Assembly: ଛଳନାର ଭାଷା ଲୋକ ବୁଝିଗଲେଣି: ୨୨ ଦିନରୁ ୧୬ ଦିନ ଅଚଳାବସ୍ଥାରେ କଟିଗଲା
‘ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଗୃହ ଚାଲୁ ନଥିବାରୁ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠିପାରୁନି। ଅଧିବେଶନ ପାଇଁ ରାଜସ୍ବ କ୍ଷତି ହେଉଛି।’ ବିଜେଡି ସରକାର ସମୟରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରତି ଶାସକ ଦଳର ଭାଷା ଏମିତି ଥିଲା।

ଚୌଧୁରୀ ଅମିତାଭ ଦାସ
ଭୁବନେଶ୍ବର: ‘ବିରୋଧୀ ଦଳ ଗୃହ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଗୃହ ଚାଲୁ ନଥିବାରୁ ଲୋକଙ୍କ ସମସ୍ୟା ପ୍ରସଙ୍ଗ ଉଠିପାରୁନି। ଅଧିବେଶନ ପାଇଁ ରାଜସ୍ବ କ୍ଷତି ହେଉଛି।’ ବିଜେଡି ସରକାର ସମୟରେ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ପ୍ରତି ଶାସକ ଦଳର ଭାଷା ଏମିତି ଥିଲା। ଏବେ ବିଜେପି ସରକାରରେ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ପ୍ରତି ଶାସକ ଦଳର ଭାଷା ପୂରା ସମାନ। ସେତେବେଳେ ବିଜେପି ବିଧାୟକମାନେ ମହିଳା ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗୁଥିଲେ। ପୋଡିୟମ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଥିଲେ। ଏବେ ବିଜେଡି ବିଧାୟକମାନେ ମହିଳା ବାଚସ୍ପତିଙ୍କ ପୋଡିୟମ୍ ଉପରକୁ ଚଢ଼ିବାକୁ ଚେଷ୍ଟା କରୁଛନ୍ତି। ସେତେବେଳେ ବିଜେଡି କହୁଥିଲା, ମହିଳା ବାଚସ୍ପତିଙ୍କ ପ୍ରତି ବିଜେପିର ସମ୍ମାନ ନାହିଁ। ଏବେ ବିଜେପି କହୁଛି, ମହିଳା ବାଚସ୍ପତିଙ୍କ ପ୍ରତି ବିଜେଡିର ସମ୍ମାନ ନାହିଁ। ଏହି ଦୁଇଟି କେବଳ ଛଳନାର ଉଦାହରଣ ମାତ୍ର। ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନକୁ ଆଲୋଚନାକୁ ନେଲେ ଏହାର ପ୍ରାସଙ୍ଗିକତା ରହିଛି। ବିଧାନସଭା ଗୃହର ଏମିତି ଚିତ୍ର ଏବେ ଆଉ ସାଧାରଣ ଜନତାଙ୍କୁ ବୁଝିବାକୁ ବାକି ନାହିଁ। ଶାସନରେ ଯିଏ ଥା’ନ୍ତୁ ନା କାହିଁକି, ଭାଷା ସମାନ। ବିରୋଧୀ ଦଳରେ ଯିଏ ଥା’ନ୍ତୁ ନା କାହିଁକି, ବିରୋଧର ତରିକା ବି ଅନୁରୂପ। ତେଣୁ ଆରୋପ, ପ୍ରତ୍ୟାରୋପ କେବଳ ସାମୟିକ ଭାବେ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଉଦ୍ଦିଷ୍ଟ ଏକଥା ଏବେ ସବୁଠି ଚର୍ଚ୍ଚା ଚାଲିଛି। ଫେବ୍ରୁଆରି ୧୭ ତାରିଖରେ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସାତ ଦିନ ଧରି ଚାଲିଥିଲା। ଏଥିରୁ କୌଣସି ଗୋଟିଏ ଦିନ ବି ଗୃହ ସ୍ବାଭାବିକ ହୋଇ ନଥିଲା। ଧାନକିଣା ଅବ୍ୟବସ୍ଥା ନେଇ ବିରୋଧୀ ହଙ୍ଗାମା କରିଥିଲେ।
ଦ୍ବିତୀୟ ପର୍ଯ୍ୟୟ ଅଧିବେଶନ ମାର୍ଚ୍ଚ ୯ ତାରିଖରୁ ଆରମ୍ଭ ହେଲା। କିନ୍ତୁ ଏଥର ଆରମ୍ଭରୁ ବିରୋଧୀ ଶାନ୍ତ ଥିଲେ। ଧାନକିଣା ଅବ୍ୟବସ୍ଥା ସଜଡ଼ା ଯାଇ ନଥିଲେ ବି ସେମାନେ ଆଉ ପ୍ରସଙ୍ଗଟିକୁ ଧରି ନଥିଲେ। ଗୃହ କାର୍ଯ୍ୟରେ ପୂରା ସହଯୋଗ କରିଥିଲେ। କିନ୍ତୁ ୧୭ ତାରିଖରୁ ଚିତ୍ର ବଦଳିଗଲା। ଏସ୍ସିବି ନିଆଁ ଘଟଣାରେ ବିରୋଧୀ କଠୋର ଆଭିମୁଖ୍ୟ ଗ୍ରହଣ କଲେ। ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଅଡ଼ି ବସିଲେ। କିନ୍ତୁ ସରକାର ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ହଟାଇବା ସପକ୍ଷରେ ନଥିଲେ। ନିଜେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗୃହରେ ବିବୃତି ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ ନୈତିକ ଦାୟିତ୍ବ ନେବା ଦରକାର ବୋଲି ରୋକଠୋକ୍ ଜଣାଇଦେଲେ। ଉଭୟ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗକୁ କଣ୍ଟ କରି ଲଗାତାର ୯ ଦିନ କଡ଼ା ପ୍ରତିବାଦ କଲେ। ପ୍ରତିବାଦର ଭିନ୍ନ ଭିନ୍ନ ତରିକା ବି ଆପଣାଇଲେ।
ତେବେ ପ୍ରତିଦିନ ଖର୍ଚ୍ଚଦାବି ଆଲୋଚନା ହୋଇଥିଲା। ବିନା ବିରୋଧୀ ଦଳରେ ଶାସକ ଦଳ ସଭ୍ୟମାନେ ଏକପାଖିଆ ଆଲୋଚନା କଲେ। ନିଜ ସରକାର ଓ ମନ୍ତ୍ରୀମାନଙ୍କୁ ପ୍ରଶଂସାରେ ପୋତି ପକାଇଲେ। ଶାସକ ଦଳ ସଭ୍ୟଙ୍କ ଉପସ୍ଥାନ ବି ଦୁର୍ବଳ ଥିଲା। ଅଧିକାଂଶ ଦିନ ପାଖାପାଖି ୫୦ ବିଧାୟକ ଅନୁପସ୍ଥିତ ରହୁଥିଲେ।
ସାଧାରଣତଃ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ପ୍ରତିବାଦ କରନ୍ତି। ବିରୋଧୀ ଦଳଙ୍କୁ ବୁଝାଇ ଗୃହକୁ ସ୍ବାଭାବିକ ଆଣିବାର ଦାୟିତ୍ବ ଶାସକ ଦଳର। କିନ୍ତୁ ଶାସକ ଦଳ ଗୃହରେ ପ୍ଲାକାର୍ଡ ଦେଖାଇବା ସୁସ୍ଥ ଗାଣତାନ୍ତ୍ରିକ ପରମ୍ପରା ନୁହେଁ। ଏଥର ବିରୋଧୀ ଦଳଙ୍କ ଲଗାତାର ବିରୋଧ ଦେଖି ଶାସକ ଦଳର ସଭ୍ୟମାନେ ବି ପ୍ଲାକାର୍ଡ ପ୍ରଦର୍ଶନ କଲେ। ସେମାନେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି ପ୍ଲାକାର୍ଡ ଦେଖାଇଥିଲେ। ତେବେ ପ୍ରସଙ୍ଗ ଯାହା ହେଉ ନା କାହିଁକି, ଗୃହ ଭିତରେ ଶାସକ ଦଳର ଏପରି ଆଭିମୁଖ୍ୟ ଗ୍ରହଣୀୟ ନୁହେଁ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଉଛନ୍ତି। ଯେହେତୁ ଅଧିକାଂଶ ଦିନ ଗୃହ କାର୍ଯ୍ୟ ସ୍ବାଭାବିକ ହୋଇ ନଥିଲା, ତେଣୁ ବିଧାୟକମାନଙ୍କ ପ୍ରଦର୍ଶନ ଜଣାପଡ଼ି ନଥିଲା।
ଶେଷ ଦିନ ଗୃହ ଅର୍ଥାତ୍ ୩୧ ତାରିଖରେ ଗୃହ ଆପାତତଃ ସ୍ବାଭାବିକ ଚାଲିଲା। ଅଧ ରାତି ଯାଏଁ ଏକ ବିଲ୍ ଉପରେ ଆଲୋଚନା କରାଯାଇ ପାରିତ କରାଗଲା। ବିଲ୍ ଉପରେ ଲମ୍ବା ସମୟ ବିତର୍କ ନିଶ୍ଚିତ ସ୍ବାଗତଯୋଗ୍ୟ। କିନ୍ତୁ ଗୃହ କାର୍ଯ୍ୟ ଆହୁରି ପାଞ୍ଚ ଦିନ ବାକି ଥିଲା। ତେଣୁ ଆଉ ଗୋଟିଏ ଦିନ ବିଲ୍ ଉପରେ ଚର୍ଚ୍ଚା କରିଥିଲେ କିଛି ଅସୁବିଧା ହୋଇ ନଥା’ନ୍ତା। ତାହା ନକରି ଅଧ ରାତି ଯାଏଁ ଚର୍ଚ୍ଚା କରିବା ଏବଂ ପାଞ୍ଚ ଦିନ ଆଗରୁ ବିଧାନସଭା ବନ୍ଦ କରିଦେବା ପଛରେ କି ଯୁକ୍ତି ରହିଛି, ତାହା ସଚେତନ ନାଗରିକମାବେ ବୁଝି ପାରୁନାହାନ୍ତି। ଏଥର ବିଧାନସଭା ଅଧିବେଶନ ଆଉ ଏକ ଦୃଷ୍ଟିରୁ ଉଲ୍ଲେଖନୀୟ ଥିଲା। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ ଅଭିଯୋଗରେ ବିଜେଡି ୬ ଓ କଂଗ୍ରେସ ୩ ବିଧାୟକଙ୍କୁ ନିଲମ୍ବନ କରିଥିଲା। ସେମାନଙ୍କ ପାଇଁ ଗୃହରେ ଆସନ ବଦଳିଥିଲା। ବିଜେଡିରୁ ପୂର୍ବରୁ ନିଲମ୍ବିତ ହୋଇଥିବା ଦୁଇ ବିଧାୟକଙ୍କ ପାଇଁ ଅଧିବେଶନ ଆରମ୍ଭରୁ ଆସନ ବ୍ୟବସ୍ଥା କରି ଦିଆଯାଇଥିଲା।
ସୌଜନ୍ୟ ସମ୍ବାଦ




