
ବ୍ରହ୍ମପୁର/ଚିକିଟି: ମହିଳା ଅଧିକାରୀଙ୍କୁ ଅସଦାଚରଣ ଅଭିଯୋଗ ଥିଲା ତାଙ୍କ ନାଁରେ। ତେଣୁ ଲୋକଲଜ୍ଜାରେ ବିଷ ପିଇଦେଲେ। ୧୩ ଦିନ କାଳ ଜୀବନମରଣ ସହ ଲଢ଼ି ଆଜି ଶେଷରେ ଆଖି ବୁଜିଦେଲେ ଗଞ୍ଜାମଜିଲ୍ଲା ଚିକିଟି ବ୍ଲକର ପଞ୍ଚାୟତ ନିର୍ବାହୀ ଅଧିକାରୀ ଦଣ୍ଡପାଣି ପାତ୍ର। ଏମକେସିଜି ବଡ଼ ମେଡିକାଲ ମେଡିସିନ୍ ବିଭାଗ ଆଇସିୟୁରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଗତ ୩ ତାରିଖରେ ସୁନାପୁର ବେଳାଭୂମି ମହୋତ୍ସବ ଉଦ୍ଘାଟନ ଅବସରରେ ଏକ ମାରାଥନ୍ ଦୌଡ଼ ଆୟୋଜିତ ହୋଇଥିଲା। ଏଠାରେ ଜଣେ ମହିଳା ଅତିରିକ୍ତ ତହସିଲଦାର ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିଲେ। ସେଠାରେ ଦଣ୍ଡପାଣି ବି ସରକାରୀ ଡ୍ୟୁଟି କରୁଥିଲେ।। ହଠାତ୍ ମହିଳା ଅଧିକାରୀ ଜଣକ ଦଣ୍ଡପାଣିଙ୍କ ନାଁରେ ଅସଦାଚରଣ ଅଭିଯୋଗ ଆଣିଥିଲେ। ଗୋଳନ୍ଥରା ଥାନାରେ ଏନେଇ ଏକ ମାମଲା ରୁଜୁ ହେବା ପରେ ପୁଲିସ ତାଙ୍କୁ କଲ୍ କରିଥିଲା। ଏହାପରେ ଲୋକଲଜ୍ଜାରେ ଦଣ୍ଡପାଣି ନିଜ ଘରେ ବିଷ ପିଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ। ତାଙ୍କୁ ଏମକେସିଜି ମେଡିସିନ ବିଭାଗ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତଥାପି ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁନଥିଲା। ଆଜି ଅପରାହ୍ଣ ୫ଟାରେ ଦଣ୍ଡପାଣିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନାଯୋଗ୍ୟ, ମହିଳା ଅଧିକାରୀଙ୍କ ଅଭିଯୋଗ ପ୍ରକାରେ ଅଭ୍ୟନ୍ତରୀଣ ଅଭିଯୋଗ କମିଟି ତଦନ୍ତ କରୁଥିଲା। ଜଣେ ମହିଳା ଅତିରିକ୍ତ ଉପଜିଲ୍ଲାପାଳ ଏହାକୁ ଅନୁଧ୍ୟାନ କରୁଥିଲେ। ପୁଲିସ ପକ୍ଷରୁ ବି ଜଣେ ମହିଳା ଡିଏସପି ମାମଲାର ତଦନ୍ତ ଦାୟିତ୍ୱରେ ଥିଲେ। ଘଟଣାସ୍ଥଳର ସିସିଟିଭି ଓ ଅନ୍ୟ ଭିଡିଓ ଫୁଟେଜ ସଂଗ୍ରହ ପାଇଁ ଚେଷ୍ଟା କରାଯାଇଥିଲା। ଅନ୍ୟପଟେ ଦଣ୍ଡପାଣିଙ୍କୁ ଅଯଥା ବଦନାମ କରାଯାଇଛି ଓ ମିଥ୍ୟା ଅଭିଯୋଗ ହୋଇଛି ବୋଲି ପତ୍ନୀ ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଏହା ମଧ୍ୟ ବିଚରାଧୀନ ରହିଛି। ଏହି ଅଘଟଣ ପାଇଁ ଅଧିକାରୀଜଣକ ଦାୟୀ ବୋଲି ପତ୍ନୀ କହିଛନ୍ତି।
ସୌଜନ୍ୟ ସମ୍ବାଦ




