Another long wait: ଆଉ ଏକ ଲମ୍ବା ଅପେକ୍ଷା:ବର୍ଷେ ଯାଏ ବିର୍ସା ମୁଣ୍ଡାରେ ହକି ନାହିଁ:ଏଥର ବି ଉପେକ୍ଷିତ
ବିଶ୍ବର ସସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବର୍ଷକ ବ୍ୟବଧାନପରେ ଆୟୋଜିତ ପୁରୁଷ ହକି ପ୍ରୋ-ଲିଗ୍ ଶେଷ ହୋଇଛି। ଏଠାକାର ହକି ପରିବେଶ ଓ ଦର୍ଶକଙ୍କ ଉପସ୍ଥିତି ଅନ୍ୟ ଷ୍ଟାଡିୟମ ତୁଳନାରେ ଢେର୍ ଅଧିକ, ଯାହାକି ସଦ୍ୟ ସମାପ୍ତ ହକି ପ୍ରୋ-ଲିଗ୍ରେ ପୁଣିରେ ପ୍ରମାଣିତ ହୋଇଛି।

ରାଉରକେଲା: ବିଶ୍ବର ସସର୍ବବୃହତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ବର୍ଷକ ବ୍ୟବଧାନପରେ ଆୟୋଜିତ ପୁରୁଷ ହକି ପ୍ରୋ-ଲିଗ୍ ଶେଷ ହୋଇଛି। ଏଠାକାର ହକି ପରିବେଶ ଓ ଦର୍ଶକଙ୍କ ଉପସ୍ଥିତି ଅନ୍ୟ ଷ୍ଟାଡିୟମ ତୁଳନାରେ ଢେର୍ ଅଧିକ, ଯାହାକି ସଦ୍ୟ ସମାପ୍ତ ହକି ପ୍ରୋ-ଲିଗ୍ରେ ପୁଣିରେ ପ୍ରମାଣିତ ହୋଇଛି। ଏହାସତ୍ତ୍ବେ ଏଠାରେ ପୁନର୍ବାର ଅନ୍ତର୍ଜାତୀୟ କିମ୍ବା ଜାତୀୟ ହକି ପ୍ରତିଯୋଗିତା ଦେଖିବାକୁ ଜିଲ୍ଲାର ହକିପ୍ରେମୀଙ୍କୁ ଅନ୍ୟୁନ ଏକ ବର୍ଷ ଅପେକ୍ଷା କରିବାକୁ ପଡ଼ିବ। ହକିପ୍ରେମୀ ଆଉ ଏକ ଲମ୍ବା ଅପେକ୍ଷାର ଅନୁଭୂତି ନେବେ। କାରଣ, ଚଳିତ ବର୍ଷ ପାଇଁ ହକି ଇଣ୍ଡିଆ ପ୍ରସ୍ତୁତ ମ୍ୟାଚ୍ ସୂଚିରୁ ଏହା ସ୍ପଷ୍ଟ ଜଣାପଡ଼େ।
ଏଠାରେ ପ୍ରୋ-ଲିଗ୍ର ୬ଟି ମ୍ୟାଚ୍ ଖେଳାଯାଇଥିବାବେଳେ ଦର୍ଶକଙ୍କ ଉପସ୍ଥିତି ସନ୍ତୋଷଜନକ ରହିଥିଲା। ଭାରତ ଖେଳିଥିବା ସମସ୍ତ ୪ଟି ମ୍ୟାଚ୍ରେ ୧୫ରୁ ୨୦ ହଜାର ଦର୍ଶକ ମ୍ୟାଚ୍ ଦେଖିଥିବାବେଳେ ବିଦେଶୀ ମ୍ୟାଚ୍ରେ ୭/୮ ହଜାର ମ୍ୟାଚ୍ର ମଜାନେଇଥିଲେ। କେବଳ ଏଥର ନୁହେଁ; ବରଂ ବିଗତ ଦିନରେ ଅନୁଷ୍ଠିତ ହକି ବିଶ୍ବକପ, ପ୍ରୋ-ଲିଗ୍, ହକି ଇଣ୍ଡିଆ ଲିଗ୍ରେ ଦର୍ଶକ ପୂରିଉଠିଥିଲେ। କିନ୍ତୁ ପ୍ରତିବର୍ଷଭଳି ଚଳିତବର୍ଷ ମଧ୍ୟ ବିଶ୍ବର ସର୍ବବୃହତ ଓ କ୍ରୀଡ଼ା ପରିବେଶ ପାଇଁ ବିଶ୍ବବିଦିତ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଆୟୋଜନ କରିବାରୁ ବଞ୍ଚିତ ରଖାଯାଇଛି। ଆସନ୍ତା ମାର୍ଚ୍ଚ ୮ରୁ ୧୪ ତାରିଖ ଯାଏ ହାଇଦ୍ରାବାଦରେ ମହିଳା ହକି ବିଶ୍ବକପ କ୍ବାଲିଫାୟର୍ ମ୍ୟାଚ୍ ଖେଳାଯିବ। ଏହି ପ୍ରତିଯୋଗିତାକୁ ରାଉରକେଲାରେ ଆୟୋଜନ କରିବାକୁ କିନ୍ତୁ ବିଚାର କରାଗଲାନି। କେବଳ ଅନ୍ତର୍ଜାତୀୟ ନୁହେଁ, ଏମିତିକି ଜାତୀୟ ପ୍ରତିଯୋଗିତା ଆୟୋଜନ କରିବାରୁ ବିରତ ରଖାଯାଇଛି। ଆସନ୍ତା ଏପ୍ରିଲ ୧ରୁ ୧୨ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଉପକନିଷ୍ଠ ବାଳିକା ଜାତୀୟ ହକି ପ୍ରତିଯୋଗିତା, ଏପ୍ରିଲ ୧ରୁ ୧୨ ଯାଏ ରାଜଗୀର ବିହାରରେ ଉପକନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତା, ୨୯ ଏପ୍ରିଲରୁ ୧୦ ମେ’ ଯାଏ ପୁନେ (ମହାରାଷ୍ଟ୍ର)ରେ କନିଷ୍ଠ ବାଳିକା ଜାତୀୟ ହକି ଓ ଜୁନ ୧୦ରୁ ୨୨ ଯାଏ କୋଏମ୍ବାଟୁର (ତାମିଲନାଡ଼ୁ)ରେ କନିଷ୍ଠ ବାଳକ ଜାତୀୟ ହକି ପ୍ରତିଯୋଗିତା ଖେଳାଯିବ।
ସେହିଭଳି ଅକ୍ଟୋବର ୧୫ରୁ ୨୨ ଯାଏ କେରଳରେ ବରିଷ୍ଠ ମହିଳା ଜାତୀୟ ହକି ଏବଂ ନଭେମ୍ବର ୧୦ରୁ ୨୯ ଯାଏ ଭୁବନେଶ୍ବରରେ ବରିଷ୍ଠ ପୁରୁଷ ଜାତୀୟ ହକି ପ୍ରତିଯୋଗିତା ଏବଂ ଅକ୍ଟୋବର ୧ରୁ ୧୨ ଯାଏ ପୁନେରେ ଦ୍ବିତୀୟ ହକି ଇଣ୍ଡିଆ ମାଷ୍ଟର୍ସ୍ କପ୍ (ଉଭୟ ପୁରୁଷ ଓ ମହିଳା) ଖେଳାଯିବ। ଖେଳାଯିବ। ଏହି ଜାତୀୟ ପ୍ରତିଯୋଗିତା ଆୟୋଜନ ପାଇଁ ରାଉରକେଲାକୁ ଯୋଗ୍ୟ ବିବେଚିତ କରାନଯିବା, ବିଡ଼ମ୍ବନା ବ୍ୟତିତ ଅନ୍ୟ କିଛି ହୋଇନପାରେ।ତେବେ ଏଯାଏ ଅଗଷ୍ଟ ୧ ରୁ ୨୬ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ବରିଷ୍ଠ ପୁରୁଷ ଓ ମହିଳା ଅନ୍ତଃ ବିଭାଗୀୟ ହକି ପ୍ରତିଯୋଗିତା ଏବଂ ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁ ଥିବା ଏକାଡେମୀ ହକି ଚାମ୍ପିଅନସିପ୍ ପାଇଁ ସ୍ଥାନ ନିର୍ଦ୍ଧାରିତ ହୋଇନି। ଏଣୁ ଏଥିମଧ୍ୟରୁ କୌଣସି ପ୍ରତିଯୋଗିତା ରାଉରକେଲାରେ ଆୟୋଜନ ପାଇଁ ହକି ଇଣ୍ଡିଆ ନିଷ୍ପତ୍ତି ନେବାକୁ ହକିପ୍ରେମୀ ମତବ୍ୟକ୍ତ କରିଛନ୍ତି।
ଶାସକ ଦଳ ନେତାଙ୍କ ପାଇଁ ଦର୍ଶକ ହିନସ୍ତା
ପ୍ରତ୍ୟେକ ହକି ମ୍ୟାଚ୍ବେଳେ ଦର୍ଶକ ଅଶୋଭନୀୟ ପରିସ୍ଥିତିର ସମ୍ମୁଖୀନ ହେବା ନିତିଦିନିଆ ହେଲାଣି। ୨୦୨୩ ମସିହାରୁ ରାଉରକେଲାରେ ଅନୁଷ୍ଠିତ ହକି ବିଶ୍ବକପ୍ ମ୍ୟାଚ୍ ସମେତ ପ୍ରୋ-ଲିଗ୍ ମ୍ୟାଚ୍ବେଳେ ସମାନ ଦୃଶ୍ୟ ପରିଲକ୍ଷିତ ହୁଏ। ପୂର୍ବରୁ ବିଜେଡି ଶାସନ ସମୟରେ ଆୟୋଜିତ ମ୍ୟାଚ୍ ସମୟରେ ଟିକେଟ୍ ଅନିୟମିତତାରେ ଯେଭଳି ଦଳୀୟ ନେତାଙ୍କ ସଂପୃକ୍ତି ଦେଖିବାକୁ ମିଳିଥିଲା ଏଥର ବିଜେପି ନେତାଙ୍କ ଚଞ୍ଚକତା ଦେଖିବାକୁ ମିଳିଛି। ପୂର୍ବଥର ବିଜେଡି ନେତା ମ୍ୟାଚ୍ର ଟିକେଟ୍କୁ ଚାପି ରଖି କେବଳ ନିଜ ପ୍ରିୟଜନଙ୍କୁ ଦେଉଥିଲେ। ଏଥର ସମାନ ନୀତି ଆପଣେଇଥିଲେ ବିଜେପି ନେତା ଓ କର୍ମୀ। ହକି ଇଣ୍ଡିଆ ପକ୍ଷରୁ ପ୍ରୋ-ଲିଗ୍ ପାଇଁ ମାଗଣା ଟିକେଟ୍ ବ୍ୟବସ୍ଥା କରାଯାଇଥିଲା ସତ, କିନ୍ତୁ ପୂର୍ବରୁ ପାସ୍କୁ ସାର୍ବଜନୀନ କରାଯାଇନଥିଲା। ଯାହାକି ଶାସକ ଦଳର ନେତାଙ୍କୁ ବେଶ୍ ସୁହାଇଥିଲା। ଜଣେ ଜଣେ ନେତା ୧୦/୧୫ଟି ଟିକଟ୍ ବହି ରଖି ସାମାଜିକ ଗଣମାଧ୍ୟମରେ ସଗର୍ବେ ଅପଲୋଡ୍ କରିଥିଲେ। ଏମିତିକି ଜଣେ କୁଜି ନେତାଙ୍କ ପତ୍ନୀ ୫ଟି ବହି ରଖିଥିବା ନେଇ ସାମାଜିକ ଗଣମାଧ୍ୟମରେ ଅପ୍ଲୋଡ୍ କରିଥିବା ଦେଖିବାକୁ ମିଳିଥିଲା। ଅନ୍ତିମ ଦିନରେ ଶେଷ ମୁହୂର୍ତ୍ତରେ ଦଳର ଜଣେ ବରିଷ୍ଠ ନେତା ଷ୍ଟାଡିୟମ ନିକଟରେ ଟିକେଟ୍ ବାଣ୍ଟିଥିଲେ।
ସୌଜନ୍ୟ ସମ୍ବାଦ




