Banana cultivation: ଚାଷୀଙ୍କ ଆୟ ବୃଦ୍ଧି କରିବ କଦଳୀଚାଷ

ଖଣ୍ଡଗିରି: ଜାତୀୟ କୃଷକ ଦିବସ ଅବସରରେ ଲାଇଭ୍‌ଲିହୁଡ୍‌ ଅଲ୍‌ଟରନେଟିଭ୍‌ସ୍‌ ପକ୍ଷରୁ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ପଦ କେନ୍ଦ୍ର (ଆରପିଆର୍‌ସି)ରେ ଜାତୀୟ କୃଷକ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ‘ଟିସୁ କଲ୍‌ଚର୍‌ଭିତ୍ତିକ କଦଳୀ ଚାଷର ସମ୍ଭାବନା ଓ ସୁଯୋଗ’ ଶୀର୍ଷକ ଏକ କର୍ମଶାଳା ଆୟୋଜିତ ହୋଇଥିଲା। ବୈଜ୍ଞାନିକ ଉପାୟରେ କଦଳୀ ଚାଷକରି ଉତ୍ପାଦର ଗୁଣବତ୍ତାରେ ବୃଦ୍ଧି କରିବା ଓ କୃଷକଙ୍କ ଆୟରେ ଉନ୍ନତି ଆଣିବା ଲକ୍ଷ୍ୟରେ ଏହା ଆୟୋଜନ କରାଯାଇଥିଲା।

ଏଥି‌ରେ ମୁଖ୍ୟ ଅତିଥିଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେଇ ଉତ୍ପାଦନ ବୃଦ୍ଧି, କୃଷକଙ୍କ ଆୟ ବୃଦ୍ଧି କରିବା ନିମନ୍ତେ ଟିସୁ କଲ୍‌ଚର ଭିତ୍ତିକ କଦଳୀ ଚାଷ ଭଳି ବୈଜ୍ଞାନିକ ଉପାୟରେ କୃଷି କାର୍ଯ୍ୟର ଆବଶ୍ୟକତା ଉପରେ ଜୋର୍‌ ଦେଇଥିଲେ। ଏଥିସହିତ କୃଷକ, ଗବେଷଣା ପ୍ରତିଷ୍ଠାନ ଓ ବଜାର ମଧ୍ୟରେ ରହୁଥିବା ତାରତମ୍ୟ ଦୂରୀକରଣ କ୍ଷେତ୍ରରେ ଲାଇଭ୍‌ଲିହୁଡ୍‌ ଅଲ୍‌ଟର୍‌ନେଟିଭ୍‌ସ୍‌ର ପ୍ରୟାସକୁ ସେ ପ୍ରଶଂସା କରିଥିଲେ। କୃଷକମାନଙ୍କ ପାଇଁ ଦୀର୍ଘସ୍ଥାୟୀ ଜୀବିକା ଉପାର୍ଜନ ସୁନିଶ୍ଚିତ କରିବା ନିମନ୍ତେ ଆଧୁନିକ କୃଷି ପ୍ରଯୁକ୍ତି ଆପଣେଇବାର ଗୁରୁତ୍ୱ ଉପରେ ଅତିଥିମାନେ ଆଲୋକପାତ କରିଥିଲେ। ନାଫେଡ୍‌ର ଅନିନ୍ଦିତା ଗୁହା, ପ୍ରଦୀପ୍ତ କୁମାର ସାହୁ, ଆରପିଆର୍‌ସିର ସିଇଓ ସୁଧାଂଶୁ ଶେଖର ଖୋରା, ସମ୍ବିତ ତ୍ରିପାଠୀ ପ୍ରମୁଖ ଯୋଗଦେଇଥିଲେ।
କର୍ମଶାଳାର ବୈଷୟିକ ଅଧିବେଶନଗୁଡ଼ିକରେ ଆସିଷ୍ଟାଣ୍ଟ୍‌ ପ୍ରଫେସର୍‌ (ଫ୍ରୁଟ୍‌ସାଇନ୍ସ) ଦେବାଶିଷ ହୋତା ସୋଆ ବିଶ୍ୱବିଦ୍ୟାଳୟଙ୍କ ଦ୍ୱାରା କଦଳୀ ଚାଷରେ ସମ୍ପୂର୍ଣ୍ଣ କାର୍ଯ୍ୟାଭ୍ୟାସ ପ୍ରଣାଳୀ ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ। ଯେଉଁଥିରେ ସେ ସର୍ବୋତ୍ତମ କୃଷି ବିଜ୍ଞାନ ପ୍ରଣାଳୀ, ପୋଷକ ପରିଚାଳନା, କୀଟ ପୋକ ନିୟନ୍ତ୍ରଣ ପଦକ୍ଷେପଗୁଡ଼ିକ ସମ୍ପର୍କରେ ବିସ୍ତୃତ ଭାବରେ ବର୍ଣ୍ଣନା କରିଥିଲେ।
ଆର୍‌ପିଆର୍‌ସିର ସାଇଣ୍ଟିଷ୍ଟ ଇନ୍‌-ଚାର୍ଜ ସି. କାଳିଦାସଙ୍କ ନେତୃତ୍ବରେ  ଟିସୁ କଲ୍‌ଚର ଲାବୋରେଟୋରି ପରିଦର୍ଶନ କରିଥିଲେ। କର୍ମଶାଳାରେ ଓଡ଼ିଶାର ଅନଗୁଳ, ଗଜପତି ଓ ପୁରୀ ଜିଲ୍ଲାରୁ ବହୁ ସଂଖ୍ୟାରେ କୃଷକ ଉତ୍ପାଦକ କମ୍ପାନି (ଏଫ୍‌ପିସି)ର କୃଷକମାନେ ଅଂଶଗ୍ରହଣ କରିଥିଲେ।

ସୌଜନ୍ୟ ସମ୍ବାଦ