Annamalai: ବିଜେପି ମୁଖ୍ୟ ନୀତିନ ନବୀନଙ୍କ ନିକଟରେ ଇସ୍ତଫା ପତ୍ର ଦାଖଲ କଲେ ଆନ୍ନାମଲାଇ, ଦିଲ୍ଲୀରେ ଶାହଙ୍କୁ ଭେଟିଲେ

ନୂଆଦିଲ୍ଲୀ : ତାମିଲନାଡ଼ୁର ପୂର୍ବତନ ବିଜେପି ସଭାପତି କେ ଆନ୍ନାମଲାଇ ମଙ୍ଗଳବାର ବିଜେପି ଜାତୀୟ ସଭାପତି ନୀତିନ ନବୀନ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ ବିଏଲ୍‌ ସନ୍ତୋଷଙ୍କୁ ନୂଆଦିଲ୍ଲୀରେ ଭେଟି ଇସ୍ତଫାପତ୍ର ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜେପିର ପ୍ରଦର୍ଶନ ନେଇ ମଧ୍ୟ ଆନ୍ନାମଲାଇ ୫ ପୃଷ୍ଠାର ଏକ ନୋଟ୍‌ ଦାଖଲ କରିଛନ୍ତି। ପୂର୍ବତନ ଅ‌ଇପିଏସ୍‌ ଅଫିସର ଆନ୍ନାମଲାଇ ଏକ ନୂଆ ଆଞ୍ଚଳିକ ଦଳ ଆରମ୍ଭ କରିବାପାଇଁ ଯୋଜନା କରୁଛନ୍ତି। ଆସନ୍ତା ୬ରୁ ୮ ମାସ ମଧ୍ୟରେ ଆନ୍ନାମଲାଇ ତାଙ୍କ ରାଜନୈତିକ ଦଳ ଆରମ୍ଭ କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଆନ୍ନାମଲାଇ ମଧ୍ୟ ଆଜି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ନୂଆଦିଲ୍ଲୀରେ ଭେଟିଛନ୍ତି। ମିଳିଥିବା ସୂଚନାନୁଯାୟୀ ଆନ୍ନାମଲାଇ ବିନା ବିବାଦରେ ବିଜେପିରୁ ସମ୍ମାନଜନକ ବିଦାୟ ଚାହୁଛନ୍ତି।

ଜୁନ୍‌ ୭ ତାରିଖରେ ସେ ତାଙ୍କର ସମର୍ଥକମାନଙ୍କ ସହ ଏକ ବୈଠକ କରିବେ ଏବଂ ଏହାପରେ ସେ ତାଙ୍କ ଭବିଷ୍ୟତ ରଣନୀତି ସଂକ୍ରାନ୍ତରେ ଘୋଷଣା କରିବେ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ ଆନ୍ନାମଲାଇ ଏବଂ ବିଜେପି ନେତୃବୃନ୍ଦଙ୍କ ମଧ୍ୟରେ ମତଭେଦ ହେବା ପରଠାରୁ ଆନ୍ନାମଲାଇ ବିଜେପି ଦଳ ଛାଡ଼ିବା ନିଷ୍ପତ୍ତି ନେଇଛନ୍ତି। ଉ‌ଲ୍ଲେଖଯୋଗ୍ୟ ତାମିଲନାଡ଼ୁରେ ଦଳର ରାଜନୈତିକ ରଣନୀତିକୁ ନେଇ ଆନ୍ନାମଲାଇ ଏବଂ ବିଜେପିର କେନ୍ଦ୍ରୀୟ ନେତୃବୃନ୍ଦଙ୍କ ମଧ୍ୟରେ ବିଭେଦ ଦେଖାଦେଇଛି।

 

ବିଜେପିର ଏଆଇଏଡିଏମ୍‌କେ ସହ ମେଣ୍ଟ ନିଷ୍ପତ୍ତିରେ ଆନ୍ନାମଲାଇ ଖୁସି ନଥିଲେ ଏବଂ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ପ୍ରାର୍ଥୀ ଚୟନ ପ୍ରକ୍ରିୟାକୁ ନେଇ ମଧ୍ୟ ଆନ୍ନାମଲାଇ ଅସନ୍ତୁଷ୍ଟ ଥିଲେ। ଆନ୍ନାମଲାଇ ମଧ୍ୟ ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଲଢ଼ିନାହାନ୍ତି। ଅନ୍ୟପ‌କ୍ଷେ ଆସନ୍ତା ଜୁନ୍‌ ୪ ତାରିଖରେ ଆନ୍ନାମଲାଇଙ୍କ ଜନ୍ମଦିନ ଥିବାବେଳେ ଏହା ପୂର୍ବରୁ ତାଙ୍କୁ ସମର୍ଥନ କରି ଚେନ୍ନାଇର ବିଭିନ୍ନ ପ୍ରମୁଖ ସ୍ଥାନମାନଙ୍କରେ ପୋ‌ଷ୍ଟର ଲାଗିଛି ଯେଉଁଥିରେ ଲେଖାଅଛି, ‘ ଆୱାର ଲିଡର୍‌, କମ୍‌ ଆଣ୍ଡ ଲିଡ୍‌ ଅଜ୍‌। ଏହାର ଅର୍ଥ ଆମର ନେତା ଏଠାକୁ ଆସି ଆମର ନେତୃତ୍ବ ନିଅ। ସମର୍ଥକମାନେ ମଧ୍ୟ ଆନ୍ନାମଲାଇଙ୍କ ଅଭିଯାନରେ ସାମିଲ କରିବାପାଇଁ ନୂଆ ସଦସ୍ୟମାନଙ୍କୁ ନିଯୁକ୍ତ କରିଛନ୍ତି।

 

 

 

ସୌଜନ୍ୟ ସମ୍ବାଦ