ସମ୍ପାଦକୀୟ

Editorial: ଅପାତ୍ରରେ ଦାନ

ଟ୍ରଂପ ସ୍ପଷ୍ଟ କରିସାରିଛନ୍ତିି ଯେ ସାଂପ୍ରତିକ ସ୍ଥିତିରେ ଶାସନ ପରିଚାଳନା କରିବା ସକାଶେ ଭେନେଜୁଏଲାରେ ଉଭୟ ସମର୍ଥନ ଓ ସମ୍ମାନ ପାଇବାରେ ମାଚାଡୋ ସକ୍ଷମ ହୋଇ ନାହାନ୍ତି, ଅର୍ଥାତ୍‌ ତାଙ୍କ ପାଳି ଆସିନାହିଁ। କିନ୍ତୁ ବାସ୍ତବତାଟି ହେଲା ଦୁଇ କ୍ଷୁଧାର୍ତ୍ତଙ୍କ ମିଳନ ଘଟିଛି....

ଟ୍ରଂପ ସ୍ପଷ୍ଟ କରିସାରିଛନ୍ତିି ଯେ ସାଂପ୍ରତିକ ସ୍ଥିତିରେ ଶାସନ ପରିଚାଳନା କରିବା ସକାଶେ ଭେନେଜୁଏଲାରେ ଉଭୟ ସମର୍ଥନ ଓ ସମ୍ମାନ ପାଇବାରେ ମାଚାଡୋ ସକ୍ଷମ ହୋଇ ନାହାନ୍ତି, ଅର୍ଥାତ୍‌ ତାଙ୍କ ପାଳି ଆସିନାହିଁ। କିନ୍ତୁ ବାସ୍ତବତାଟି ହେଲା ଦୁଇ କ୍ଷୁଧାର୍ତ୍ତଙ୍କ ମିଳନ ଘଟିଛି; ଏବଂ ଏ କ୍ଷେତ୍ରରେ ଯଦି ପରସ୍ପରକୁ ତୃପ୍ତ କରିବାର ଦାୟବୋଧ ସୃଷ୍ଟି ହୁଏ, ତେବେ ନୋବେଲ ପଦକ ଅର୍ପଣ କରିବାର ପ୍ରତିବଦଳରେ ଭେନେଜୁଏଲାର ଶାସନ କ୍ଷମତାକୁ ମାଚାଡୋଙ୍କ ଥାଳିରେ ପରଷି ଦିଆଯାଇପାରେ!

‘କିସ ପୁଣି ଦେଖା ନ ଯାଏ ଜିଇ ଥିଲେ ଏ ମହୀରେ!’ ଭଳି ବହୁଳ ବ୍ୟବହୃତ ବିସ୍ମୟସୂଚକ ବାକ୍ୟଟି ଗଲା ଶୁକ୍ରବାର ଦିନ ସହସା ପ୍ରମାଣିତ ହୋଇଗଲା, ଯେତେବେଳେ ଦେଖିବାକୁ ମିଳିଲା ଯେ ୨୦୨୫ ମସିହା ଲାଗି ଶାନ୍ତି ସକାଶେ ନୋବେଲ ସମ୍ମାନର ଅଧିକାରିଣୀ ମାରିଆ କୁରିନୋ ମାଚାଡୋ ଏହି ଅନବଦ୍ୟ ସ୍ବୀକୃତିର ସନ୍ତକ ସ୍ବରୂପ ମାତ୍ର ମାସକ ତଳେ ଲାଭ କରିଥିବା ଦୁଷ୍ପ୍ରାପ୍ୟ ସୁବର୍ଣ୍ଣ ପଦକଟିକୁ ସହର୍ଷ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରଂପଙ୍କ ହାତରେ, କୃତଜ୍ଞତାର ନିଦର୍ଶନ ସ୍ବରୂପ, ଅର୍ପଣ କରିଛନ୍ତି। ଗଲା ଅକ୍‌ଟୋବର ମାସରେ ଏହି ସମ୍ମାନ ଲାଗି ମାରିଆଙ୍କ ନାମ ଘୋଷିତ ହେବା ପରେପରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ସଂପାଦକୀୟ ‘ନୋବେଲ ଚରିତ୍ର’ରେ ଏକ ସନ୍ଦେହୀର ଦୃଷ୍ଟିକୋଣ ରଖି କୁହାଯାଇଥିଲା କିଭଳି ଏହି ଅତୁଲ୍ୟ ସମ୍ମାନକୁ ବାରମ୍ବାର ‘ଅପାତ୍ର’ରେ ଦାନ କରାଯାଇ ଆସୁଥିବାରୁ ଏହାକୁ କୌଣସିମତେ ହାସଲ କରାଯାଇପାରିବ ବୋଲି ଟ୍ରଂପଙ୍କ ଭଳି ଜଣେ ରଣରଙ୍କାର ମଧ୍ୟ ବିଶ୍ବାସ ଜନ୍ମିଥିଲା; ଯେଉଁ କାରଣରୁ ଏହା ପାଇବାର ଦାବିରେ ତାଙ୍କ ଠାରୁ ଆସ୍ଫାଳନ ଓ ଧମକଚମକର ସୁଅ ଛୁଟିଥିଲା। ତେବେ, ପରିଶେଷରେ ପୁରସ୍କାରଟି ତାଙ୍କୁ ନ ମିଳି ମାଚାଡୋଙ୍କୁ ମିଳିବା ଯଦିଓ ଅଶେଷ ସାନ୍ତ୍ବନାପ୍ରଦ ଥିଲା, ଖୁବ୍‌ ଶୀଘ୍ର, କିନ୍ତୁ, ପ୍ରତୀତ ହୋଇଥିଲା ଯେ ମାଚାଡୋ ମଧ୍ୟ ହୁଏତ ଜଣେ ଅପାତ୍ର; ଯଦିଓ ପୁରସ୍କାର ଚୟନ କମିଟିର ବର୍ଣ୍ଣନା ଅନୁସାରେ ଭେନେଜୁଏଲାର ଏକଛତ୍ରବାଦୀ ଶାସକ ନିକୋଲସ ମାଡୁରୋଙ୍କ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଚଳାଇଥିବା ମାଚାଡୋ ହେଉଛନ୍ତି ଅଦମନୀୟ ସାହସର ପ୍ରତୀକ। ଏଭଳି ସ୍ଥଳେ ମାଚାଡୋଙ୍କ ସଦ୍ୟତମ କାର୍ଯ୍ୟ ପରିପ୍ରେକ୍ଷୀରେ ଏକ ମୂଲ୍ୟାୟନ କରାଯାଇପାରେ।
ଆମେରିକାର ରାଷ୍ଟ୍ରପତି ନିବାସ ହ୍ବାଇଟ ହାଉସରେ ପହଞ୍ଚି ନୋବେଲ ପଦକଟିକୁ ଟ୍ରଂପଙ୍କୁ ପ୍ରଦାନ କରିବା ପଛରେ ମାଚାଡୋଙ୍କ ପ୍ରଦତ୍ତ କାରଣଟି ହେଉଛି ଭେନେଜୁଏଲାର ସ୍ବାଧୀନତା ଏବଂ ସେଠାରେ ଗଣତନ୍ତ୍ରର ପ୍ରତିଷ୍ଠାରେ ଟ୍ରଂପଙ୍କ ଅତୁଳନୀୟ ଅବଦାନ। ଏହା ବର୍ତ୍ତମାନ ସୁବିଦିତ କିଭଳି ଟ୍ରଂପ ଏକ ଅତର୍କିତ ଆକ୍ରମଣ ଓ ରକ୍ତପାତ ଘଟାଇ ଭେନେଜୁଏଲାର ଗାଦିନସୀନ ରାଷ୍ଟ୍ରପତି ନିକୋଲସ ମାଡୁରୋଙ୍କୁ ସସ୍ତ୍ରୀକ ଅପହରଣ କରି ଆମେରିକାରେ ବନ୍ଦୀ କରି ରଖିଛନ୍ତି। ଏବଂ ଏହି ସଂଦର୍ଭରେ ବକ୍ତବ୍ୟ ପ୍ରଦାନ କାଳରେ ଟ୍ରଂପ ତାଙ୍କ ଅବୋଲକରା ଜିହ୍ବା ସଂଚାଳନ କରି ସମସ୍ତଙ୍କୁ ଅପ୍ରତିଭ କଲା ଭଳି ଏହ‌ା ମଧ୍ୟ ପ୍ରକାଶ୍ୟ କରିସାରିଛନ୍ତି ଯେ ଗଣତନ୍ତ୍ରର ପ୍ରତିଷ୍ଠା ନୁହେଁ; ଭେନେଜୁଏଲା ଆକ୍ରମଣ ପଛରେ ରହିଥିବା ଉଦ୍ଦେଶ୍ୟଟି ସଂପୂର୍ଣ୍ଣ ବଣିକସୁଲଭ ଅର୍ଥାତ୍‌ ‘ଲାଭ ଅର୍ଜନର ଲୋଭ’; ଯେଉଁ ବକ୍ତବ୍ୟକୁ ମାର୍ଜନୀୟ କରିବା ଲାଗି ଟ୍ରଂପଙ୍କ ବୈଦେଶିକ ବ୍ୟାପାର ମନ୍ତ୍ରୀ ମାର୍କୋ ରୁବିଓଙ୍କୁ ପରିଶ୍ରମ ମଧ୍ୟ କରିବାକୁ ପଡ଼ିଛି। ଅବଶ୍ୟ, ଏହା ପ୍ରଥମରୁ ସ୍ପଷ୍ଟ ଯେ ଭେନେଜୁଏଲାର ଅପରିମେୟ ଖଣଜ ତୈଳ ଏବଂ ବିପୁଳ ‘କ୍ରିଟିକାଲ ମିନେରାଲ୍‌ସ’ ଭଣ୍ଡାରକୁ ନିୟନ୍ତ୍ରଣକୁ ଆଣି, ତାହାକୁ ଶୁଷ୍କ କରି, ତା’ ବିନିମୟରେ ଶକ୍ତି କ୍ଷେତ୍ରରେ ଏକାଧିପତ୍ୟ ବିସ୍ତାର କରିବା ହେଉଛି ଟ୍ରଂପଙ୍କ ଏକ ମାତ୍ର ଲକ୍ଷ୍ୟ। ତେଣୁ ନିକୋଲସ ମାଡୁରୋଙ୍କୁ ଗାଦିଚ୍ୟୁତ କରିବା ପରେ ଗଣତନ୍ତ୍ର ପ୍ରତିଷ୍ଠାର ସାମାନ୍ୟତମ ସଂକେତ ମଧ୍ୟ ମିଳିନାହିଁ, ମାଡୁରୋଙ୍କ ନିର୍ଦ୍ଦେଶରେ ଦୀର୍ଘକାଳୀନ କାରାବାସ ଭୋଗୁଥିବା ରାଜନୈତିକ ବନ୍ଦୀମାନଙ୍କ ମୁକ୍ତି ଦିଗରେ କୌଣସି ଉଦ୍ୟମ ହୋଇନାହିଁ। ସଂପ୍ରତି ଆମେରିକାର ସମ୍ମତିରେ ଭେନେଜୁଏଲାର ଶାସନ ମୁଖ୍ୟ ହୋଇଛନ୍ତି ସେଠାକାର ଉପରାଷ୍ଟ୍ରପତି ତଥା ମାଡୁରୋଙ୍କ ଦୀର୍ଘକାଳୀନ ସହକର୍ମୀ ଡେଲ୍‌ସି ରୋଡ୍ରିଗେଜ। ବିଶେଷଜ୍ଞମାନେ କହନ୍ତି ଯେ ମାଡୁରୋ କ୍ଷମତାଚ୍ୟୁତ ହେବା ପରେ ଭେନେଜୁଏଲାର ରାଷ୍ଟ୍ରପତି ହେବାର ସ୍ବପ୍ନ ଦେଖୁଥିବା ମାଚାଡୋ ଏଥିରେ ବିଚଳିତ ହୋଇପଡ଼ି ଟ୍ରଂପଙ୍କୁ ସନ୍ତୁଷ୍ଟ କରିବା ସକାଶେ ଏହି ପଦକ୍ଷେପଟି ନେଇଛନ୍ତି। ହୁଏତ ମାଚାଡୋଙ୍କୁ ତାଙ୍କ ଈପ୍‌ସିତ କ୍ଷମତା ପ୍ରାପ୍ତ ହୋଇଯାଇପାରେ! ଯଦି ତାହା ହୁଏ, ତେବେ ଭେନେଜୁଏଲାର ସ୍ମୃତିରେ ସେ ଜଣେ ଅତ୍ୟନ୍ତ କ୍ଷମତା ଲିପ୍‌ସୁ ବ୍ୟକ୍ତି ହୋଇ ରହିଯିବେ, ଯିଏ ନିଜ ‌େଦଶର ସାର୍ବଭୌମତ୍ବ ଲୁଣ୍ଠନକାରୀକୁ ପୁରସ୍କୃତ କରିଥିଲା।

ଟ୍ରଂପ ତାଙ୍କ ଦ୍ବିତୀୟ ପାଳିର ଶାସନ କାଳରେ ଅତି କମ୍‌ରେ ଏଗାରଟି ଯୁଦ୍ଧରେ ବିରାମ ଘଟାଇଛନ୍ତି ବୋଲି କହି ନିଜକୁ ନୋବେଲ ଶାନ୍ତି ସମ୍ମାନର ସୁଯୋଗ୍ୟ ଦାବିଦାର ବୋଲି ତୀବ୍ର ଉଚ୍ଚାଟ ସୃଷ୍ଟି କରି ଆସିଛନ୍ତି। କିନ୍ତୁ ପ୍ରାୟ ବର୍ଷେ ଧରି ତାଙ୍କୁ ଦେଖି ଆସିଥିବା ପୃଥିବୀର ଯେ କେହି ସ୍ବୀକାର କରିବ ଯେ ସେ ଆଦୌ ଶାନ୍ତିର କପୋତ ନୁହନ୍ତି; ବରଂ ଜଣେ ଶିକାରୀ ଛଞ୍ଚାଣ। କିନ୍ତୁ ହେନରି କିସିଞ୍ଜର, ୟାସେର ଅରାଫାତ, ଆବି ଅହମ୍ମଦଙ୍କ ଭଳି ଛଞ୍ଚାଣଗଣ ଏହି ପୁରସ୍କାର ଲାଭ କରି ସାରିଥିବାରୁ ଏହି ପୁରସ୍କାର ଲାଭ କରିବାର ଦୁର୍ବାର କ୍ଷୁଧା ତାଙ୍କୁ ଅଶାନ୍ତ କରି ରଖିଛି। ମାଚାଡୋ ମଧ୍ୟ ରାଜନୈତିକ କ୍ଷମତା ଲାଗି କ୍ଷୁଧାର୍ତ୍ତ; ଯେଉଁ କାରଣରୁ ଟ୍ରଂପଙ୍କ ସମ୍ମୁଖରେ ସେ ନିର୍ଲଜ ଭାବେ ନତଜାନୁ ହୋଇଛନ୍ତି। ଏଣେ ମାଚାଡୋଙ୍କ ବିଡ଼ମ୍ବନାଟି ହେଲା ଜଣେ ସାହସୀ ଆନ୍ଦୋଳନକାରିଣୀର ନିର୍ମୋକ ଖସି ପଡ଼ି ଜଣେ ଅମେରୁଦଣ୍ଡୀ କ୍ଷମତା ଲିପ୍‌ସୁ ରୂପେ ତାଙ୍କର ଆବିର୍ଭାବ ଘଟିବା। ଅବଶ୍ୟ, ଟ୍ରଂପ ସ୍ପଷ୍ଟ କରିସାରିଛନ୍ତିି ଯେ ସାଂପ୍ରତିକ ସ୍ଥିତିରେ ଶାସନ ପରିଚାଳନା କରିବା ସକାଶେ ଭେନେଜୁଏଲାରେ ଉଭୟ ସମର୍ଥନ ଓ ସମ୍ମାନ ପାଇବାରେ ମାଚାଡୋ ସକ୍ଷମ ହୋଇ ନାହାନ୍ତି, ଅର୍ଥାତ୍‌ ତାଙ୍କ ପାଳି ଆସିନାହିଁ। କିନ୍ତୁ ବାସ୍ତବତାଟି ହେଲା ଦୁଇ କ୍ଷୁଧାର୍ତ୍ତଙ୍କ ମିଳନ ଘଟିଛି; ଏବଂ ଏ କ୍ଷେତ୍ରରେ ଯଦି ପରସ୍ପରକୁ ତୃପ୍ତ କରିବାର ଦାୟବୋଧ ସୃଷ୍ଟି ହୁଏ, ତେବେ ନୋବେଲ ପଦକ ଅର୍ପଣ କରିବାର ପ୍ରତିବଦଳରେ ଭେନେଜୁଏଲାର ଶାସନ କ୍ଷମତାକୁ ମାଚାଡୋଙ୍କ ଥାଳିରେ ପରଷି ଦିଆଯାଇପାରେ!
ନୋବେଲ ବିଜୟୀମାନଙ୍କ ଯୋଗ୍ୟତାକୁ ଘେନି ବାରମ୍ବାର ତର୍କ-ବିତର୍କ ସୃଷ୍ଟି ହେଉଥିଲେ ହେଁ ଏହି ପୁରସ୍କାରର ଗରିମା କ୍ଷୁଣ୍ଣ ହୋଇନାହିଁ। ଏହାର କାରଣ ହେଲା ଶାନ୍ତି ସକାଶେ ନୋବେଲ ସମ୍ମାନ ଲାଭ କରିଥିବା ଅଧିକାଂଶ ବ୍ୟକ୍ତି ବା ଅନୁଷ୍ଠାନ ସେମାନଙ୍କ ଆଭିମୁଖ୍ୟରେ ଅଟଳ ରହି ନିରଙ୍କୁଶ କ୍ଷମତାକୁ ବିରୋଧ କରିବାର ସାହସ ପ୍ରଦର୍ଶନ କରି ଆସୁଛନ୍ତି ଏବଂ କ୍ଷମତାଧାରୀମାନଙ୍କ ଚକ୍ଷୁଶୂଳ ହେବାର ଅପଭାଗ୍ୟ ଭୋଗ କରୁଛନ୍ତି। ଶାନ୍ତି ଲାଗି ନୋବେଲ ପୁରସ୍କାର ଜିଣିଥିବା ଇରାନର ନର୍ଗିସ ମୋହମଦୀ(୨୦୨୩) ଏବଂ ବେଲାରୁସର ଅଲିସ ବ୍ୟାଲ୍ୟାତସ୍କି(୨୦୨୨) ଏବେ କାରାରୁଦ୍ଧ ହୋଇ ଅଛନ୍ତି ଏବଂ ଇରାନର ସିରିନ ଇବାଦି(୨୦୦୩) ଓ ପାକିସ୍ତାନର ମାଲାଲା ୟୁସୁଫଜାୟୀ(୨୦୧୪) ସ୍ବଦେଶ ବାହାରେ ଦୀର୍ଘକାଳୀନ ନିର୍ବାସନରେ! କାରଣ, ସତ୍ତାଧାରୀମାନେ ସୁନିଶ୍ଚିତ ଯେ ପ୍ରଲୁବ୍‌ଧ କରି ସେମାନଙ୍କୁ କରାୟତ୍ତ କରିବା ଏକ ଦୁଃସାଧ୍ୟ ବ୍ୟାପାର, ତେଣୁ ଅବଦମନ ଜରୁରି। ୨୦୨୧ ମସିହାରେ ଶାନ୍ତି ସକାଶେ ନୋବେଲ ସମ୍ମାନ ଜିଣିଥିବା ସାମ୍ବାଦିକ ଡିମିଟ୍ରି ମୁରାଟୋଭ ତାଙ୍କ ପଦକଟିକୁ ଅନ୍ୟ କାହାକୁ ଉଦ୍ଦେଶ୍ୟପୂର୍ଣ୍ଣ ଉପହାର ଭାବେ ପ୍ରଦାନ ନ କରି ୨୦୨୨ ମସିହା ଜାନୁଆରି ମାସରେ ଏକ ଅତ୍ୟନ୍ତ ଉଚ୍ଚା ମୂଲ୍ୟ ଅର୍ଥାତ୍‌ ୧୦୩.୫ ନିୟୁତ ଡଲାରରେ ନିଲାମ କରି ଦେଇଥିଲେ। କିନ୍ତୁ ଲକ୍ଷ୍ୟ ରଖିଥିଲେ ଯେମିତି ସଂପୂର୍ଣ୍ଣ ଅର୍ଥ ରାଶି ୟୁକ୍ରେନୀୟ ଶିଶୁ ଶରଣାର୍ଥୀମାନଙ୍କ ହିତାର୍ଥେ ନିୟୋଜିତ ହୁଏ। ପଦକକୁ ଏକ ଅସ୍ଥାୟୀ ବସ୍ତୁ ବୋଲି ମଣି ଅବଦାନକୁ ଅବିନଶ୍ବର କରି ରଖିବା ସକାଶେ ସେ ଏଭଳି ଏକ ଦୁର୍ଲଭ ଉଦ୍ୟମ କରିଥିବେ, ଯାହା ଜଣେ ପ୍ରକୃତ ଶାନ୍ତିକାମୀର ପରିଚୟ ହୋଇଥାଏ। କିନ୍ତୁ ମାଚାଡୋ ଓ ଟ୍ରଂପଙ୍କୁ ଘେନି ସୃଷ୍ଟି ହୋଇଥିବା ଦୃଶ୍ୟପଟରେ ଆମେ ଦେଖୁ ଦୁଇ କ୍ଷୁଧାର୍ତ୍ତଙ୍କ ଯୁଗଳ ନୃତ୍ୟ। ଏବଂ ନରୱେର ନୋ‌େବଲ ପୁରସ୍କାର ଚୟନ କମିଟି ଅସହାୟ ଭାବେ ଦେଖୁଥିବ ଯେ ଦୁଷ୍ପ୍ରାପ୍ୟ ପଦକଟି ଗୋଟିଏ ଅପା‌ତ୍ରର ହାତରୁ ଯାଇ ଅନ୍ୟ ଜଣେ ଅପାତ୍ର ହାତରେ ପଡ଼ିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button