ମୁମ୍ବାଇ: ଦୁଇଜଣ ସୁରକ୍ଷାକର୍ମୀଙ୍କୁ ଛୁରାମାଡ଼ କରିବା ପୂର୍ବରୁ ସେମାନଙ୍କ ଧର୍ମ ପଚାରିଥିବା ଅଭିଯୋଗରେ ମୁମ୍ବାଇର ନୟା ନଗର ଅଞ୍ଚଳରେ ଜଣେ ବ୍ୟକ୍ତିକୁ ଗିରଫ କରାଯାଇଛି। ବ୍ୟକ୍ତି ଜଣକ କିଛିଦିନ ପୂର୍ବରୁ ଆମେରିକାରୁ ଫେରିଥିଲା।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଅଭିଯୁକ୍ତ ୩୧ ବର୍ଷୀୟ ଜାଏବ ଜୁବେର ଆନସାରୀ ସୁରକ୍ଷାକର୍ମୀମାନଙ୍କୁ ‘କଲମା’ ପଢ଼ିବାକୁ କହିଥିଲା। ରକ୍ଷୀ ରାଜକୁମାର ମିଶ୍ର ଓ ସୁବ୍ରତ ସେନ୍ ୱଖାର୍ଡ ହସ୍ପିଟାଲ ପଛପଟେ ଥିବା ଏକ ନିର୍ମାଣାଧୀନ କୋଠାରେ ଥିବା ବେଳେ ଆନସାରୀ ସେମାନଙ୍କୁ ଧର୍ମ ପଚାରି ଆକ୍ରମଣ କରିଥିଲା। ସୋମବାର ଭୋର ପ୍ରାୟ ୪ଟା ବେଳେ ଏହି ଆକ୍ରମଣ ଘଟିଥିଲା। ଉଭୟ ଗୁରୁତର ଆହତ ହୋଇ ସମାନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
୯୦ ମିନିଟ୍ ପରେ ଆନସାରୀକୁ ଗିରଫ କରାଯାଇଥିଲା। ତାକୁ ନୟା ନଗର ପୁଲିସ ଷ୍ଟେସନକୁ ନିଆଯାଇଥିଲା ଯେଉଁଠାରେ ହତ୍ୟା ଉଦ୍ୟମ ଅଭିଯୋଗରେ ଏକ ମାମଲା ରୁଜୁ କରାଯାଇଛି। ଏହା ପରେ ଆନସାରୀକୁ ଥାନେର ଏକ କୋର୍ଟରେ ହାଜର କରାଯାଇ ମେ ୪ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଯାଇଛି।
ପୁଲିସ ଓ ରାଜ୍ୟ ଆତଙ୍କବାଦ ନିରୋଧୀ ସ୍କ୍ବାଡର ଏକ ଟିମ୍ ଏହି ଆକ୍ରମଣର ତଦନ୍ତ କରୁଛନ୍ତି। କର୍ତ୍ତୃପକ୍ଷ ବର୍ତ୍ତମାନ ଆନସାରୀଠାରୁ ଜବତ ମୋବାଇଲ୍ ଫୋନ୍ ଓ ଇଲେକ୍ଟ୍ରୋନିକ୍ ଉପକରଣକୁ ଯାଞ୍ଚ କରୁଛନ୍ତି। ସୂତ୍ରରୁ ପ୍ରକାଶ ଯେ, ଅନସାରୀ ଦ୍ବାରା ଲିଖିତ ନୋଟ୍ରେ ‘ଆଇଏସ୍ଆଇଏସ୍’, ‘ଲୋନ୍ ଉଲ୍ଫ’, ‘ଜିହାଦ’ ଓ ‘ଗାଜା’ ଭଳି ଶବ୍ଦ ଲେଖାଯାଇଥିବା ଦେଖିବାକୁ ମିଳିଛି। ଅନସାରୀ ଅନେକ ବର୍ଷ ଧରି ଆମେରିକାରେ ରହୁଥିଲା ଏବଂ ତା’ ପରିବାରର ସଦସ୍ୟମାନେ ଏବେ ସେହି ଦେଶରେ ରହୁଛନ୍ତି। ସେ ସେଠାରେ ଚାକିରି ପାଇବାରେ ଅସମର୍ଥ ହେବା ପରେ ଭାରତ ଫେରିଥିଲା। ସେ ମୀରା ରୋଡ୍ ଅଞ୍ଚଳରେ ଏକୁଟିଆ ରହୁଥିଲା ଏବଂ ଟଙ୍କା ରୋଜଗାର କରିବା ପାଇଁ ଅନ୍ଲାଇନ୍ ରସାୟନ ବିଜ୍ଞାନ କ୍ଲାସ୍ ନେଇଥିଲା।
ସୌଜନ୍ୟ ସମ୍ବାଦ

