Australian Open: ଟେନିସ୍‌ ପ୍ରଶଂସକ ହେବେ ମାଲେମାଲ୍‌

ମେଲବର୍ଣ୍ଣ: ନୂଆ ବର୍ଷ ଆରମ୍ଭରୁ କଙ୍ଗାରୁ ଟେନିସ୍‌ ପ୍ରଶଂସକମାନଙ୍କ ପାଇଁ ବଡ଼ ଖୁସି ଖବର ଆସିଛି। କେବଳ ଖର୍ଚ୍ଚାନ୍ତ ହୋଇ ଖେଳ ଦେଖିବେ ନାହିଁ, ଦେଖୁ ଦେଖୁ ଭାଗ୍ୟ ଉଦୟ ହେଲେ ମାଲେମାଲ୍ ବି ହୋଇଯାଇପାରନ୍ତି। ଏଭଳି ବଡ଼ ଅଫର୍ ଦେଇଛି ବର୍ଷର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ ଟେନିସ୍‌ ଟୁର୍ଣ୍ଣାମେଣ୍ଟ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌। ରବିବାରଠାରୁ ଆରମ୍ଭ ହେଉଥିବା ଏହି ପ୍ରତିଯୋଗିତାର ଉଭୟ ପୁରୁଷ ଓ ମହିଳା ବିଭାଗରେ ସମସ୍ତ ୧୨୭ ମ୍ୟାଚ୍‌କୁ ଯିଏ ତ୍ରୁଟିଶୂନ୍ୟ ଭାବେ ଆକଳନ କରିପାରିବେ ସେ ୧୦ ନିୟୁତ ଅଷ୍ଟ୍ରେଲୀୟ ଡଲାର୍‌ (ପ୍ରାୟ ୬୦.୫ କୋଟି ଟଙ୍କା) ପାଇବାକୁ ହକ୍‌ଦାର ହେବେ।

‘ବ୍ରାକେଟ୍‌ ଚାଲେଞ୍ଜ୍‌’ ନାମରେ ଆୟୋଜିତ ଏହି ପ୍ରତିଯୋଗିତାକୁ ‘ଏକ ଦକ୍ଷତାର ଖେଳ, କୌଣସି ସୁଯୋଗର ନୁହେଁ’ ବୋଲି କହିଛନ୍ତି ଟେନିସ୍‌ ଅଷ୍ଟ୍ରେଲିଆର ମୁଖ୍ୟ ବ୍ୟାବସାୟିକ ଅଧିକାରୀ ସେଡ୍ରିକ୍ କର୍ଣ୍ଣେଲିସ୍‌। ଏଓ ବ୍ରାକେଟ୍‌ ଚାଲେଞ୍ଜ୍‌ ଟେନିସ ଜ୍ଞାନକୁ ପୁରସ୍କୃତ କରିବାର ଏକ ମାଧ୍ୟମ। ପ୍ରତିଯୋଗିତା ସହ ପ୍ରଶଂସକଙ୍କୁ ନୂଆ ଢ଼ଙ୍ଗରେ ଯୋଡ଼ିବା ଏବଂ ସଚେତନତା ଜାଗ୍ରତ କରିବା ମୁଖ୍ୟ ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି।

କେବଳ ଅଷ୍ଟ୍ରେଲୀୟ ଅଧିବାସୀଙ୍କ ପାଇଁ ଏହି ପୁରସ୍କାର ମିଳିବ। ପ୍ରତି ଡ୍ର’ରେ ଜଣଙ୍କୁ ଗୋଟିଏ ମାତ୍ର ପ୍ରବେଶ ଅନୁମତି ରହିଛି। ସର୍ବୋଚ୍ଚ ବ୍ରାକେଟ୍‌ ବିଜେତାଙ୍କୁ ମୁଖ୍ୟ ପୁରସ୍କାର ମିଳିବ। ସଠିକ ଆକଳନଠାରୁ ଅଳ୍ପକେ ବଞ୍ଚିତ ହେଉଥିବା ପ୍ରଶଂସକଙ୍କ ପାଇଁ ବି ସାନ୍ତ୍ବନାମୂଳକ ପୁରସ୍କାର ବ୍ୟବସ୍ଥା ରହିଛି। ସୂଚନାଯୋଗ୍ୟ, ଅଷ୍ଟ୍ରେଲିଆନ୍‌ ଓପନ୍‌ ଏହି ରବିବାରଠାରୁ ଫେବ୍ରୁଆରି ପହିଲା ପର୍ଯ୍ୟନ୍ତ ମେଲବର୍ଣ୍ଣ ପାର୍କରେ ଅନୁଷ୍ଠିତ ହେବ।

ସୌଜନ୍ୟ ସମ୍ବାଦ