ଦେଶ ବିଦେଶରାଜନୀତି

Assam: ଆସାମରେ କଂଗ୍ରେସର ଇସ୍ତାହାର ଜାରି କଲେ ଖଡ଼ଗେ

ଆସନ୍ତା ମାସରେ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କଂଗ୍ରେସ ଭୋଟରଙ୍କୁ ଆକର୍ଷିତ କରିବାକୁ ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି।

ଗୁଆହାଟୀ: ଆସନ୍ତା ମାସରେ ଆସାମରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ କଂଗ୍ରେସ ଭୋଟରଙ୍କୁ ଆକର୍ଷିତ କରିବାକୁ ଏହାର ନିର୍ବାଚନୀ ଇସ୍ତାହାର ଜାରି କରିଛି। ଏଥିରେ ଦଳ ପକ୍ଷରୁ ମହିଳାଙ୍କ ପାଇଁ ନଗଦ ଅର୍ଥରାଶି, ୨୫ ଲକ୍ଷର ସ୍ବାସ୍ଥ୍ୟବୀମା ଓ ଜମି ଅଧିକାର ପରି ୫ଟି ଲୋଭନୀୟ ଗ୍ୟାରେଣ୍ଟି ଦିଆଯାଇଛି। କଂଗ୍ରେସ ପାର୍ଟିର ରା‌ଷ୍ଟ୍ରୀୟ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ରବିବାର ଏହି ଇସ୍ତାହାର ଜାରି କରିଛନ୍ତି।

ଆସାମର ନାଓବୋଇଚାଠାରେ ଏକ ଜନସଭାକୁ ସମ୍ବୋଧିତ କରି ଖଡ଼ଗେ କହିଛନ୍ତି, କଂଗ୍ରେସ ଯଦି କ୍ଷମତାକୁ ଆସେ ତେବେ ପ୍ରତ୍ୟେକ ମହିଳା ନିଃସର୍ତ୍ତ ଭାବେ ମାସିକ ନଗଦ ଅର୍ଥରାଶି ପାଇବେ। ଏହି ନଗଦ ଅର୍ଥରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ। ଏହାବ୍ୟତୀତ ମହିଳାଙ୍କୁ ସେମାନଙ୍କ ନିଜ ବ୍ୟବସାୟ ଆରମ୍ଭ କରିବାକୁ ୫୦,୦୦୦ ଟଙ୍କା ସ୍ବତନ୍ତ୍ର ଭାବେ ମିଳିବ। ଖଡ଼ଗେ କହିଛନ୍ତି, ମହିଳାଙ୍କୁ ନଗଦ ଅର୍ଥରାଶି ପାଇବାକୁ ବିଜେପି ପାର୍ଟିର ସଦସ୍ୟ ହେବାକୁ ପଡ଼ୁଛି। କିନ୍ତୁ ଆମେ କୌଣସି ସର୍ତ୍ତ ନ ରଖି ଏହି ଅର୍ଥରାଶି ପ୍ରଦାନ କରିବୁ।

ଖଡ଼ଗେ ଆହୁରି କହିଛନ୍ତି, ସେମାନଙ୍କ ଦଳ ପ୍ରତ୍ୟେକ ପରିବାରକୁ ନଗଦବିହୀନ ୨୫ ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରିବ। କଂଗ୍ରେସ ପାର୍ଟି ପୂର୍ବରୁ ରାଜସ୍ଥାନ, କର୍ଣ୍ଣାଟକ ଓ ତେଲଙ୍ଗାନାରେ କ୍ଷମତାକୁ ଆସିବା ପରେ ଏହିସବୁ ପ୍ରତିଶ୍ରୁତି ପୂରଣ କରିଛି ବୋଲି ଖଡ଼ଗେ କହିଛନ୍ତି। ସ୍ବର୍ଗତ ସଙ୍ଗୀତଜ୍ଞ ଜୁବିନ ଗର୍ଗଙ୍କ ମାମଲାରେ ୧୦୦ ଦିନରେ ନ୍ୟାୟ ମିଳିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି। ଜୁବିନ୍‌ଙ୍କୁ କିଏ ହତ୍ୟା କରିଛି ଓ କ’ଣ ଷଡ଼ଯନ୍ତ୍ର ରଚା ଯାଇଥିଲା ଏସବୁର ତଦନ୍ତ ୧୦୦ ଦିନ ଭିତରେ ଶେଷ କରି ବାହାରକୁ ତଥ୍ୟ ଆଣିବୁ ବୋଲି କହିଛନ୍ତି। ସେହିପରି ରାଜ୍ୟର ୧୦ ଲକ୍ଷ ଭୂମିପୁତ୍ର ବା ଆଦିମ ଅଧିବାସୀଙ୍କୁ ସ୍ଥାୟୀ ଜମି ପଟ୍ଟା ପ୍ରଦାନ କରାଯିବ ବୋଲି କଂଗ୍ରେସ ପ୍ରତିଶ୍ରୁତି ଦେଇଛି।

ବରି‌ଷ୍ଠ ନାଗରିକଙ୍କୁ ପ୍ରତ୍ୟେକ ମାସ ୧,୨୫୦ ଟଙ୍କାର ଭତ୍ତା ଦେବ ବୋଲି ଦଳ ପ୍ରତିଶ୍ରୁତି ଦେଇଛି। ଖଡ଼ଗେ ଭୋଟରଙ୍କୁ ଆସାମକୁ ବିଜେପିର ଦୁର୍ନୀତି ଓ କୁଶାସନରୁ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି। ଆସାମ କଂଗ୍ରେସ ସଭାପତି ଗୌରବ ଗୋ‌ଗୋଇ ଏହି ଜନସଭାରେ ଉପସ୍ଥିତ ଥିବାବେଳେ ରାଜ୍ୟରେ ବିଜେପିର ବିଭାଜନମୂଳକ ରାଜନୀତିକୁ ସମାଲୋଚନା କରିଥିଲେ। କଂଗ୍ରେସ କ୍ଷମତାକୁ ଆସିଲେ ଯେଉଁମାନେ ସାମ୍ପ୍ରଦାୟିକ ବିଭାଜନ ସୃଷ୍ଟି କରୁଛନ୍ତି ସେମାନଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ ପଠାଯିବାର ଆଇନ ଆଣିବ ବୋଲି ଗୋଗୋଇ କହିଛନ୍ତି।

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button