେଲ କିଣୁଛନ୍ତି। ଆମେ ଖୁବଶୀଘ୍ର ଏ ସଂକ୍ରାନ୍ତରେ ପଦକ୍ଷେପ ଗ୍ରହଣ କରିବୁ ବୋଲି ଶ୍ରୀମତୀ ଗର୍ଗ କହିଛନ୍ତି। ସେହିଭଳି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ପ୍ରମୁଖ ସଚିବ ସଞ୍ଜୟ ସିଂହ କହିଛନ୍ତି, ଆତଙ୍କିତ ହେବାର କୌଣସି କାରଣ ନାହିଁ। ରାଜ୍ୟରେ ଥିବା ମାତ୍ର ୧ ପ୍ରତିଶତ ତେଲ ଟାଙ୍କିରେ ପେଟ୍ରୋଲ ଓ ଡିଜେଲ ଅଭାବ ସାମୟିକ ଦେଖାଦେଇଛି। ଏହାକୁ ସଙ୍କଟ କହିବା ଠିକ୍ ହେବ ନାହିଁ। ସରକାର ତୈଳ କମ୍ପାନିଗୁଡ଼ିକ ସହ ଯୋଗାଯୋଗରେ ଅଛନ୍ତି। ସେମାନଙ୍କ ସହ ନିୟମିତ ଆଲୋଚନା କରୁଛନ୍ତି। ସ୍ଥିତି ଉପରେ ଆମେ ତୀକ୍ଷ୍ଣ ନଜର ରଖିଛୁ।
ବହୁ ପେଟ୍ରୋଲ ପମ୍ପ ବନ୍ଦ, ଟାଙ୍କିରେ ପ୍ରବଳ ଭିଡ଼
ଆତଙ୍କିତ ହୋଇ ତେଲ କିଣନ୍ତୁ ନାହିଁ: ଯୋଗାଣ ସଚିବ
ଗୁଜବରେ କେହି ବିଶ୍ବାସ କରନ୍ତୁନି: ଡିଲର ସଂଘ
ଇନ୍ଧନ ସଙ୍କଟର ମୁକାବିଲା ଲାଗି ଜିଲ୍ଲାସ୍ତରରେ ସଙ୍କଟ ପରିଚାଳନା ଦଳ ଗଠନ କରାଯାଇଛି ବୋଲି ଶ୍ରୀ ସିଂହ କହିଛନ୍ତି। ଏ ସମ୍ପର୍କରେ ଉତ୍କଳ ପେଟ୍ରୋଲିୟମ ଡିଲର ସଂଘର ସାଧାରଣ ସମ୍ପାଦକ ସଞ୍ଜୟ ଲାଠ୍ କହିଛନ୍ତି ଯେ ରାଜ୍ୟରେ ୧୦୦ରୁ ଅଧିକ ପମ୍ପରେ ତେଲ ଶେଷ ହୋଇଯାଇଛି। ଲୋକମାନେ ହଠାତ୍ ତେଲକିଣା ବଢ଼ାଇ ଦେଇଥିବାରୁ ଏଭଳି ସ୍ଥିତି ଦେଖାଦେଇଛି। ଗତ ଦୁଇରୁ ତିନି ଦିନ ମଧ୍ୟରେ ତେଲ ବିକ୍ରି ବହୁତ ବଢ଼ିଯାଇଛି। ତେଲକୁ ନେଇ କୌଣସି ପ୍ରକାର ଗୁଜବ ଉପରେ ଲୋକମାନେ ବିଶ୍ବାସ କରିବା ଅନୁଚିତ। ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ ବୋଲି ସେ କହିଛନ୍ତି। ପେଟ୍ରୋଲ ଓ ଡିଜେଲ ବ୍ୟବହାରରେ ସଂଯମତା ରଖିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଆହ୍ବାନକୁ ଲୋକମାନେ ଠିକ୍ ଭାବେ ବୁଝିନାହାନ୍ତି। ଆଗକୁ ତେଲ ସଙ୍କଟ ଦେଖାଦେବା ଆଶଙ୍କା କରି ଅଧିକାଂଶ ଲୋକ ତେଲ କିଣୁଛନ୍ତି। ଗତ ତିନି ଦିନ ମଧ୍ୟରେ ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ବିକ୍ରିରେ ୫୦ ପ୍ରତିଶତ ବୃଦ୍ଧି ଘଟିଛି ବୋଲି ସେ କହିଛନ୍ତି। ଆବଶ୍ୟକ ପରିମାଣର ଡିଜେଲ ନମିଳିବା କାରଣରୁ ରାଜ୍ୟରେ ପ୍ରାୟ ୨୦ ପ୍ରତିଶତ ଟ୍ରକ୍ ଚଳାଚଳ ବନ୍ଦ ହେଲାଣି ବୋଲି ଓଡ଼ିଶା ରାଜ୍ୟ ଟ୍ରକ୍ ମାଲିକ ସଂଘର ସାଧାରଣ ସମ୍ପାଦକ ପ୍ରଣବ କୁମାର ପରିଜା କହିଛନ୍ତି। ପୂର୍ବରୁ ସରକାରଙ୍କୁ ଏ ନେଇ କୁହାଯାଇଥିଲେ ମଧ୍ୟ ଯୋଗାଣ ମନ୍ତ୍ରୀ କୌଣସି ପଦକ୍ଷେପ ନେଇ ନଥିଲେ ବୋଲି ସଂଘ ପକ୍ଷରୁ କୁହାଯାଇଛି।
ଏହି ପରିପ୍ରେକ୍ଷୀରେ ଭାରତୀୟ ତୈଳ ନିଗମ ଲିମିଟେଡର ସିଜିଏମ୍ କମଲ୍ ସିଲ୍ କହିଛନ୍ତି ରାଜ୍ୟରେ ପେଟ୍ରୋଲ ଓ ଡିଜେଲର କୌଣସି ଅଭାବ ନାହିଁ। ଲୋକମାନେ ଛାନିଆରେ ଅଧିକ ତେଲ କିଣିବାରୁ ପେଟ୍ରୋଲ ପମ୍ପରେ ସମସ୍ୟା ଉପୁଜିଛି। ପୂର୍ବର ଚାହିଦା ଓ ବିକ୍ରି ଅନୁସାରେ ପେଟ୍ରୋଲ ପମ୍ପରେ ବିକ୍ରି ଭିତ୍ତିଭୂମି ରହିଛି। ହଠାତ୍ ଆବଶ୍ୟକତା ବଢ଼ିବାରୁ ସମସ୍ୟା ହୋଇଛି। ଅତିରିକ୍ତ ଯୋଗାଣ ମଧ୍ୟ କରାଯାଉଛି। ବସ୍କୁ ଡିଜେଲ ମିଳୁ ନଥିବା ସଂପର୍କରେ ପଚାରିବାରୁ ଶ୍ରୀ ସିଲ୍ କହିଛନ୍ତି, ସବୁ ସରକାରୀ ତେଲ କମ୍ପାନିକୁ କୁହାଯାଇଛି ଯେ ବସ୍ଗୁଡ଼ିକ ପୂର୍ବରୁ ଯେଉଁ ପମ୍ପରୁ ଯେତିକି ତେଲ ନେଉଥିଲେ ସେମାନଙ୍କୁ ତାହା ପ୍ରଦାନ କରିବେ। କୌଣସି ପ୍ରକାର କଟକଣା କରିବେ ନାହିଁ। ଏଥିସହିତ ବସ୍ ସଂଘ ସହିତ ଶୁକ୍ରବାର ଏକ ବୈଠକ ରଖାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ସେ କହିଛନ୍ତି ସାରା ଦିନ ବନ୍ଦ ରହିଥିବା ପେଟ୍ରୋଲ ପମ୍ପ ସଂଖ୍ୟା ରାଜ୍ୟରେ ୨୦ରୁ ୨୨ଟି ମଧ୍ୟରେ ସୀମିତ। କେବଳ ଯୋଗାଣ ପାଇଁ ନୁହେଁ, ଆର୍ଥିକ ସମସ୍ୟା ଓ ଅନ୍ୟାନ୍ୟ କାରଣ ପାଇଁ ଉକ୍ତ ପେଟ୍ରୋଲ ପମ୍ପ ବନ୍ଦ ରହିଛି। ଆବଶ୍ୟକ ପଡ଼ିଲେ ଅତିରିକ୍ତ ତେଲ ଯୋଗାଇବାକୁ ଆମେ ପ୍ରସ୍ତୁତ ବୋଲି ସେ କହିଛନ୍ତି।
ସୌଜନ୍ୟ ସମ୍ବାଦ

