Attack: ଇରାନର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତା ବଢ଼ିଥିବା ଦାବି; ବିପଦ ଆସିଲେ ତୁରନ୍ତ ପଦକ୍ଷେପ ନେବାକୁ ପ୍ରସ୍ତୁତ
ନିଜର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତାରେ ଉନ୍ନତି ଆସିଥିବା ଦାବି କରି ଇରାନ ନିଜର ସାମରିକ ନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ସୋମବାର କହିଛି ଯେ, ଦେଶ ଉପରେ କୌଣସି ବିପଦ ଆସିବା ପୂର୍ବରୁ ତାହା...

ୱାସିଂଟନ: ନିଜର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର କ୍ଷମତାରେ ଉନ୍ନତି ଆସିଥିବା ଦାବି କରି ଇରାନ ନିଜର ସାମରିକ ନୀତିରେ ବଡ଼ ପରିବର୍ତ୍ତନର ସଙ୍କେତ ଦେଇଛି। ଇରାନର ରାଷ୍ଟ୍ରାୟତ୍ତ ଗଣମାଧ୍ୟମ ସୋମବାର କହିଛି ଯେ, ଦେଶ ଉପରେ କୌଣସି ବିପଦ ଆସିବା ପୂର୍ବରୁ ତାହା ବିରୋଧରେ ପଦକ୍ଷେପ ନିଆଯିବ। ଇରାନର ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ମୁଖ୍ୟ ମୋହସେନ୍ ରେଜାଇ ରବିବାର ରାଷ୍ଟ୍ରାୟତ୍ତ ଟେଲିଭିଜନରେ ନୂଆ କ୍ଷେପଣାସ୍ତ୍ର କ୍ଷମତା ସମ୍ପର୍କରେ ଦାବି କରିଥିଲେ। ଏହାକୁ ଏକ ଆମେରିକୀୟ ଯୁଦ୍ଧଜାହାଜ ବିରୋଧରେ ପରୀକ୍ଷା କରାଯାଇଥିବା ସେ କହିଥିଲେ।
ରିପୋର୍ଟ ଅନୁଯାୟୀ, କଠିନ ଇନ୍ଧନରେ ଚାଲୁଥିବା ‘କାସେମ୍ ବାସିର’ କ୍ଷେପଣାସ୍ତ୍ରର ଲକ୍ଷ୍ୟଭେଦ କ୍ଷମତା ପୂର୍ବାପେକ୍ଷା ଅଧିକ। ଏଥିରେ ଅଧା ଟନ୍ ଓଜନର ୱାର୍ହେଡ୍ ରହିଛି। ଗତବର୍ଷ ଏହି କ୍ଷେପଣାସ୍ତ୍ରକୁ ସାର୍ବଜନୀନ କରାଯିବା ବେଳେ ଏହାର ଲକ୍ଷ୍ୟଭେଦ କ୍ଷମତା ଅତି କମ୍ରେ ୧,୨୦୦ କିଲୋମିଟର ବୋଲି କୁହାଯାଇଥିଲା। ଇରାନ ଏହାକୁ ନିଜର ପ୍ରତିରକ୍ଷା ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ବୋଲି ବର୍ଣ୍ଣନା କରିଛି। ଇରାନ ହର୍ମୁଜ୍ ପ୍ରଣାଳୀ ନିକଟରେ ଜାହାଜ ଚଳାଚଳ ପାଇଁ ଏକ ‘ନିଷିଦ୍ଧ ଅଞ୍ଚଳ’ ତିଆରି କରିବାକୁ ଯୋଜନା କରୁଥିବା ନେଇ ରେଜାଇ ଘୋଷଣା କରିଛନ୍ତି। ଏହାକୁ ଆମେରିକା ବିରୋଧ କରି କହିଛି ଯେ, ଏହି ଜଳପଥ ଖୋଲା ରହିଛି ଏବଂ ଏହା ଉପରେ ଆମେରିକାର ନିୟନ୍ତ୍ରଣ ରହିଛି। ଆମେରିକୀୟ ନୌସେନା ଏହି ପ୍ରଣାଳୀରୁ ମାଇନ୍ ସଫା କରିଥିବା ଏବଂ ଅଣ-ଇରାନୀ ବନ୍ଦରଗୁଡ଼ିକ ଅଭିମୁଖେ ତୈଳବାହୀ ଜାହାଜ ଚଳାଚଳ ବଢ଼ାଇବାକୁ ଯୋଜନା କରିଥିବା ମଧ୍ୟ କହିଛି।
ଆମେରିକା କହିଛି, ଇରାନର ତୈଳ ରପ୍ତାନି ସୀମିତ କରିବା ପାଇଁ ଏହାର ବନ୍ଦରଗୁଡ଼ିକ ଉପରେ ନୌସେନା ଅବରୋଧ ଜାରି ରହିଛି। ସୋମବାର ସୁଦ୍ଧା ୯୪ଟି ବାଣିଜ୍ୟିକ ଜାହାଜର ଗତିପଥ ବଦଳାଯାଇଥିବା ଏବଂ ୩ଟି ଜାହାଜ ଅଚଳ ହୋଇଥିବା ଆମେରିକୀୟ ସେନା କହିଛି। ଏହି ଜଳପଥରେ ଜାହାଜ ଚଳାଚଳକୁ ନେଇ ଅନିଶ୍ଚିତତା ବଢ଼ିବାରୁ ଉପସାଗରୀୟ ଦେଶଗୁଡ଼ିକ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ୟୁଏଇର ରାଷ୍ଟ୍ରପତିଙ୍କ କୂଟନୈତିକ ପରାମର୍ଶଦାତା ଅନୱାର ଗର୍ଗାଶ କହିଛନ୍ତି ଯେ, କୌଣସି ଗୋଟିଏ ଦେଶ ଏହି ଜଳପଥ ଉପରେ ନିୟନ୍ତ୍ରଣ ରଖିବା ଉଚିତ ନୁହେଁ। ଆରବ ଲିଗ୍ର ମହାସଚିବ ନାବିଲ ଫାହମି ମଧ୍ୟ ଇରାନର ଉପସାଗରୀୟ ଦେଶଗୁଡ଼ିକ ଉପରେ ଆକ୍ରମଣକୁ ନିନ୍ଦା କରିଛନ୍ତି।
ସୌଜନ୍ୟ ସମ୍ବାଦ




