Anti Social Elements: ଚଳନ୍ତା ରାଜଧାନୀ ଏକ୍ସପ୍ରେସକୁ ପୋଡ଼ି ଦେବା ପାଇଁ ଷଡ଼ଯନ୍ତ୍ର ରଚାଯାଇଥିଲା: ବଡ଼ ଖୁଲାସା କଲା ରେଳବାଇ

ନୂଆଦିଲ୍ଲୀ: ଗତ କିଛି ଦିନ ମଧ୍ୟରେ ଦେଶର ବିଭିନ୍ନ ସ୍ଥାନରେ ଟ୍ରେନରେ ନିଆଁ ଲାଗିବା ଖବର ଆସିଛି। ଏହି ବିଷୟରେ ଚାଞ୍ଚଲ୍ୟକର ଖୁଲାସା ହୋଇଛି। ଏହି ଘଟଣାଗୁଡ଼ିକ ଟ୍ରେନଗୁଡ଼ିକୁ ପୋଡ଼ି ଦେବା ପାଇଁ ଏକ ସୁଚିନ୍ତିତ ଷଡ଼ଯନ୍ତ୍ରକୁ ଇଙ୍ଗିତ କରୁଛି। ମେ’ ୧୭ ତାରିଖ ରବିବାର ସକାଳେ ମଧ୍ୟପ୍ରଦେଶର ରତଲାମ ଜିଲ୍ଲାରେ ତିରୁବନନ୍ତପୁରମ-ହଜରତ ନିଜାମୁଦ୍ଦିନ ରାଜଧାନୀ ଏକ୍ସପ୍ରେସ (୧୨୪୩୧)ର ଏକ ଏସି କୋଚ୍‌ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା।

କୋଟା ଡିଭିଜନର ଲୁନି ରିଚା ଏବଂ ବିକ୍ରମଗଡ଼ ଆଲୋଟ ଷ୍ଟେସନ ମଧ୍ୟରେ ସକାଳ ପ୍ରାୟ ୫:୩୦ ସମୟରେ ଏହି ଘଟଣା ଘଟିଥିଲା। ରତଲାମରୁ ପ୍ରାୟ ୧୧୦ କିଲୋମିଟର ଦୂରରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଥିଳା। ଟ୍ରେନର ସମ୍ମୁଖ ଭାଗ କୋଚ୍ ନମ୍ବର ବି-୧ ରେ ନିଆଁ ଲାଗିଥିଲା। ରେଳବାଇର ସୂଚନା ଅନୁଯାୟୀ, ଚଳନ୍ତା ରାଜଧାନୀ ଟ୍ରେନକୁ ପୋଡ଼ି ଦେବା ପାଇଁ ଏକ ଷଡ଼ଯନ୍ତ୍ର ରଚାଯାଇଥିଲା। ରାଜଧାନୀ ଟ୍ରେନ୍‌ରେ ପ୍ରଥମେ ନିଆଁ ବାଥରୁମରୁ ଲାଗିଥିଲା।

ଟ୍ରେନ୍‌ର ବାଥରୁମ୍‌ରୁ ପେଟ୍ରୋଲରେ ଭିଜା କପଡା ଜବତ

ମଙ୍ଗଳବାର ଦିନ ହାୱଡ଼ା ଷ୍ଟେସନ୍‌ରେ ୧୩୦୨୧ ହାୱଡ଼ା-ରକ୍ସୌଲ ମିଥିଲା ​​ଏକ୍ସପ୍ରେସ୍‌ରେ ନିଆଁ ଲାଗିଯାଇଥିଲା। ହାୱଡ଼ାରେ ନିଆଁ ଲାଗିଥିବା ଟ୍ରେନ୍‌ର ବାଥରୁମ୍‌ରୁ ପେଟ୍ରୋଲରେ ଭିଜା କପଡା ଜବତ ହୋଇଛି। ରାଜସ୍ଥାନର ଅମରପୁରା ଷ୍ଟେସନ ନିକଟରେ ଏକ ଟ୍ରେନ୍ ଅଗ୍ନିକାଣ୍ଡ ଘଟଣାରେ, କେହି ଜଣେ ବିଛଣା ସାମଗ୍ରୀ ଜାଳିବାକୁ ଚେଷ୍ଟା କରିଥିଲେ, ଯାହା ଫଳରେ ନିଆଁ ଲାଗିଥିଲା। ସାସାରାମରେ ଟ୍ରେନ୍ ଏବଂ କୋଚ୍ ଖାଲି ଥିଲା। ପାୱାର ଜେନେରେଟର ନଥିଲା। ସମ୍ଭବତଃ କେହି ଜଣେ ବାହାରୁ ଜଳନ୍ତା ଜିନିଷ ଭିତରକୁ ଫିଙ୍ଗି ଦେଇଥିବାର ସନ୍ଦେହ କରାଯାଉଛି। ବିହାରର ରୋହତାସ ଜିଲ୍ଲାର ସାସାରାମ ରେଳ ଷ୍ଟେସନରେ ପାର୍କିଂ ହୋଇଥିବା ଏକ ଯାତ୍ରୀବାହୀ ଟ୍ରେନ୍‌ରେ ନିଆଁ ଲାଗିଯାଇଥିଲା। ସାସାରାମ-ପାଟନା ପାସେଞ୍ଜର ଟ୍ରେନ୍‌ ଷ୍ଟେସନ୍‌ରେ ଅଟକି ରହିଥିବା ସମୟରେ ଏହି ଘଟଣା ଘଟିଥିଲା।

 

 

 

ସୌଜନ୍ୟ ସମ୍ବାଦ