ମନୋରଞ୍ଜନ

Capital Discussion: ରାଜଧାନୀ ଚର୍ଚ୍ଚା: ଧନ୍ୟ ଆମ ନେତାଙ୍କ ସମୟ ଜ୍ଞାନ

ସହରିଆ କୁଆଡ଼େ ଭାରି ଅତିଷ୍ଠ। ନା ନା ନା... ଟ୍ରାଫିକ୍‌ ଜାମ୍‌ କି ଗାଡ଼ିମୋଟର କେଁ କାଁ ପାଇଁ ନୁହେଁ ମ’! ମନ୍ତ୍ରୀ, ବିଧାୟକଙ୍କ ପାଇଁ ଯେତକ ଅଡ଼ୁଆ। ଏମାନେ କୁଆଡ଼େ ରାଜଧାନୀର ସବୁ କାର୍ଯ୍ୟକ୍ରମକୁ ଡେରିରେ ଯାଉଛନ୍ତି।

ସହରିଆ କୁଆଡ଼େ ଭାରି ଅତିଷ୍ଠ। ନା ନା ନା… ଟ୍ରାଫିକ୍‌ ଜାମ୍‌ କି ଗାଡ଼ିମୋଟର କେଁ କାଁ ପାଇଁ ନୁହେଁ ମ’! ମନ୍ତ୍ରୀ, ବିଧାୟକଙ୍କ ପାଇଁ ଯେତକ ଅଡ଼ୁଆ। ଏମାନେ କୁଆଡ଼େ ରାଜଧାନୀର ସବୁ କାର୍ଯ୍ୟକ୍ରମକୁ ଡେରିରେ ଯାଉଛନ୍ତି। ନାଇଁ ମ’ ଦଶ କି ପନ୍ଦର ମିନିଟ୍‌ ନୁହେଁ, ପୂରା ଘଣ୍ଟେ ଦେଢ଼ ଘଣ୍ଟା ଡେରି। ଲୋକେ ବି ଚାତକ ଭଳି ଅନାଇ ଅନାଇ ବିରକ୍ତ ହେଉଛନ୍ତି। ‌ଠିକଣା ସମୟରେ କାର୍ଯ୍ୟକ୍ରମକୁ ଆରମ୍ଭ କରୁନାହାନ୍ତି ବୋଲି ବିଚରା ଆୟୋଜକ ଡାକିଥିବା ଲୋକଙ୍କଠାରୁ ଏଣୁତେଣୁ ବି ଶୁଣୁଛନ୍ତି। ହେଲେ କର୍ତ୍ତା ବିଚରା କରିବେ କ’ଣ କହିଲେ! ହେଇ ଯାଉଛୁ, ହଁ ବାହାରିଲୁ କହି ନୂଆ ସରକାରଙ୍କ ମୁଣ୍ଡିଆଳମାନେ ହିରୋମାର୍କା ଷ୍ଟାଇଲ୍‌ରେ ଦେଢ଼ ଘଣ୍ଟା ପରେ ବିଜେ କରୁଛନ୍ତି। ଖାଲି କ’ଣ ସେତିକି! ଆସୁ ଆସୁ ପ୍ରଥମେ ନିଜେ କହି କିଛି ନେତା ବାହୁଡ଼ି ଯାଉଛନ୍ତି। ଆଜ୍ଞା ବସିବେ କେମିତି କହିଲେ! କେଡ଼େ ବ୍ୟସ୍ତ ଲୋକ ସେମାନେ। ଲୋକଙ୍କ କଥା ଶୁଣିବେ, ରାଇଜ କଥା ବୁଝିବେ। ଏ ଭିତରେ ଘଣ୍ଟେ, ଦେଢ଼ ଘଣ୍ଟା ଡେରି ହେଲା ତ ହେଲା।

ପାଞ୍ଚ, ଦଶ ମିନିଟ ପାଇଁ ଦର୍ଶନ ମିଳିଲା। ସେତକ ବଡ଼ କଥା ନୁହେଁ କି! ଏଥିରେ ତିଳକୁ ତାଳ କରିବାର କ’ଣ ଅଛି କହିଲେ! ହେଇ ଦେଖ ଲୋକଙ୍କ ସଜ ମାଛରେ ପୋକ ପକାଇବା ଅଭ୍ୟାସ କଲାନି। ରାଜଧାନୀରେ ଖଟିରେ ଟୁପୁରୁଟାପୁରୁ ଚାଲିଛି, ଏକା କ’ଣ ସେମାନେ କାମିକା! ଲୋକଙ୍କର କାମଧନ୍ଦା ନାହିଁ! ଗାନ୍ଧୀଜୀ ପୁଣି ଅଣ୍ଟାରେ ଘଣ୍ଟା ଖୁଞ୍ଚି ସମୟ ଜଗୁଥିଲେ କି ନାହିଁ! ଲୋକେ କ’ଣ ବୁଝୁଛନ୍ତି, ଗାନ୍ଧୀ ପୁରୁଣା ହେଲେଣି। ଏଆଇ ଯୁଗରେ ଆଉ ତାଙ୍କ କଥା ମାନିଲେ ହେବ! ୧୪ ବରଷର ବନବାସ ପରେ ଗାଦିଟା ହାତପାହାନ୍ତାକୁ ଆସିଛି। ଭିଆଇପି ଷ୍ଟାଇଲ୍‌ରେ କାମ ନକଲେ ଲୋକ ଚିହ୍ନିବେ ଟି ଏମାନେ ଶାସକ ବୋଲି! ସେଥିପାଇଁ ଏତିକି ନାଟ ନା ଆଉ। ନହେଲେ କ’ଣ ଭାବୁଛନ୍ତି ନେତାଏଁ ଆମର ସମୟଜ୍ଞାନ ରଖିନାହାନ୍ତି!

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button