Astronauts’ food worries: ମହାକାଶଚାରୀଙ୍କ ଆହାର ଚିନ୍ତା: ଚନ୍ଦ୍ରମାଟିରେ ଚଣା ଚାଷ
ଚନ୍ଦ୍ରପୃଷ୍ଠରେ ଥିବା ମାଟି ସଦୃଶ ମୃତ୍ତିକା ପ୍ରସ୍ତୁତକରି ବୈଜ୍ଞାନିକମାନେ ସେଥିରେ ସୋଲା ବା ଚଣା ଫଳାଇବାରେ ସଫଳ ହୋଇଛନ୍ତି। ଆଉ କିଛିଦିନ ପରେ ହୁଏତ ସେମାନେ ଚନ୍ଦ୍ରପୃଷ୍ଠରେ ନାନାଦି ଫସଲ ଚାଷ କରିବା ନିମନ୍ତେ ଉଦ୍ୟମ କରିବେ।

ଚନ୍ଦ୍ରପୃଷ୍ଠରେ ଥିବା ମାଟି ସଦୃଶ ମୃତ୍ତିକା ପ୍ରସ୍ତୁତକରି ବୈଜ୍ଞାନିକମାନେ ସେଥିରେ ସୋଲା ବା ଚଣା ଫଳାଇବାରେ ସଫଳ ହୋଇଛନ୍ତି। ଆଉ କିଛିଦିନ ପରେ ହୁଏତ ସେମାନେ ଚନ୍ଦ୍ରପୃଷ୍ଠରେ ନାନାଦି ଫସଲ ଚାଷ କରିବା ନିମନ୍ତେ ଉଦ୍ୟମ କରିବେ। ଦୀର୍ଘଦିନ ପାଇଁ ଚନ୍ଦ୍ରାଭିଯାନରେ ଯାଇ ଯେଉଁ ମହାକାଶଚାରୀମାନେ ସେଠାରେ ଅବସ୍ଥାନ କରିବେ, ସେମାନେ ସେଠାକାର ଉତ୍ପାଦିତ ଫସଲ ଖାଇ ବଞ୍ଚିବେ।
ଏଥିନିମନ୍ତେ ଗବେଷକମାନେ ଆଗ ଚନ୍ଦ୍ରପୃଷ୍ଠରୁ ସଂଗୃହୀତ ମୃତ୍ତିକା ବା ‘ରିଗୋଲିଥ୍’ ନମୁନା ଆଣିଥିଲେ। ପ୍ରାୟ ଅର୍ଦ୍ଧାଧିକ ଶତାବ୍ଦୀ ପୂର୍ବେ ଆପୋଲୋ ଅଭିଯାନ ବେଳେ ନାସା ଚନ୍ଦ୍ରପୃଷ୍ଠରୁ ସେଠାକାର ମୃତ୍ତିକା ସଂଗ୍ରହକରି ଆଣିଥିଲା। ସେମିତିକା ଗୋଡ଼ି ଓ ଚୂନା ପଥରମିଶା ଶୁଷ୍କ ଧୂଳି ଭଳି ମୃତ୍ତିକା ପ୍ରସ୍ତୁତକରି ଏବଂ ସେଥିରେ ଅଣୁଜୀବ ଥିବା କବକ ଓ ଜିଆଖତ ଦେଇ ଗବେଷକମାନେ ଏହି ଚଣା ଉତ୍ପନ୍ନ କରିଛନ୍ତି।
ଟେକ୍ସାସ୍ ଏ ଆଣ୍ଡ୍ ଏମ୍ ୟୁନିଭର୍ସିଟିରେ ଗୋଟାଏ ଜଳବାୟୁ ନିୟନ୍ତ୍ରିତ କୋଠରି ମଧ୍ୟରେ ବିଶେଷ ଧରଣର ଲମ୍ବା କୁଣ୍ଡରେ ଚାଷ କରାଯାଇଥିବା ଏହି ଚଣା ହେଉଛି ‘ମାୟଲ୍ସ୍’ କିସମର। ଆଗ ସେହି ଚଣା ବିହନଗୁଡ଼ିକ ଉପରେ ପୃଥିବୀର ଅନ୍ୟତମ ଆଦିମ ଉପକାରୀ କବକ ଆର୍ବିସ୍କ୍ୟୁଲାର୍ ମାଇକୋର୍ଆଇଜାଲ୍ ବୋଳାଯାଇଥିଲା। ତା’ପରେ ସେଗୁଡ଼ିକୁ ନେଇ ଫ୍ଲୋରିଡାସ୍ଥିତ ସ୍ପେସ୍ ରିସୋର୍ସ ଟେକ୍ନୋଲଜିସ୍ କମ୍ପାନି ଦ୍ବାରା ପ୍ରସ୍ତୁତ ଉପରୋକ୍ତ ମୃତ୍ତିକାରେ ଲଗାଯାଇଥିଲା।
ଭବିଷ୍ୟତରେ ଚନ୍ଦ୍ରରେ ମହାକାଶଚାରୀଙ୍କୁ ସ୍ଥାୟୀ ଭାବେ ବସବାସ କରାଇବା ଯୋଜନା ପ୍ରସ୍ତୁତ ହେଉଛି। ଏଣୁ ସେଠାରେ କିପରି ଖାଦ୍ୟ ଉତ୍ପାଦନ ହୋଇପାରିବ ସେ କୌଶଳ ବିକଶିତ କରାଯାଉଛି। କାରଣ ସେଠାକୁ ନିୟମିତ ଖାଦ୍ୟ ପଠାଇବା ଅସମ୍ଭବ।
ଗବେଷକମାନେ ଲକ୍ଷ୍ୟକଲେ, ଯେଉଁ କୁଣ୍ଡରେ ୭୫% ପର୍ଯ୍ୟନ୍ତ କୃତ୍ରିମ ଚନ୍ଦ୍ରମୃତ୍ତିକା ରହିଛି, ସେଥିରେ ଭଲ ଚଣା ଫଳୁଛି। କିନ୍ତୁ, ଯେଉଁ କୁଣ୍ଡରେ କୃତ୍ରିମ ଚନ୍ଦ୍ରମୃତ୍ତିକା ପରିମାଣ ଅଧିକ ରହୁଛି ସେଥିରେ ଉଠିଥିବା ଗଛରେ କମ୍ ସଂଖ୍ୟକ ଫଳ ଧରୁଛି। ଅବଶ୍ୟ ଉଭୟ କୁଣ୍ଡରେ ଫଳୁଥିବା ଚଣାଗୁଡ଼ିକର ଆକାର ସମାନ ରହୁଛି। ସେହିପରି ୧୦୦% କୃତ୍ରିମ ବା ଅନୁକୃତ ଚନ୍ଦ୍ରମୃତ୍ତିକା ଭରାଥିବା କୁଣ୍ଡରେ ଉଠିଥିବା ଚଣାଗଛରେ ଫୁଲଫଳ ତ ହେଲାନାହିଁ, ଓଲଟି ତାହା ଅକାଳରେ ମରିଗଲା।
ଦୀର୍ଘକାଳ ଚନ୍ଦ୍ରପୃଷ୍ଠରେ ରହି ଗବେଷଣା ଚଳାଇବା ଲାଗି ଆଉ ଅଳ୍ପ କେତେ ବର୍ଷ ଭିତରେ ମହାକାଶଚାରୀ ପ୍ରେରଣ କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଓ ଚୀନ୍ ଯୋଜନା କରିଛନ୍ତି। ତେଣୁ, ଚଣାଚାଷ ସଂକ୍ରାନ୍ତରେ ଗବେଷଣ ତଥା ଟେକ୍ସାସ୍ ଏ ଆଣ୍ଡ୍ ଏମ୍ର ମୃତ୍ତିକା ଓ ଫସଲ ବିଜ୍ଞାନ ବିଭାଗରେ ‘ନାସା’ର ସହକାରୀ ଥିବା ଜେସିକା ଆଟ୍କିନ୍ କହନ୍ତି, ‘‘ସୋଲାରେ ପ୍ରଚୁର ପୁଷ୍ଟିସାର ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ପୋଷକତତ୍ତ୍ବ ଥିବାରୁ ମହାକାଶ ଫସଲ ଉତ୍ପାଦନ ନିମନ୍ତେ ଏହା ଉପଯୁକ୍ତ।’’
ଏହି ଗବେଷକ ଦଳର ଅନ୍ୟତମ ସଦସ୍ୟା ତଥା ଟେକ୍ସାସ୍ ୟୁନିଭର୍ସିଟିସ୍ଥିତ ଇନ୍ଷ୍ଟିଚ୍ୟୁଟ୍ ଫର୍ ଜିଓଫିଜିକ୍ସ୍ରେ ଗବେଷଣାରତ ଓଲିଭେରା ସାନ୍ଟୋସ୍ କହନ୍ତି, ‘‘ଚନ୍ଦ୍ର କି, ମଙ୍ଗଳ ଗ୍ରହରେ ଜଣକୁ ବସବାସ କରାଇବା ଆମର ଲକ୍ଷ୍ୟ ହୋଇଥିବାରୁ ଚନ୍ଦ୍ରରେ କିପରି ଖାଦ୍ୟ ଉତ୍ପାଦନ କରାଯାଇପାରିବ ତାହା ଶିଖିବା ଆବଶ୍ୟକ। କାରଣ ସବୁବେଳେ ମହାକାଶଯାନରେ ଖାଦ୍ୟ ପଠାଇବା ସମ୍ଭବ ନୁହେଁ। କାରଣ, ମହାକାଶକୁ କୌଣସି ଜିନିଷପତ୍ର ପଠାଇବା ବେଶ୍ ବ୍ୟୟବହୁଳ। ତା’ ଛଡ଼ା ସେହି ଜିନିଷପତ୍ରର ଓଜନ ବି ଗୋଟିଏ ଅସୁବିଧା। ତା’ଛଡ଼ା ଠିକ୍ ସମୟରେ ଖାଦ୍ୟଦ୍ରବ୍ୟ ପହଞ୍ଚି ନ ପାରିଲେ ଚନ୍ଦ୍ରରେ ମହାକାଶଚାରୀମାନେ ବଞ୍ଚିପାରିବେ ନାହିଁ।’’
ଚନ୍ଦ୍ରରେ ଉଲ୍କାପାତରୁ ସୃଷ୍ଟି ହୋଇଥିଲା ମୃତ୍ତିକା
ଚନ୍ଦ୍ରପୃଷ୍ଠସ୍ଥ ମୃତ୍ତିକା ମୁଖ୍ୟତଃ ଚୂର୍ଣ୍ଣୀଭୂତ ଶିଳା ଓ ବାଲୁକାମୟ ହୋଇଥିବାରୁ କାଚ ଭଳି ତୀକ୍ଷ୍ଣ। କୋଟି କୋଟି ବର୍ଷ ପୂର୍ବେ ଉଲ୍କାପାତ ପ୍ରଭାବରେ ସେହି ମୃତ୍ତିକା ଗଠିତ ହୋଇଥିଲା। ଉଦ୍ଭିଦ ଉଧାଇବା ନିମନ୍ତେ ଆବଶ୍ୟକ ସମସ୍ତ ଅତ୍ୟାବଶ୍ୟକ ପୋଷକତତ୍ତ୍ବ ଓ ଖଣିଜ ଲବଣ ଏଥିରେ ରହିଛି। କିନ୍ତୁ, ତାହା ପୃଥିବୀର ମୃତ୍ତିକା ପରି ଜୈବିକ ଓ ପୋଷକ-ସମୃଦ୍ଧ ହୋଇ ନ ଥିବାରୁ ଉଦ୍ଭିଦ ପାଇଁ ଅନୁକୂଳ ନୁହେଁ।
ଏହି ପ୍ରକଳ୍ପର ଅନ୍ୟତମ ଗବେଷକ ତଥା ଇଂଲଣ୍ଡସ୍ଥିତ ନର୍ଥଉବ୍ରିୟା ୟୁନିଭର୍ସିଟିର ଆଷ୍ଟ୍ରୋବାୟୋଲୋଜିଷ୍ଟ୍ ଜ୍ୟୋତି ବାସପତି ରାଘବେନ୍ଦ୍ର କହନ୍ତି, ‘‘ଆଗକୁ ଚନ୍ଦ୍ରରେ ହେବାକୁ ଥିବା ମାନବ ବସତି ନିମନ୍ତେ ଉଦ୍ଭିଦ ଅମ୍ଳଜାନ ଉତ୍ପାଦନ ଏବଂ ଜୀବନ-ସହାୟକ ବ୍ୟବସ୍ଥା ବୃଦ୍ଧି କରିବାରେ ସହାୟକ ହେବ।’’ ସେ ଯାହାହେଉ, ଗବେଷଣାଗାରରେ ଉତ୍ପାଦିତ ଏହି ଚଣା କେହି ଚାଖି ନ ଥିବାରୁ ତା’ର ସ୍ବାଦ ଜଣାପଡ଼ିନାହିଁ। ଗବେଷିକା ଆଟ୍କିନ୍ କହିଛନ୍ତି, ‘‘କୃତ୍ରିମ ଚନ୍ଦ୍ରମୃତ୍ତିକାରେ ଉତ୍ପାଦିତ ସୋଲାବୁଟରେ କୌଣସି ଧାତବୀୟ ପଦାର୍ଥ ରହିଛି କି, ନାହିଁ, ତାହା ପରୀକ୍ଷା କରାଯାଉଛି। ସେହି କାରଣରୁ ଏଯାଏ ଆମେ ସେଗୁଡ଼ିକୁ ଖାଇନାହୁଁ।’’
ଚନ୍ଦ୍ରପୃଷ୍ଠ ମୃତ୍ତିକା ଏବଂ ଗବେଷକମାନେ କୃତ୍ରିମ ଉପାୟରେ ପ୍ରସ୍ତୁତ କରିଥିବା ସେ ଧରଣର ମୃତ୍ତିକାରେ ଆଲୁମିନିୟମ୍ ଓ ଲୌହ ଭାଗ ଅଧିକ ରହିଛି। ଉଦ୍ଭିଦ ପୋଷଣ ଲାଗି ଲୌହ ଅତ୍ୟାବଶ୍ୟକ। ତା’ଛଡ଼ା ଆଲୁମିନିୟମ୍ ବିଷାକ୍ତ ନ ହୋଇଥିଲେ ବି ଖାଇଲେ ତାହା ଶରୀରରେ ବିଷତୁଲ୍ୟ ପ୍ରଭାବ ପକାଇପାରେ। ତେଣୁ, ଚନ୍ଦ୍ରପୃଷ୍ଠରେ ରହି ଏ ସୋଲାରେ ପ୍ରସ୍ତୁତ ଆହାର ଖାଇବା ଆଗରୁ ତାହା ଯେ ନିରାପଦ ଓ ପୋଷକତତ୍ତ୍ବଯୁକ୍ତ ସେ ବିଷୟରେ ସୁନିଶ୍ଚିତ ହେବା ଆବଶ୍ୟକ।
ସୌଜନ୍ୟ ସମ୍ବାଦ




