ଚଣ୍ଡୀଗଡ଼: ପଞ୍ଜାବର ପଟିଆଲା ଜିଲ୍ଲାର ଶମ୍ବୁ ଓ ରାଜପୁରା ମଧ୍ୟରେ ଥିବା ବୋଥୋନିଆ ଗ୍ରାମ ନିକଟରେ ଥିବା ରେଳ ଧାରଣାରେ ଏକ କମ୍ ତୀବ୍ରତା ବିଶିଷ୍ଟ ବୋମା ବିସ୍ଫୋରଣ ଘଟିଛି, ଯେଉଁଥିରେ ଲାଇନର ଏକ ଅଂଶ କ୍ଷତିଗ୍ରସ୍ତ ହୋଇଛି। ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଏଠାରେ ବୋମା ଖଞ୍ଜିବାକୁ ଉଦ୍ୟମ କରିବା ବେଳେ ବିସ୍ଫୋରଣ ହୋଇଥିଲା, ଯେଉଁଥିରେ ସନ୍ଦିଗ୍ଧର ମୃତ୍ୟୁ ହୋଇଯାଇଛି। ପଞ୍ଜାବ ପୁଲିସ କହିଛି ଯେ, ସେମାନେ ଏହି ମାମଲାରେ ପାକିସ୍ତାନର ଆଇଏସ୍ଆଇ ସମର୍ଥିତ ଖଲିସ୍ତାନୀ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାସ କରିଛନ୍ତି ଓ ଚାରିଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ନିକଟରୁ ଅସ୍ତ୍ରଶସ୍ତ୍ର ଓ ଗୋଳାବାରୁଦ ସମେତ ବିପୁଳ ପରିମାଣର ଆତଙ୍କବାଦୀ ହାର୍ଡୱେର୍ ଜବତ କରାଯାଇଛି।
ସୂତ୍ରରୁ ପ୍ରକାଶ ଯେ, ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏହି ବିସ୍ଫୋରଣ ମୁଖ୍ୟତଃ ମାଲ ପରିବହନ ପାଇଁ ବ୍ୟବହୃତ ଏକ ରେଳ ଲାଇନରେ ଘଟିଥିଲା। ପୁଲିସ ବିସ୍ଫୋରଣସ୍ଥଳରୁ ତାର ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରିବା ସହ ଦୁଇଟି ମୋଟରସାଇକେଲ ଓ ଗୋଟିଏ ନଷ୍ଟ ମୋବାଇଲ ଫୋନ ଜବତ କରିଛି। ବିସ୍ଫୋରଣ ସ୍ଥଳରୁ ମିଳିଥିବା ମୃତଦେହ ୩୫ ବର୍ଷୀୟ ଜଗରୂପ ସିଂହର ବୋଲି ପୁଲିସ ଚିହ୍ନଟ କରିଛି। ସେ ଖଦୁର ସାହିବ ସାଂସଦ ଅମୃତପାଲ ସିଂହଙ୍କ ସମର୍ଥକ ଥିଲା ଏବଂ ସଂସଦୀୟ ନିର୍ବାଚନ ସମୟରେ ତାଙ୍କ ପାଇଁ ପ୍ରଚାର କରିଥିଲା। ସେ ବିବାହିତ ଓ ତା’ର ଦୁଇଟି ଝିଅ ଅଛନ୍ତି। ସେ ପୂର୍ବରୁ କ୍ଲିନ୍ ସେଭ୍ ହେଉଥିଲା କିନ୍ତୁ ପରେ ଶିଖ୍ ପ୍ରଥା ଅନୁସରଣ କରି ନିହଙ୍ଗ ହୋଇଥିଲା। ସେ କିଛି ସମୟ ପାଇଁ ଦୁବାଇରେ ମଧ୍ୟ କାମ କରିଥିଲା। ତା’ ସାନଭାଇ ସତନାମ ସିଂହ ନିଜ ଗାଁରେ ଏକ ଅଟା ମିଲ୍ ଚଳାନ୍ତି। ଆଜି ସକାଳେ ପୁଲିସ ତାଙ୍କ ଘରେ ଚଢ଼ାଉ କରି ତାଙ୍କୁ ଅଟକ ରଖିଛି।
ଗିରଫ ହୋଇଥିବା ଚାରି ଅଭିଯୁକ୍ତ ହେଲେ ମାନସାର ପ୍ରଦୀପ ସିଂହ ଖାଲସା, ମାନସାର ବାପିଆନା ଗ୍ରାମର କୁଲବିନ୍ଦର ସିଂହ, ତରନତାରନର ସତନାମ ସିଂହ ଏବଂ ତରନ ତାରନର ଗୋଇନ୍ଦୱାଲ ବାଇପାସର ଗୁରପ୍ରୀତ ସିଂହ। ପୁଲିସ କହିଛି ଯେ ଏକ ହ୍ୟାଣ୍ଡ ଗ୍ରେନେଡ୍, ଗୋଳାବାରୁଦ ସହିତ ଦୁଇଟି ପିସ୍ତଲ, ଅଧିକ ବିସ୍ଫୋରଣ ପାଇଁ ଉଦ୍ଦିଷ୍ଟ ବୈଷୟିକ ଉପକରଣ ଏବଂ ମାଲେସିଆର ହ୍ୟାଣ୍ଡଲର୍ ତଥା ପାକିସ୍ତାନର ଅସ୍ତ୍ରଶସ୍ତ୍ର ଯୋଗାଣକାରୀଙ୍କ ସହ ଯୋଗାଯୋଗ କରିବା ପାଇଁ ବ୍ୟବହୃତ ଲାପଟପ୍ ଜବତ କରାଯାଇଛି।
ପଟିଆଲାର ବରିଷ୍ଠ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍ ବରୁଣ ଶର୍ମା କହିଛନ୍ତି ଯେ ଅଭିଯୁକ୍ତମାନେ ସାର୍ବଜନୀନ ଭିତ୍ତିଭୂମି ଉପରେ ଅଧିକ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ଏବଂ ପ୍ରାଥମିକ ପଚରାଉଚରାରୁ ଜଣାପଡିଛି ଯେ ଗିରଫ ଅଭିଯୁକ୍ତମାନେ ଶମ୍ବୁ ରେଳ ଷ୍ଟେସନର ମୁଖ୍ୟ ଲାଇନରେ କମ୍ ତୀବ୍ରତାର ଆଇଇଡି ବିସ୍ଫୋରଣ କରିଥିଲେ। ଏହି ପରିପ୍ରେକ୍ଷୀରେ ପଟିଆଲାର କୋତୱାଲି ଥାନାରେ ମାମଲା ରୁଜୁ ହୋଇଛି। ଜଗରୂପ ସିଂହଙ୍କ ମା’ ଗଣମାଧ୍ୟମକୁ କହିଛନ୍ତି ଯେ ତାଙ୍କ ପୁଅ ଗତକାଲି ସନ୍ଧ୍ୟାରେ ଘରୁ ବାହାରିଥିଲା ଏବଂ ଯିବା ପୂର୍ବରୁ ତାଙ୍କୁ କହିଥିଲା ଯେ ସେ ଭଗବାନଙ୍କୁ ନିଜ ଜୀବନ ଦେବାକୁ ଯାଉଛି।
ସୌଜନ୍ୟ ସମ୍ବାଦ

