Marriage: ବିବାହ ପାଇଁ ବ୍ୟସ୍ତ ନୁହେଁ

ଅଭିନେତ୍ରୀ ସାରା ଅଲୀ ଖାଁଙ୍କ ବୟସର ଅନେକ ଅଭିନେତ୍ରୀ ବିବାହ କରି ସଂସାର ଗଢ଼ିସାରିଥିଲେ ହେଁ ସେ ସେଥିପାଇଁ ଟିକେ ବି ତରବର ନୁହନ୍ତି। ବିବାହକୁ ସେ ବ୍ୟାବହାରିକ ଦୃଷ୍ଟିକୋଣରୁ ଦେଖିବାକୁ ପସନ୍ଦ କରନ୍ତି। ନିକଟରେ ଏକ ସାକ୍ଷାତ୍‌କାର ଦେଇ ସେ ଏହାର କାରଣ ପ୍ରକାଶ କରିଛନ୍ତି। ତାଙ୍କ ମତରେ ଆଖପାଖରେ ଦେଖୁଥିବା ଉଦାହରଣରୁ ଆମର ଧାରଣା ଜନ୍ମିଥାଏ। ସେ ଖୁବ୍‌ ନିକଟରୁ ଦେଖିଛନ୍ତି ଯେ କିଛି ଲୋକଙ୍କ ବିବାହ ବେଶୀ ଦିନ ତିଷ୍ଠି ନଥାଏ ଏବଂ ସେମାନେ ଛାଡ଼ପତ୍ର ଦେବାକୁ ବାଧ୍ୟ ହୁଅନ୍ତି। ବାସ୍ତବରେ ସେ ନିଜ ପିତାମାତା ସୈଫ ଅଲୀ ଖାଁ ଓ ଅମୃତା ସିଂହଙ୍କ ବିବାହ ବିଚ୍ଛେଦକୁ ଇଙ୍ଗିତ କରି ଏ କଥା କହିଛନ୍ତି।

ବିବାହର ୧୩ ବର୍ଷ ପରେ ସେମାନଙ୍କ ଛାଡ଼ପତ୍ର ହୋଇଯାଇଥିଲା। ତେଣୁ ଅପେକ୍ଷା କରି ଠିକ୍ ଲୋକକୁ ବିବାହ କରିବା ତା’ ଠାରୁ ଭଲ ବୋଲି ସାରା ବିଶ୍ବାସ କରନ୍ତି। ଠିକ୍ ଲୋକ ମିଳିବା ସମୟ ହିଁ ବିବାହ ଲାଗି ଶ୍ରେଷ୍ଠ ସମୟ। ପୁଣି ବିବାହ ନ କରି ଭଲରେ ବଞ୍ଚିବା ତାଙ୍କୁ ଆସେ। ପରିପୂର୍ଣ୍ଣତାର ଅନୁଭବ ତାଙ୍କ ଲାଗି ଅନାବଶ୍ୟକ, ତେଣୁ ସେ ବିବାହ କରି ପୂର୍ଣ୍ଣତା ଚାହାନ୍ତି ନାହିଁ। ଏବେ ସେ ନିଜେ ଜଣେ ସ୍ବୟଂସମ୍ପୂର୍ଣ୍ଣ ବ୍ୟକ୍ତି ହେବାକୁ ଚେଷ୍ଟା କରୁଛନ୍ତି। ଯେବେ ତାଙ୍କ ଖୁସିକୁ ଆଦର ଓ ଉତ୍ସବାୟିତ କରିବା ଭଳି କେହି ମିଳିବେ ସେବେ ଯାଇ ସେ ବିବାହ କରିବେ ବୋଲି ପ୍ରକାଶ କରିଛନ୍ତି। ୩୦ ବର୍ଷୀୟ ସାରା ଏବେ ପାଇଁ କେବଳ କାମରେ ଧ୍ୟାନ ଦେବାକୁ ଇଚ୍ଛୁକ।

 

ସୌଜନ୍ୟ ସମ୍ବାଦ