ବ୍ୟାଙ୍କକ୍: ମ୍ୟାମାରର କେନ୍ଦ୍ରୀୟ ସାଗାଇଂ ଅଞ୍ଚଳରେ ଏକ ବୌଦ୍ଧ ମଠ ଉପରେ ଶୁକ୍ରବାର ସକାଳେ ହୋଇଥିବା ବିମାନ ଆକ୍ରମଣରେ ଧ୍ୟାନ ଶିବିରରେ ଯୋଗ ଦେଇଥିବା ୧୪ ଜଣଙ୍କ ମୃତ୍ୟୁ ହୋଇଛି। ଆଉ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ମ୍ୟାମାରର ସାଗାଇଂ ଅଞ୍ଚଳ ମ୍ୟାଁଗ୍ ଟାଉନ୍ସିପ୍ର ସ୍ୱେଲ୍ ଲେ ଓହ ଗାଁରେ ଏହି ଘଟଣା ଘଟିଛି। ଏହି ଗାଁ ମାଣ୍ଡାଲେଠାରୁ ପ୍ରାୟ ୭୫ କିଲୋମିଟର ପଶ୍ଚିମରେ ଅବସ୍ଥିତ। ଶୁକ୍ରବାର ସକାଳ ପ୍ରାୟ ୯ଟାରେ ଏହି ଆକ୍ରମଣ ହୋଇଥିବା ସ୍ଥାନୀୟ ଅଧିକାରୀ ଓ ବାସିନ୍ଦାଙ୍କ ସୂତ୍ରରୁ ଜଣାପଡ଼ିଛି।
ମ୍ୟାଁଗ୍ ଟାଉନ୍ସିପ୍ର ସିଭିଲ୍ ଡିଫେନ୍ସ ଆଣ୍ଡ୍ ସିକ୍ୟୁରିଟି ଅର୍ଗାନାଇଜେସନ୍ (ସିଡିଏସ୍ଓଏମ୍)ର ମୁଖପାତ୍ର ନୱେ ଓ କହିଛନ୍ତି, ଏକ ଯୁଦ୍ଧବିମାନ ମଠ ପରିସରକୁ ବୋମା ମାଡ଼ କରିଥିଲା। ଏଥିରେ ୩ ଜଣ ମହିଳାଙ୍କ ସମେତ ୧୪ ଜଣ ପ୍ରାଣ ହରାଇଛନ୍ତି ଏବଂ ୨୦ ଜଣ ଆହତ ହୋଇଛନ୍ତି। ସ୍ଥାନୀୟ ସୂତ୍ର ଅନୁସାରେ, ମଠରେ ଏକ ସପ୍ତାହବ୍ୟାପୀ ଧ୍ୟାନ ଶିବିର ଚାଲିଥିଲା। ଅନ୍ୟ ଏକ ସ୍ଥାନୀୟ ରିପୋର୍ଟ ଅନୁସାରେ, ଆକ୍ରମଣ ସମୟରେ ମଠରେ ପାଖାପାଖି ୭୦ ଜଣ ବନ୍ୟାପ୍ରଭାବିତ ଲୋକ ମଧ୍ୟ ଆଶ୍ରୟ ନେଇଥିଲେ। ଆକ୍ରମଣରେ ଯୁଦ୍ଧବିମାନ ଦୁଇଟି ବୋମା ପକାଇଥିବା ଜଣେ ସ୍ଥାନୀୟ ବାସିନ୍ଦା କହିଛନ୍ତି। ଦୁଇ ବୋମା ମଧ୍ୟରେ ପ୍ରାୟ ୧୫ ମିନିଟ୍ର ବ୍ୟବଧାନ ଥିଲା।
ଦ୍ୱିତୀୟ ବୋମା ମଠ ନିକଟରେ ଥିବା ଏକ ଘରକୁ କ୍ଷତିଗ୍ରସ୍ତ କରିଥିଲା। ସେହି ଘରେ ଧ୍ୟାନ ଶିବିର ପାଇଁ ୧୦୦ରୁ ଅଧିକ ଲୋକ ଏକାଠି ହୋଇଥିଲେ। ଆକ୍ରମଣ ପରେ ମୃତକଙ୍କ ଅନ୍ତିମ ସଂସ୍କାର କରି ବଞ୍ଚିଥିବା ଲୋକେ ନିକଟସ୍ଥ ଅଞ୍ଚଳକୁ ପଳାଇଥିବା ଜଣାପଡ଼ିଛି।
ମ୍ୟାମାରରେ ୨୦୨୧ ଫେବ୍ରୁଆରିରେ ସାମରିକ ଅଭ୍ୟୁତ୍ଥାନ ପରେ ଦୀର୍ଘଦିନ ଧରି ସଂଘର୍ଷ ଚାଲିଛି। ସାମରିକ ଶାସନ ବିରୋଧୀ ଗୋଷ୍ଠୀ ଓ ଜାତିଗତ ସଶସ୍ତ୍ର ସଂଗଠନଗୁଡ଼ିକୁ ଲକ୍ଷ୍ୟ କରି ନିୟମିତ ବିମାନ ଆକ୍ରମଣ ହେଉଥିବା ବେଳେ ଏଥିରେ ସାଧାରଣ ଲୋକ ମଧ୍ୟ ନିହତ ହେଉଛନ୍ତି। ଜାତିସଂଘର ମ୍ୟାମାର ସମ୍ପର୍କିତ ତଦନ୍ତକାରୀମାନେ ମଧ୍ୟ ସାଧାରଣ ଲୋକଙ୍କ ଉପରେ ଆକ୍ରମଣ ଜାରି ରହିଥିବା ନେଇ ରିପୋର୍ଟ ଦେଇଛନ୍ତି।
ସୌଜନ୍ୟ ସମ୍ବାଦ